ଭୁୁବନେଶ୍ୱର: ରାଜ୍ୟର ପ୍ରଥମ କରୋନା ମୃତ୍ୟୁ ସାମନାକୁ ଆସିଛି । କୋଭିଡ୍ ପଜିଟିଭ୍ ଥିବା ଝାରପଡ଼ାର ଜଣେ ୭୨ ବର୍ଷ ବୟସ୍କ ବୃଦ୍ଧଙ୍କର ଗତକାଲି ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଛି । ଶ୍ୱାସକ୍ରିୟାରେ ସମସ୍ୟା କାରଣରୁ ଗତ ୪ ତାରିଖରେ ତାଙ୍କୁ ଏମସ୍ ରେ ଭର୍ତ୍ତି କରାଯାଇଥିଲା । କ୍ରୋନିକ୍ ହାଇପରଟେନସନ୍ ଭଳି ପୁରୁଣା ରୋଗରେ ବି ସେ ପୀଡ଼ିତ ଥିବା କୁହାଯାଇଛି ।
ତେବେ ସଂପୃକ୍ତ ବ୍ୟକ୍ତିଙ୍କର କୋଭିଡ୍ ପଜିଟିଭ୍ କେବେ ବାହାରିଥିଲା ତାହା ସ୍ପଷ୍ଟ ହେଉନାହିଁ । କାରଣ ଗଣମାଧ୍ୟମକୁ ଦିଆଯାଇଥିବା ସ୍ୱାସ୍ଥ୍ୟ ବିଭାଗର କରୋନା ପଜିଟିଭ୍ ତାଲିକାରେ ମୃତ ବ୍ୟକ୍ତିଙ୍କ ନାଁ ନ ଥିଲା । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଆଜି ସକାଳ ପର୍ଯ୍ୟନ୍ତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥିଲା ୪୦ । ଯେଉଁଥିରେ ଝାରପଡ଼ା ଅଞ୍ଚଳର କୌଣସି ବ୍ୟକ୍ତି ନ ଥିଲେ । ମାତ୍ର ଏହି ମୃତ ବ୍ୟକ୍ତିଜଣଙ୍କ କୋଭିଡ୍ ପଜିଟିଭ୍ ବୋଲି ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରିଥିବାରୁ ସାଧାରଣରେ ଦ୍ୱନ୍ଦ ସୃଷ୍ଟି ହୋଇଛି ।
ସଂପୃକ୍ତ ବ୍ୟକ୍ତିଙ୍କ କୋଭିଡ୍ ରିପୋର୍ଟ ଏମସ୍ ପାଖରେ ବି ନାହିଁ । ଏମସ୍ ଅଧୀକ୍ଷକ ଜବାହାର ପିଲେ କହିଛନ୍ତି, ଭୁବନେଶ୍ୱର ଆରଏମଆରସିକୁ ରୋଗୀଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ମାତ୍ର ଆମ ପାଖରେ ରିପୋର୍ଟ ପହଞ୍ଚିନାହିଁ । ଆମେ ଆଇସୋଲେସନ୍ ୱାର୍ଡରେ ରଖି ତାଙ୍କର ଚିକିତ୍ସା କରୁଥିଲୁ ବୋଲି ସେ ସଫେଇ ଦେଇଛନ୍ତି ।
ହୁଏତ ଏହି ବ୍ୟକ୍ତିଙ୍କର ନମୁନା ରିପୋର୍ଟ ଆସି ସାରିଥିଲା ଏବଂ ତାହାକୁ ଭଲ ଭାବେ ଯାଞ୍ଚ କରି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ ଅପେକ୍ଷାରେ ଥିଲା । ମାତ୍ର ଏହି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ହୋଇ ଥାଇପାରେ ।
ଅନ୍ୟପକ୍ଷରେ ରାଜ୍ୟର ୪୨ ନମ୍ବର କରୋନା ଆକ୍ରାନ୍ତ ଭାବେ ଭୁବନେଶ୍ୱରର ଆଉ ଜଣଙ୍କୁ ଚିହ୍ନଟ କରାଯାଇଛି । ୪୫ ବର୍ଷର ଏହି ଯୁବକଙ୍କ ଘର ମଧୁସୂଦନ ନଗରରେ । ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ ନାହିଁ । ତେବେ ଆଜିର ଏହି ନୂଆ କେସ୍ କୁ ମିଶାଇଲେ କେବଳ ଭୁବନେଶ୍ୱରରୁ ୩୪ ଜଣ କରୋନାରେ ଆକ୍ରାନ୍ତ ହେଲେଣି ।