ଭୁବନେଶ୍ୱର: ରାଜ୍ୟସଭା ପାଇଁ ବିଜେଡ଼ି ତିନି ପ୍ରାର୍ଥୀଙ୍କ ନାମ ଚୂଡ଼ାନ୍ତ କରିଛି । ଅପରାହ୍ନ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ନାଁ ଘୋଷଣା କରିବେ । ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟସଭାର ଏହି ତିନି ପ୍ରାର୍ଥୀ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ ଏବଂ ପ୍ରଶାନ୍ତ ନନ୍ଦ । ଆଜି ସକାଳେ ସୌମ୍ୟରଂଜନ ଏବଂ ଅଚ୍ୟୁତ ବିଜେଡ଼ିରେ ଯୋଗଦେଲା ପରେ ସେମାନଙ୍କ ପ୍ରାର୍ଥୀତ୍ୱ ଏକରକମ ସ୍ପଷ୍ଟ ହୋଇଥିଲା । ତେବେ ତୃତୀୟ ପ୍ରାର୍ଥୀ ଜଣଙ୍କ କିଏ ସେ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଏବେ ବି ଜାରି ରହିଛି । ତେବେ ଏହି ତୃତୀୟ ପ୍ରାର୍ଥୀଜଣଙ୍କ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।
ସୂଚନାଯୋଗ୍ୟ, ବିଜେଡ଼ିରୁ ରାଜ୍ୟସଭା ପାଇଁ ସୌମ୍ୟ ଏବଂ ଅଚ୍ୟୁତଙ୍କ ନାଁ ଆକସ୍ମିକ ହୋଇଥିଲା ବେଳେ ପ୍ରଶାନ୍ତ ନନ୍ଦଙ୍କ ନାଁ ପୂର୍ବରୁ ଚର୍ଚ୍ଚା ହେଉଥିଲା । ତାଙ୍କୁ ରାଜ୍ୟସଭାରେ ଥଇଥାନ କରିବାକୁ ମୁଖ୍ୟମନ୍ତ୍ରୀ କୁଆଡ଼େ ପ୍ରତିଶ୍ରୁତି ଦେଇଥିଲେ । ତେବେ ଅତୀତରେ ଦୁର୍ନୀତି ଛାପରେ ସେ ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ହୋଇଥିବାରୁ ତାଙ୍କର ରାଜ୍ୟସଭା ପ୍ରାର୍ଥୀତ୍ୱକୁ ନେଇ ସନ୍ଦେହ ଥିଲା । ମାତ୍ର ସେହି ସନ୍ଦେହ ଦୂର ହେବାକୁ ଯାଉଛି ଏବଂ ପ୍ରଶାନ୍ତ ନନ୍ଦ ହିଁ ରାଜ୍ୟସଭାର ଅନ୍ୟତମ ପ୍ରାର୍ଥୀ ବୋଲି ସୂଚନା ମିଳିଛି ।