ଭୁବନେଶ୍ୱର: ଗତ ମେ ମାସରେ ଦାମୋଦର ରାଉତ ଓ ସୁଲୋଚନା ଦାସଙ୍କ ମଧ୍ୟରେ କଳି ହୋଇଥିଲା । ଏକ ଟିଭି ବିତର୍କରେ ଦାମଙ୍କ ସହ ତତ୍କାଳୀନ କଂଗ୍ରେସ ମୁଖପାତ୍ର ସୁଲୋଚନା ଭାଗ ନେଉଥିଲା ବେଳେ ଦାମ ତାଙ୍କୁ ରୁଚିହୀନ କଥା କହିଥିଲେ । ଟିଭି ବିତର୍କକୁ ଆସିବା ପୂର୍ବରୁ ହୋମୱାର୍କ କରି ଆସ ବୋଲି ଆଗେ ପରାମର୍ଶ ଦେଇଥିଲେ । ପରେ କହିଥିଲେ, ତମେ କେମିତି ଓ କାହାକୁ ସନ୍ତୁଷ୍ଟ କରି କଂଗ୍ରେସର ମୁଖପାତ୍ର ହୋଇଛ ତାହା ମୁଁ ଜାଣେ । ଦାମଙ୍କ ଏଭଳି ମନ୍ତବ୍ୟକୁ ନେଇ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲା । ଦାମଙ୍କ ବହିଷ୍କାର ଦାବି କରିଥିଲା । ମାଷ୍ଟରକ୍ୟାଣ୍ଟିନ୍ ରେ ଦାମଙ୍କ କୁଶପୁତ୍ତଳିକା ଦାହ କରିଥିଲା । ଦାମଙ୍କୁ ବୁଢ଼ା ଓ ମେଣ୍ଟାଲି ଡିଷ୍ଟ୍ରବ ବୋଲି ସୁଲୋଚନା ଆକ୍ଷେପ କରିଥିଲେ ।
ଏବେ ଦାମ ବିଜେପିର ଲେଖାଶ୍ରୀ ସାମନ୍ତସିଂହାରଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ଲେଖାଶ୍ରୀ ତାଙ୍କୁ ଶିଖଣ୍ଡି କହିଥିବାରୁ ଜବାବରେ ଦାମ ତାଙ୍କୁ ସ୍ୱାମୀ ଛାଡ଼ି ଅଙ୍ଗନବାଡ଼ି ବୋଲି ଆକ୍ଷେପ କରିଛନ୍ତି । ଏହାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ଦାମଙ୍କ ବିରୋଧରେ ଯୁଦ୍ଧ ଆରମ୍ଭ କରିଛି । ଦାମଙ୍କ ମନ୍ତବ୍ୟକୁ ଦଳ ଭିତରୁ ମଧ୍ୟ ଅନେକ ନେତା ନାପସନ୍ଦ କରିଛନ୍ତି । ଦଳର ମୁଖପାତ୍ର ସୁଲୋଚନା ଦାସଙ୍କୁ ତାଙ୍କର ପୁରୁଣା ରାଗ ସୁଝାଇବା ପାଇଁ ବଡ଼ିଆ ମଉକା ମିଳିଯାଇଛି । ଶୁକ୍ରବାର ସଂଧ୍ୟାରେ ଏକ ଟିଭି ଚାନେଲ ବିତର୍କରେ ତାଙ୍କୁ ଲେଖାଶ୍ରୀ ସାମନ୍ତସିଂହାରଙ୍କ ସହ ଗୋଟିଏ ପ୍ୟାନେଲ୍ ରେ ଦେଖିବାକୁ ମିଳିଥିଲା । ସୁଲୋଚନା ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଲେ ସତ ହେଲେ ଦାମଙ୍କ ସପକ୍ଷରେ ପଦୁଟିଏ କହିଲେନି । ଓଲଟି ଦାମଙ୍କୁ ମହିଳାମାନଙ୍କ ପ୍ରତି ଅଭ୍ୟାସଗତ ଅରୁଚିକର ମନ୍ତବ୍ୟପ୍ରଦାନକାରୀ ବୋଲି କହିଲେ । ଅତୀତରେ ମତେ ବି ଦାମବାବୁ ଏଭଳି କହିଥିଲେ ବୋଲି ଲେଖାଶ୍ରୀଙ୍କୁ ମନେ ପକାଇ ସମବେଦନା ଜଣାଇଥିଲେ । ସ୍ପଷ୍ଟ କରିଥିଲେ, ଦାମଙ୍କ ମନ୍ତବ୍ୟକୁ ବିଜେଡ଼ି ସମର୍ଥନ କରୁନି । ବିଜେଡ଼ିକୁ ନୂଆ ଆସି ମୁଖପାତ୍ର ପଦ ମଣ୍ଡନ କରିଥିବା ସୁଲୋଚନାଙ୍କର ଏହି ମନ୍ତବ୍ୟ ଉପରେ ଦାମଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।