ଭୁବନେଶ୍ୱର: କ୍ରମାଗତ ଅଷ୍ଟମ ଥର ପାଇଁ ବିଜୁ ଜନତା ଦଳର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ । ବିଜେଡ଼ିର ଏହି ଅପ୍ରତିଦ୍ୱନ୍ଦୀ ନେତାଙ୍କୁ ଆଜି ଔପଚାରିକ ଭାବେ ସଭାପତି ଘୋଷଣା କରାଯାଇଛି । ୧୯୯୭ ଡିସେମ୍ବର ୨୬ ତାରିଖରେ ବିଜେଡ଼ି ଗଠନ ହେବା ଦିନଠାରୁ ନବୀନ ହିଁ ଦଳର ସର୍ବମାନ୍ୟ ନେତା ହୋଇ ରହିଛନ୍ତି । କ୍ରମାଗତ ଭାବେ ୨୦ ବର୍ଷ ଧରି ଉଭୟ ଦଳ ଓ ରାଜ୍ୟର ନେତୃତ୍ୱ ନେବାରେ ନବୀନ ଦେଶରେ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି । ରେକର୍ଡ ପରେ ରେକର୍ଡର ଅଧିକାରୀ ହୋଇଛନ୍ତି ସେ ।
ଗତ ୨୩ ତାରିଖରେ ସଭାପତି ପ୍ରାର୍ଥୀ ଭାବେ ଏକା ନାମାଙ୍କନପତ୍ର ଦାଖଲ କରିଥିଲେ ନବୀନ ପଟ୍ଟନାୟକ । ଆଜି ଦଳର ରାଜ୍ୟ ପରିଷଦ ବୈଠକରେ ତାଙ୍କୁ ଅପ୍ରତିଦ୍ୱନ୍ଦୀ ସଭାପତି ଘୋଷଣା କରିଥିଲେ ଦଳର ରିଟର୍ଣ୍ଣିଂ ଅଫିସର ପ୍ରତାପ କେଶରୀ ଦେବ । ଅଷ୍ଟମ ଥର ପାଇଁ ନବୀନଙ୍କର ନେତୃତ୍ୱଭାରକୁ ସେଠାରେ ଉଚ୍ଛସ୍ୱିତ ସ୍ୱାଗତ କରାଯାଇଥିଲା । ଦଳର ସବୁ ବର୍ଗର ନେତା ଓ କର୍ମୀମାନେ ତାଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ ।
ପୁଣି ଥରେ ତାଙ୍କୁ ଦଳର ସଭାପତି ଘୋଷଣା ବେଳେ ବେଶ୍ ଭାବବିହ୍ୱଳ ଥିଲେ ନବୀନ । ପ୍ରଥମ ପ୍ରତିକ୍ରିୟାରେ କହିଥିଲେ, ମୋର ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନମସ୍କାର ଓ ଧନ୍ୟବାଦ । ଲକ୍ଷ ଲକ୍ଷ ବିଜୁ ଜନତା ଦଳର ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର ଓ ଧନ୍ୟବାଦ । ଓଡ଼ିଶାବାସୀଙ୍କ ଅକୁଣ୍ଠ ସମର୍ଥନ ପାଇଁ ସମସ୍ତଙ୍କ ପାଖରେ ଋଣୀ । ସେବା ତାଙ୍କ ଦଳର ମୂଳମନ୍ତ୍ର ଏବଂ ଏହା ହିଁ ସଫଳତାର ଚାବିକାଠି ବୋଲି ସୂଚାଇବାକୁ ଯାଇ ନବୀନ କହିଥିଲେ, ନିର୍ବାଚନରେ ଜିତିବା ପାଇଁ ବିଜେଡ଼ି ଲଢ଼େନାହିଁ । ଲୋକଙ୍କ ସ୍ନେହ ଓ ଭଲ ପାଇବା ପାଇଁ ବିଜେଡ଼ି ଲଢ଼େ । ଲୋକଙ୍କ ସେବା ଓ ହୃଦୟ ଜିତିବାକୁ ଲଢ଼େ । ଓଡ଼ିଶାବାସୀଙ୍କ ସେବା ହିଁ ଦଳର ଏକମାତ୍ର ଲକ୍ଷ୍ୟ । ବାପା ବିଜୁବାବୁଙ୍କୁ ସ୍ମରଣ କରି ନବୀନ କହିଥିଲେ, ବିଜୁବାବୁ କହୁଥିଲେ ନିର୍ବାଚନରେ ସବୁବେଳେ ଜିତିବ ବୋଲି ଭାବନି । ବରଂ ସର୍ବଦା ଲୋକଙ୍କ ସେବା କର ।
ରାଜ୍ୟ ପରିଷଦ ବୈଠକରେ ଉପସ୍ଥିତ ଥିବା ୩୫୫ ଜଣ ସଦସ୍ୟଙ୍କ ମଧ୍ୟରୁ ରାଜ୍ୟ କାର୍ଯ୍ୟକାରିଣୀକୁ ନିର୍ବାଚିତ ହୋଇଥିବା ୮୦ ଜଣଙ୍କ ନାଁ ଘୋଷଣା କରିଥିଲେ ରିଟର୍ଣ୍ଣଂ ଅଫିସର ଶ୍ରୀ ଦେବ । ୩୩ଟି ସାଂଗଠନିକ ଜିଲ୍ଲାର ସଭାପତିଙ୍କ ନାଁ ମଧ୍ୟ ଘୋଷଣା କରାଯାଇଥିଲା । ଏଥିସହ ଦୀର୍ଘ ଦୁଇମାସ ଧରି ବିଜେଡ଼ିର ସାଂଗଠନିକ ନିର୍ବାଚନ ପର୍ବ ଶେଷ ହୋଇଛି ।