ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହୋଇଛି । ତିନିଟି ଆସନରୁ ରାଜ୍ୟସଭାକୁ ଯିବେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଡ. ଅଚ୍ୟୁତ ସାମନ୍ତ । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରେ ଆଜି ଅପରାହ୍ନରେ ଏହି ନାଁ ଘୋଷଣା କରିଛନ୍ତି । ବିଧାନସଭାରେ ଦଳର ପର୍ଯ୍ୟାପ୍ତ ସଂଖ୍ୟା ଦୃଷ୍ଟିରୁ ବିଜେଡ଼ି ପ୍ରାର୍ଥୀଙ୍କୁ ନିର୍ବାଚନର ସାମନା କରିବାକୁ ପଡ଼ିବ ନାହିଁ । ବିଧିବଦ୍ଧ ଭାବେ ସେମାନଙ୍କୁ କେବଳ ନିର୍ବାଚିତ ଘୋଷଣା କରାଯିବ । ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲୀପ ତିର୍କୀ ଏବଂ ଏ.ଭି.ସ୍ୱାମୀଙ୍କ ଜାଗାରେ ଏମାନେ ଯିବେ ରାଜ୍ୟସଭା ।
କେବଳ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟସଭା ପଠାଯିବ ବୋଲି କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଦଳରେ ଅବହେଳିତ ହୋଇ ରହିଥିବା ବହୁ ନେତା ଆଶାୟୀ ହୋଇପଡ଼ିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଚକମା ଦେଇଛନ୍ତି । ବିଶେଷକରି ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସକାଳେ ବିଜେଡ଼ିକୁ ଆଣି ଅପରାହ୍ନରେ ରାଜ୍ୟସଭା ମୁକୁଟ ପିନ୍ଧାଇବା ସମସ୍ତଙ୍କୁ ଚକିତ କରିଛି । ସେହିଭଳି ‘କିଟ୍’ ଓ ‘କିସ୍’ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ବିଜେଡ଼ିକୁ ଆଣି ରାଜ୍ୟସଭା ମୁକୁଟ ପିନ୍ଧାଇଛନ୍ତି ନବୀନ । ଦଳର ଏକମାତ୍ର ପୁରୁଖା ନେତା ଭାବେ ପ୍ରଶାନ୍ତ ନନ୍ଦ ଯାଇଛନ୍ତି ରାଜ୍ୟସଭା ।
ସୂଚନାଯୋଗ୍ୟ, ସୌମ୍ୟରଂଜନ ପଟ୍ଟନାୟକ,ଡ. ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦ ରାଜ୍ୟସଭା ଯିବେ ବୋଲି ପ୍ରଥମେ ‘ମିଡ଼ ଡ଼େ ଓଡ଼ିଶା’ ଖବର ପ୍ରକାଶ କରିଥିଲା ।