ଭୁବନେଶ୍ୱର: ସନ୍ଦିଗ୍ଧ କରୋନା ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ଼ ଉଦ୍ୟମ ହୋଇଛି । କୋଭିଡ୍-୧୯ ଟେଲିମେଡ଼ିସିନ୍ ନାମରେ ଏକ ହେଲପଲାଇନ୍ ର ଶୁଭାରମ୍ଭ କରାଯାଇଛି । ଏହି ହେଲପଲାଇନ୍ ନଂ ହେଉଛି 14410 । ଏହାକୁ ସମ୍ପୂର୍ଣ୍ଣ ଭାବେ ମାଗଣା କରାଯାଇଛି । ଯେଉଁମାନେ କଫ, ଜ୍ୱର, କ୍ଲାନ୍ତ କିମ୍ବା ଶ୍ୱାସ ପ୍ରଶ୍ୱାସରେ ସମସ୍ୟା ଅନୁଭବ କରୁଛନ୍ତି, ସେମାନେ ଏହି ହେଲପଲାଇନ୍ ରେ ଯୋଗାଯୋଗ କରିପାରିବେ ।
ରାଜ୍ୟ ସରକାରଙ୍କ ଏହି ଉଦ୍ୟମରେ ଡାକ୍ତରମାନଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ତଥା ରାଜ୍ୟ ବାହାରର ଡାକ୍ତରମାନେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ଆଗ୍ରହୀ ଡାକ୍ତରୀମାନେ ସେମାନଙ୍କ ନାଁ ପଂଜୀକୃତ କରି ଜନସାଧାରଣଙ୍କୁ ମାଗଣାରେ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।
କୋଭିଡ୍-୧୯ ମହାମାରୀ ମୁକାବିଲାରେ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ଲୋକଙ୍କୁ ମାଗଣା ସେବା ଯୋଗାଇଦେବାକୁ ଚାହୁଁଥିବା ଡାକ୍ତରମାନେ www.bit.Iy/IndiaTeleMed. ରେ ସେମାନଙ୍କର ରେଜିଷ୍ଟ୍ରେସନ୍ କରିପାରିବେ । ଏହି ଘଡ଼ିସନ୍ଧି ମୁହୁର୍ତ୍ତରେ ଡାକ୍ତରମାନଙ୍କ ସେବା ପାଇଁ ରାଜ୍ୟ ସେମାନଙ୍କ ପାଖରେ କୃତଜ୍ଞ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।