ଭୁବନେଶ୍ୱର: ନିକଟରେ ଓଡ଼ିଶାର ଏକ ବଡ଼ ସମ୍ବାଦପତ୍ର ସଂସ୍ଥା ଏକ ଜନମତ ସର୍ଭେ କରିଥିଲା । ସାରା ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ସର୍ଭେ ହୋଇଥିଲା । ମୁଖ୍ୟମନ୍ତ୍ରୀ ଦାବିଦାର ଧର୍ମେନ୍ଦ୍ର ପ୍ରଧାନଙ୍କ ବିଷୟରେ ଲୋକଙ୍କର ମତାମତ ଲୋଡ଼ାଯାଇଥିଲା । ଆଶ୍ଚର୍ଯ୍ୟର କଥା, ୯୦ ଭାଗ ଲୋକ ଧର୍ମେନ୍ଦ୍ର କିଏ ଜାଣନ୍ତିନି ବୋଲି କହିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଏହି ତଥ୍ୟ ଖୋଲିଛନ୍ତି । ସେ କହିଛନ୍ତି, ସଂପୃକ୍ତ ସମ୍ବାଦପତ୍ର ଏହି ସର୍ଭେକୁ ପ୍ରକାଶ କରିବ କି ନାହିଁ ସେ ଜାଣନ୍ତିନି । ହେଲେ ବିଜେପିର ଏହା ହିଁ ବାସ୍ତବ ଚିତ୍ର ।
ବିଜେପିର ମିଶନ୍ ୧୨୦ ପ୍ଲସ୍ କୁ ବେଶ୍ ତାତ୍ସଲ୍ୟ କରିଛନ୍ତି ବିରୋଧୀ ଦଳ ନେତା । କେମିତି ସେମାନେ ଏହି ହିସାବ କରୁଛନ୍ତି ତାଙ୍କୁ ତାହା ହସ ଲାଗୁଛି । ନିକଟରେ ଅମିତ୍ ଶାହା ଯେଉଁ ବିମାନରେ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିଲେ ସେଥିରେ ସେ ବି ଆସୁଥିଲେ । ଅମିତ୍ ଙ୍କ ସାଙ୍ଗରେ ଝାଡଖଣ୍ଡର ଦୁଇଜଣ ବିଜେପି ନେତା ଥିଲେ । ଓଡ଼ିଶା ବିଷୟରେ ସେମାନଙ୍କ କଥାବାର୍ତ୍ତା ଚାଲିଥିଲା । ଅମିତ୍ ଙ୍କଠାରୁ ସେମାନେ ଜାଣିବାକୁ ଚାହୁଁଥିଲେ ଓଡ଼ିଶାରେ ମିଶନ୍ ୧୨୦ ପ୍ଲସ୍ କେମିତି ସମ୍ଭବ ? ସେମାନଙ୍କ ପ୍ରଶ୍ନ ଥିଲା, ଏଠି(ଓଡ଼ିଶା)ରେ ବିଜେପିର ୧୦ ବିଧାୟକ ଅଛନ୍ତି । ହେଇ ହେଇ ତାହା ୨୦ ହବ । ୧୨୦ କେମିତି ହେବ ? ଅମିତ୍ କିଛି ଜବାବ ଦେବା ପୂର୍ବରୁ ଦୁଇ ଝାଡ଼ଖଣ୍ଡୀ ନେତା ତାଙ୍କୁ ଅଟକାଇଦେଇଥିଲେ । କାରଣ ପାଖ ସିଟ୍ ରୁ ସେମାନଙ୍କ କଥା ସେ ଶୁଣୁଥିବା ବୋଧହୁଏ ଜାଣିଦେଲେ ବୋଲି ନରସିଂହ କହିଛନ୍ତି ।
ଓଡ଼ିଶାର କିଛି ଗଣମାଧ୍ୟମ ବିକ୍ରୀ ହୋଇଯାଇଛନ୍ତି କି ବୋଲି ପ୍ରଶ୍ନରେ ନରସିଂହ କହିଥଲେ.. ଟିକିଏ ? ୧୦୦ ପର୍ସେଣ୍ଟ । ମିଡ଼ିଆ ନିରପେକ୍ଷ ଖବର ପରିବେଷଣ କରୁନାହିଁ । ସେମାନେ ବିଭିନ୍ନ ଚାପର ବଶବର୍ତ୍ତୀ ହେଉଛନ୍ତି । ସେଥିପାଇଁ ବିଭିନ୍ନ କାରଣ ରହିଥିବା ନରସିଂହ କେତେକ ଉଦାହରଣ ଦେଇ କହିଥିଲେ । ଜାତୀୟସ୍ତରରେ ବି ଗଣମାଧ୍ୟମର ଅବସ୍ଥା ସେୟା । ଯିଏ ସରକାର ବିରୋଧରେ ସ୍ୱର ଉଠାଇଲା ତାକୁ ବିଦା କରାଯାଉଛି । ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି । ଓଡ଼ିଶାରେ କ’ଣ ଘଟୁଛି ତାହା ସମସ୍ତେ ଜାଣନ୍ତି ।
ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ବିଜେଡ଼ି ଓ କଂଗ୍ରେସ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତାରେ ସୀମିତ ରହିବ । ବିଜେପି ତୃତୀୟ ସ୍ଥାନରେ ରହିବ ବୋଲି ନରସିଂହ ଆକଳନ କରିଛନ୍ତି । ବିଜେପିର ୧୨୦ ଆସନ ସ୍ୱପ୍ନକୁ ସେ କୌଣସି ଦିଗରୁ ଗ୍ରହଣ କରିନାହାନ୍ତି । ଏମିତିକି ଦ୍ୱିତୀୟ ସ୍ଥାନରେ ରହିବେ ନାହିଁ ବୋଲି ତାଙ୍କର ଦମ୍ଭ । ସେ ଜ୍ୟୋତିଷ ନୁହେଁ ଯେ ଭବିଷ୍ୟବାଣୀ କରୁଛନ୍ତି । ମାତ୍ର ଗଣିତ ସେୟା ହିଁ କହୁଛି । ଓଡ଼ିଶାର ରାଜନୈତିକ ସ୍ଥିତିକୁ ନ ବୁଝି ଭାଷଣ ମାରିଲେ ହେବ ନାହିଁ । ବିଜେପି ସେମିତି ଭାଷଣ ଓ ପ୍ରଚାରରେ ମାତିଥିବା ନରସିଂହ କହିଛନ୍ତି ।