କୋରାପୁଟ: ଆନ୍ଧ୍ରପ୍ରଦେଶର କାକିନଡ଼ାର ଏକ ରାଇସ୍ ମିଲ୍ ରେ କାମ କରିବାକୁ ଗତ ମାର୍ଚ୍ଚ ୧୩ ତାରିଖ ଦିନ ତଳେ ଗାଁ ଛାଡ଼ିଥିଲେ କୋରାପୁଟ ଜିଲ୍ଲା ଗଗରାଜପୁର ସିସାଗୁଡ଼ାର ୨୪ ବର୍ଷର ଯୁବକ ଜଗଲୁ ରୁଆ । ଦିନକୁ ୬୦୦ ଟଙ୍କା ମଜୁରିରେ କାମ ପାଇଥିଲେ । ହେଲେ କାମ କରିବାର ସପ୍ତାହେ ନ ପୂରୁଣୁ କରୋନା ଲକ୍ ଡାଉନ୍ ଘୋଷଣା ହୋଇଗଲା । ସେଠି ହାତବାନ୍ଧି ବସିବା ଛଡ଼ା ଅନ୍ୟ ଉପାୟ ନ ଥିଲା । ଏହି ସମୟକୁ ଗତ ୨୮ ତାରିଖ(ଶନିବାର) ସଂଧ୍ୟାରେ ହଠାତ୍ ଗାଁରୁ ଆସିଥିଲା ବାପାଙ୍କ ମୃତ୍ୟୁ ଖବର । ବଡ଼ଭାଇ ଫୋନ୍ କରି ଜଲଦି ଗାଁକୁ ଆସିବାକୁ କହିଲେ । ଗାଁଠାରୁ ୩୦୦ କିମି ଦୂରରେ ଥିବା ଜଗଲୁ କ’ଣ କରିବ ବୁଦ୍ଧିବାଟ ଦିଶିଲାନି ।
ଗାଁ ଫେରିବାକୁ ବ୍ୟାକୁଳ ହୋଇ ବସ୍ ଖୋଜି ବୁଲିଲେ । ପୁଲିସ ପାଖକୁ ଯାଇ କାକୁତି ମିନତୀ ହେଲେ । ହେଲେ କିଛି ବି ହେଲାନି । ନିରୁପାୟ ଜଗଲୁ କାନ୍ଦି କାନ୍ଦି ଗଡ଼ିଲେ । ଶେଷଥର ପାଇଁ ବାପାଙ୍କୁ ଟିକେ ଦେଖିବା ପାଇଁ ବିକଳ ହେଉଥିଲେ । ଜଗଲୁର ଏଭଳି ଅବସ୍ଥା ଦେଖି ଏକାଠି କାମ କରୁଥିବା ସାଙ୍ଗମାନେ ସାହାଯ୍ୟ ପାଇଁ ଆଗେଇ ଆସିଲେ । ଗାଁକୁ ଚାଲି ଚାଲି ଯିବା ପାଇଁ ଜଗଲୁର ବ୍ୟାକୁଳତାକୁ ବୁଝି ସାଙ୍ଗରେ ବାହାରିଲେ । କାମ କରୁଥିବା ମିଲ୍ ର ମାଲିକ ମଧ୍ୟ ଜଗୁଲ୍ ବାପାଙ୍କ ମୃତ୍ୟୁ ଖବର ଶୁଣି ତାର ୭ ଦିନର ମଜୁରୀ ସାଙ୍ଗରେ ଆଉ ଦୁଇ ହଜାର ଟଙ୍କା ହାତକୁ ଦେଲେ ।







