ଭୁବନେଶ୍ୱର: ଆମ ରାଜ୍ୟ ପାଇଁ ଖୁସି ଖବର । ଗୁରୁତର କରୋନା ରୋଗୀଙ୍କ କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି ଚିକିତ୍ସା । ପ୍ରଥମ ପର୍ଯ୍ୟାୟରେ ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଯାଉଥିବା ବେଳେ ଆଉ ଦୁଇ ଜଣଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଖୁବ୍ ଶୀଘ୍ର ସେମାନେ ବିପଦମୁକ୍ତ ହେବାର ଆଶା ଅଛି ।
ଗତ ୧୬ ତାରିଖରୁ ଭୁବନେଶ୍ୱରର ସମ୍ କୋଭିଡ୍ ହସ୍ପିଟାଲ୍ ରେ ୪ ଜଣ ଗୁରୁତର ରୋଗୀ ଏବଂ କଟକର ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ୨ ଜଣ ଗୁରୁତର ରୋଗୀଙ୍କୁ ପ୍ଲାଜମା ଥେରାପି ଚିକିତ୍ସା କରାଯାଇଥିଲା । ୪ ଜଣ ପ୍ଲାଜମା ଦାତାଙ୍କଠାରୁ ସଂଗୃହୀତ ୮ ୟୁନିଟ୍ ପ୍ଲାଜମାରୁ ୬ ୟୁନିଟ୍ ପ୍ଲାଜମାରେ ଏମାନଙ୍କର ଚିକିତ୍ସା କରାଯାଇଥିଲା । ମାତ୍ର ତିନି ଦିନ ମଧ୍ୟରେ ଏହାର ସୁଫଳ ମିଳିଛି ।
ଗୁରୁତର ଅବସ୍ଥାରେ ଥିବା ସଂପୃକ୍ତ ୪ ରୋଗୀଙ୍କୁ ଆଉ ଅକ୍ସିଜେନ୍ ସହାୟତାର ଆବଶ୍ୟକତା ନାହିଁ । ସେମାନେ ସୁସ୍ଥ ହେଉଛନ୍ତି ଏବଂ ଖୁବ୍ ଶୀଘ୍ର ଘରକୁ ଫେରିବେ । ଅନ୍ୟ ଦୁଇ ରୋଗୀ ଅକ୍ସିଜେନ୍ ସହାୟତାରେ ଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ବିପଦମୁକ୍ତ ହୋଇଯିବେ ବୋଲି ଆଶା କରାଯାଉଛି ।
ଉଲ୍ଲେଖଥାଉକି, ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କଠାରୁ ସଂଗୃହୀତ ପ୍ଲାଜମା ଗୁରୁତର କରୋନା ରୋଗୀଙ୍କଠାରେ ପ୍ରୟୋଗ କରାଯିବା ହିଁ ପ୍ଲାଜମା ଚିକିତ୍ସା । ଡାକ୍ତରୀ ଅର୍ଥରେ, ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ରକ୍ତ (ପ୍ଲାଜମା)ରେ ଏକ ପ୍ରୋଟେକ୍ଟିଭ୍ ଆଣ୍ଟିବଡି ତିଆରି ହୋଇଥାଏ । ଏହି ଆଣ୍ଟିବଡିକୁ ଗୁରୁତର କରୋନା ରୋଗୀଙ୍କଠାରେ ପ୍ରୟୋଗ କରାଗଲେ ସେ ସୁସ୍ଥ ହୋଇପାରିବେ । ତେବେ ସବୁ ସୁସ୍ଥ ରୋଗୀଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯାଇପାରିବନି କି ସବୁ ଗୁରୁତର ରୋଗୀଙ୍କଠାରେ ଏହାର ପ୍ରୟୋଗ କରାଯାଇପାରିବ ନାହିଁ । ଶରୀରର ଅବସ୍ଥାକୁ ଦେଖି ଡାକ୍ତରମାନେ ଏହା ସ୍ଥିର କରିବେ ।
ତେବେ ପ୍ଲାଜମା ଦାନରେ କୌଣସି ସମସ୍ୟା ନାହିଁ ବୋଲି ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି । ସମ୍ପୂର୍ଣ୍ଣ ସୁସ୍ଥ ହେବାର ୧୪ ଦିନ ପରେ ଜଣେ କରୋନା ରୋଗୀ ଏକାଧିକ ଥର ପ୍ଲାଜମା ଦେଇପାରିବେ । ରକ୍ତଦାନ ଭଳି ପ୍ଲାଜମା ଦାନ ଏକ ସାଧାରଣ ପ୍ରକ୍ରିୟା । ଜଣେ ବ୍ୟକ୍ତିର ପ୍ଲାଜମାରେ ଦୁଇ ଜଣ ଗୁରୁତର ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ । ପ୍ଲାଜମା ଥେରାପି ଚିକିତ୍ସାରେ ସଫଳତା ହାର ୧୦୦% ନ ହେଲେ ମଧ୍ୟ ୮୦ରୁ ୯୦% ବୋଲି ଦାବି କରାଯାଉଛି ।
ଦିଲ୍ଲୀ ଓ ମହାରାଷ୍ଟ୍ର ପରେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ପ୍ଲାଜମା ଥେରାପି ଚିକିତ୍ସାକୁ ଗ୍ରହଣ କରିଛି । ଜୁଲାଇ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବିରେ କୋଭିଡ୍ ପ୍ଲାଜମା ବ୍ୟାଙ୍କର ଉଦଘାଟନ କରିବା ସହ ମାଗଣାରେ ପ୍ଲାଜମା ଥେରାପି ଚିକିତ୍ସା ସୁବିଧା ଦେବାକୁ ଘୋଷଣା କରିଥିଲେ ।
ପ୍ଲାଜମା ଥେରାପି ପାଇଁ ଏସସିବି ମେଡ଼ିକାଲ୍ କଲେଜ ଏକ ନୋଡାଲ୍ ଏଜେନ୍ସୀ ଭାବରେ କାର୍ଯ୍ୟ କରୁଥିବା ବେଳେ ଭୁବନେଶ୍ୱରର ସମ୍ ଓ କିମସ୍ ହସ୍ପିଟାଲ୍ ଏବଂ କଟକର ଅଶ୍ୱିନୀ ହସ୍ପିଟାଲ୍ ରେ ପ୍ଲାଜମା ଥେରାପି ଚିକିତ୍ସା ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମେ ଏହାକୁ ଅନ୍ୟ ଜାଗାରେ ଉପଲବ୍ଧ କରିବାକୁ ଯୋଜନା ହୋଇଛି ।