ଭୁୁବନେଶ୍ୱର: ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କୁ ଫେରାର୍ କରାଇବାରେ କୁଆଡେ ଗୋଲକ ମହାପାତ୍ର ଥିଲେ ମୁଖ୍ୟ(ଖଳ)ନାୟକ । ଏଇ ଗୋଲକ ମହାପାତ୍ର ହେଉଛନ୍ତି ବିଜେପିର ସେଇ ବରିଷ୍ଠ ନେତା । ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ୟାମ୍ପର୍ ମେନ୍ ଲୋକ । ପ୍ରଭାବଶାଳୀ ମୁଖପାତ୍ର । ତିନି ଦିନ ତଳେ ଭୁବନେଶ୍ୱରରେ ଏକ ପ୍ରେସ୍ ମିଟ୍ କରି ଗଂଜାମ ଏସପିଙ୍କୁ ବିଜେଡ଼ିର ଏଜେଣ୍ଟ ଆଖ୍ୟା ଦେଇଥିଲେ । ଆଗରୁ ବି ଏସପିଙ୍କୁ ଟାର୍ଗେଟ୍ କରି ପ୍ରେସମିଟ୍ କରିଥିଲେ । ତାଙ୍କର ରାଗ, ଏସପି ଆଶିଷ ସିଂ କାହିଁକି କୃଷ୍ଣଚନ୍ଦ୍ର ନାୟକ ଏବଂ ଦୁର୍ଯୋଧନ ରେଡ୍ଡିଙ୍କୁ ଲକ୍ଷ୍ମୀ ହତ୍ୟାର ଷଡ଼ଯନ୍ତ୍ରକାରୀ ଦର୍ଶାଉଛନ୍ତି । ଏସପି ବିଜେଡ଼ିର ଜିଲ୍ଲା ସଭାପତି ଭାବେ କାର୍ଯ୍ୟ କରୁଛନ୍ତି ବୋଲି ତାଙ୍କର ଅଭିଯୋଗ ଥିଲା । ଆଜି ସେହି ଗୋଲକ ମହାପାତ୍ରଙ୍କ ନାଁ ନେଇଛନ୍ତି ହତ୍ୟା ଷଡ଼ଯନ୍ତ୍ରକାରୀ ନିଜେ କୃଷ୍ଣ ଓ ଦୁର୍ଯୋଧନ । ହତ୍ୟାକାଣ୍ଡ ପରେ ଗୋଲକ ଭାଇନା ତାଙ୍କୁ ଫେରାର କରାଇଥିଲେ ବୋଲି ବୟାନ ଦେଇଛନ୍ତି ।
ଲକ୍ଷ୍ମୀ ହତ୍ୟାକାଣ୍ଡ ଘଟଣାରେ ଗୋଲକଙ୍କ ନାଁ ପଦାକୁ ଆସିଲା ପରେ ବିଜେପି ଶିବିରର ହୋସ୍ ଉଡ଼ିଯାଇଛି । ଷଡ଼ଯନ୍ତ୍ରର ଲମ୍ବା ହାତ ସିଧାସଳଖ ଉପରକୁ ଚାଲିଯାଇଛି । କୃଷ୍ଣ ଓ ଦୁର୍ଯୋଧନଙ୍କ କହିବାନୁଯାୟୀ, ଲକ୍ଷ୍ମୀ ମର୍ଡର ପରେ ପରେ ସେମାନେ ସିଧା କଟକ ପଳାଇ ଆସିଥିଲେ । ସେଠି ଦୁଇଦିନ ରହିଲେ । କଟକରୁ ସେମାନେ ଗୋଲକ ଭାଇନାଙ୍କ ସହ କଥା ହେଲେ । ଗୋଲକ ଭାଇନା କହିଲେ ମୁଁ ବ୍ୟବସ୍ଥା କରିଦେଉଛି । ସେଠୁଁ ସେମାନେ କୋଲକତା ପଳାଇଗଲେ । ୭/୮ ଦିନ ରହିବା ପରେ ଗୋଲକ ଭାଇନାଙ୍କୁ ଫୋନ୍ କଲେ । ଗୋଲକ ଭାଇନା ଚନ୍ଦୁ ନାମକ ଜଣେ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଦେଇ ତାଙ୍କ ସହ ଯୋଗାଯୋଗ କରିବାକୁ କହିଲେ । ଚନ୍ଦୁ ସହ କଥା ହେଲା ପରେ ସେମାନେ ସିଧା ଚାଲିଲେ ଉତ୍ତରାଖଣ୍ଡର ଡେରାଡୁନ୍ । ଡେରାଡୁନ୍ ଗେଷ୍ଟ ହାଉସ୍ ରୁମ୍ ନଂ ୨୦୪ ରେ ଯାଇ ରହିଲେ । ମଝିରେ ମଝିରେ ଗୋଲକ ଭାଇନାଙ୍କ ସହ ସେମାନେ କଥା ହେଉଥିଲେ । ‘ତମେ ବ୍ୟସ୍ତ ହୁଅନି, ଧୈର୍ଯ୍ୟ ଧର’ ବୋଲି ଭାଇନା ଆଶ୍ୱାସନା ଦେଉଥିଲେ ।
ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁର ଏନଏସି କାଉନସିଲର ଲକ୍ଷ୍ମୀଦତ୍ତଙ୍କୁ ତାଙ୍କ ଘରେ ବିଭତ୍ସ୍ୟ ଭାବେ ମର୍ଡର କରାଯାଇଥିଲା । ପୁଲିସ ଏହାର ଛାନଭିନ୍ କରି ୧୦ ଦିନ ପରେ ୧୫ ଜଣଙ୍କୁ ଗିରଫ କରିଥିଲା । ମାତ୍ର ପୁଲିସ ଆଖିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ ଫେରାର କୃଷ୍ଣ ଓ ଦୁର୍ଯୋଧନ । ଅଭିଯୁକ୍ତ କୃଷ୍ଣ ଓ ଦୁର୍ଯୋଧନ ହେଉଛନ୍ତି ୫ ମାସର ବିଜେପି ନେତା । ଗତ ମେ ୨୦ ତାରିଖରେ ଦୁହିଁଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଣି ବିଜେପିରେ ମିଶାଇଥିଲେ । ତାହାପୁଣି ଅମିତ୍ ଶାହାଙ୍କ ଉପସ୍ଥିତିରେ । ଦଳରେ ମିଶୁ ମିଶୁ କୃଷ୍ଣଙ୍କୁ ଗଂଜାମ ଜିଲ୍ଲାର ବିଜେପି ସମ୍ପାଦକ ପଦ ବି ଦିଆଯାଇଥିଲା । ଏବେ ବି ସିଏ ସେହି ପଦରେ ଅଛନ୍ତି ।
ହତ୍ୟାକାଣ୍ଡର ୪୦ ଦିନ ପରେ ଧରାପଡ଼ିଛନ୍ତି କୃଷ୍ଣ ଓ ଦୁର୍ଯୋଧନ । ସେମାନେ ଯେଉଁ ବୟାନ ଦେଇଛନ୍ତି ତାହାକୁ ବିଶ୍ୱାସ କଲେ ତାହା କେତେ ସାଂଘାତିକ ଜାଣିହେଉଛି । ପ୍ରଶ୍ନ ଉଠୁଛି, ସେମାନେ ଛତ୍ରପୁରରୁ ସିଧା କଟକ ଆସି କାହା ଘରେ ଆଶ୍ରୟ ନେଇଥିଲେ ? କୌଣସି ବିଜେପି ନେତା ତାଙ୍କୁ ଆଶ୍ରୟ ଦେଇ ନ ଥିଲେ ତ ? ତାଙ୍କୁ ସେଠାରୁ କୋଲକତା କିଏ ପଠାଇଲେ ? କ’ଣ ନିଜେ ସେଇ ଗୋଲକ ଭାଇନା ? ଡେରାଡୁନ୍ ପଠାଇବା ଓ ସେଠିକା ଗେଷ୍ଟ ହାଉସ୍ ରେ ରହିବାର ବ୍ୟବସ୍ଥା କରିଥିବା ସେଇ ଚନ୍ଦୁ କିଏ ? ଡେରାଡୁନ୍ କୁ ସୁରକ୍ଷିତ ଜାଗା ଭାବେ ସେମାନଙ୍କୁ ବାଟ କଢ଼ାଇ ନେବା ପଛର ରହସ୍ୟ କ’ଣ ? ପୁଲିସ ଏହାର ନିରପେକ୍ଷ ତଦନ୍ତ କରି ସାଂଘାତିକ ସତ୍ୟ ସାମନାକୁ ଆଣିବା ଦରକାର ।
ଲକ୍ଷ୍ମୀ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ଫେରାର ଘଟଣାରେ ଗୋଲକ ମହାପାତ୍ରଙ୍କ ସଂପୃକ୍ତି ଉପରେ ପୁଲିସଠାରୁ କୌଣସି ଠୋସ୍ ସୂଚନା ମିଳିନାହିଁ । ନିଜେ ଅଭିଯୁକ୍ତ ତାଙ୍କ ନାଁ ନେଇଛନ୍ତି । ତେଣୁ ପୁଲିସ ତଦନ୍ତକୁ ନେଇ ରାଜନୈତିକ ମହଲର ଉତ୍କଣ୍ଠା ବଢ଼ିଯାଇଛି । ସେପଟେ ଗୋଲକ ମହାପାତ୍ରଙ୍କଠାରୁ ଏ ସମ୍ପର୍କରେ ପ୍ରତିକ୍ରିୟା ମିଳିପାରିନାହିଁ । ତାଙ୍କ ପାଇଁ ସଜ୍ଜନ ଶର୍ମା ଓକିଲାତି କରିବାକୁ ଚେଷ୍ଟା କରିଛନ୍ତି । ହେଲେ ପାଟି ତାଙ୍କର ଖନି ମାରିଛି ।