ଭୁବନେଶ୍ୱର: ତାଙ୍କ ବିରୋଧରେ ଆସିଥିବା ସଙ୍ଗୀନ ଅଭିଯୋଗ ଉପରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ମୁହଁ ଖୋଲିଛନ୍ତି । ତାଙ୍କୁ ଫସାଇବାକୁ ଷଡ଼ଯନ୍ତ୍ର ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସଫେଇ ଦେଇଛନ୍ତି । ତେବେ ଫେରାର ଅଭିଯୁକ୍ତ କୃଷ୍ଣ ନାୟକଙ୍କ ସହ ଫୋନ୍ ରେ କଥାବାର୍ତ୍ତା ହୋଇଥିବା କଥାକୁ ସେ ଅସ୍ୱୀକାର କରିପାରିନାହାନ୍ତି । ଅବଶ୍ୟ ହଁ ନ କହି ଫାଙ୍କି ଦେଇଛନ୍ତି । କହିଛନ୍ତି, ଗଞ୍ଜାମ ଜିଲ୍ଲା ପ୍ରଭାରୀ ଭାବେ ମତେ ବହୁ ଲୋକ ଫୋନ୍ କରନ୍ତି । କିଏ କେତେବେଳେ ଫୋନ୍ କରନ୍ତି, ମୁଁ ଜାଣିନି । ଏହି ଘଟଣାରେ ମୋର ସଂପୃକ୍ତି ନାହିଁ କି ମୁଁ ଫେରାର କରାଇବାରେ ସାହାଯ୍ୟ କରିନି । ତଦନ୍ତର ସାମ୍ନା ପାଇଁ ପ୍ରସ୍ତୁତ ବୋଲି ଗୋଲକ କହିଛନ୍ତି । ଗଂଜାମ ଏସପି ଆଶିଷ ସିଂଙ୍କ ଉପରେ ଟାର୍ଗେଟ୍ ରୁ ସେ ହଟିନାହାନ୍ତି । ଆଇନ ଉଲ୍ଲଂଘନ କରି ପୁଲିସ କେମିତି ଭିଡ଼ିଓ ଜାରି କଲା ତାହା ଉପରେ ଆପତ୍ତି ଉଠାଇଛନ୍ତି ।
ଗୋଲକଙ୍କ ସ୍ପଷ୍ଟୀକରଣ ଯାହା ହଉନା କାହିଁକି ଫେରାର କୃଷ୍ଣ ସହ ଟେଲିଫୋନ୍ ରେ ସମ୍ପର୍କ ରଖିଥିବା ଅଭିଯୋଗକୁ ସେ ଛାତିଟାଣ କରି ଏଡାଇପାରିନାହାନ୍ତି । ତେବେ କୃଷ୍ଣ ଓ ଦୁର୍ଯୋଧନକୁ କଟକରୁ କୋଲକତା ଫେରାର କରିବା, ଚନ୍ଦୁ ସମ୍ପର୍କକୁ ଆଣିବା, ଡେରାଡୁନ୍ ଗେଷ୍ଟ ହାଉସ୍ ରେ ରଖିବା ପଛରେ ଗୋଲକଙ୍କ ଭୂମିକା ଥିଲା ନା ନାଇଁ ତାହା ଏବେ ତଦନ୍ତସାପେକ୍ଷ । ହେଲେ କିଏ ସେହି ଚନ୍ଦୁ ? କୃଷ୍ଣଙ୍କ କଥା ସତ ହୋଇଥିଲେ ଚନ୍ଦୁ ସହ ସେମାନଙ୍କୁ ଗୋଲକ ହିଁ ଯୋଗାଯୋଗ କରାଇଥିଲେ । ଗୋଲକଙ୍କ ପରାମର୍ଶକ୍ରମେ କୋଲକତାରୁ ସେମାନଙ୍କୁ ଡେରାଡୁନ୍ ନେବାରେ ଚନ୍ଦୁ ସହଯୋଗ କରିଥିଲେ ।
ଜଣାପଡ଼ିଛି, ଡେରାଡୁନ୍ ରେ ଯେଉଁ ଗେଷ୍ଟ ହାଉସ୍ ରେ ସେମାନେ ରହିଥିଲେ ତାହା ଏକ ସରକାରୀ ଭିଆଇପି ଗେଷ୍ଟ ହାଉସ୍ । ସେଠାକାର ସରକାରୀ ସହଯୋଗ ବିନା ରାଜ୍ୟ ବାହାରର ଫେରାର ମୋଷ୍ଟ ୱାଣ୍ଟେଡ଼୍ ସେଠାକୁ ଯାଇ ଆଶ୍ରୟ ନେବା ସମ୍ଭବ ନୁହେଁ । ମାତ୍ର କେମିତି ଏହା ସମ୍ଭବ ହେଲା ? ଚନ୍ଦୁ କିଏ ଓ ଉତ୍ତରାଖଣ୍ଡ ସରକାରଙ୍କ ପାଖରେ ତାର କାଟତି ଆସିଲା କେଉଁଠୁ ? ଦିଲ୍ଲୀ, ମୁମ୍ବାଇ କି କୋଲକତା ଭଳି ସହରକୁ ସୁରକ୍ଷିତ ନମଣି ଉତ୍ତରାଖଣ୍ଡ ଆଡକୁ କୃଷ୍ଣ ଓ ଦୁର୍ଯୋଧନଙ୍କୁ ମୁହାଁଯିବା ପଛର ରହସ୍ୟ କ’ଣ ? କାହାର ଆର୍ଶିବାଦ ବଳରେ ଡେରାଡୁନ୍ ଗେଷ୍ଟ ହାଉସ୍ ସେମାନଙ୍କ ପାଇଁ ନିର୍ଭୟଜାଗା ପାଲଟିଲା ? ଓଡ଼ିଶା ବିଜେପିର ଦୁଇଜଣ ଅଭିଯୁକ୍ତ ଆସାମୀ ପ୍ରତି ଉତ୍ତରାଖଣ୍ଡର ଆଶ୍ରୟଦାତାଙ୍କର ଏତେ ଦରଦ କାହିଁକି ?







