ନୂଆଦିଲ୍ଲୀ: ରେପିଷ୍ଟ୍ ବାବା ରାମରହିମ୍ ଙ୍କୁ ୧୦ ବର୍ଷ ଜେଲଦଣ୍ଡ ହୋଇଛି । ବହୁ ପ୍ରତୀକ୍ଷିତ ଏହି ଦଣ୍ଡ ଘୋଷଣା କରିଛନ୍ତି ସିବିଆଇ ସ୍ୱତନ୍ତ୍ର ଜଜ୍ ଜଗଦୀପ ସିଂ । ରୋହତକ ଜେଲ୍ ରେ ବସିଥିବା ଅସ୍ଥାୟୀ ଅଦାଲତରେ ବିଚାରପତି ଏହି ଦଣ୍ଡ ଘୋଷଣା କରିଛନ୍ତି । ଦୁଇପକ୍ଷର ଯୁକ୍ତି ଶୁଣିବା ପରେ ଆଜି ଅପରାହ୍ନ ପ୍ରାୟ ସାଢ଼େ ତିନିଟା ବେଳେ ବିଚାରପତି ତାଙ୍କ ରାୟ ଘୋଷଣା କରିଥିଲେ । ରେପିଷ୍ଟ୍ ବାବାଙ୍କୁ ଦଣ୍ଡ ଘୋଷଣା ପରିପ୍ରେକ୍ଷୀରେ ରୋହତକ ଓ ଶୀର୍ଷା ସହରକୁ ପୁଲିସ ଛାଉଣି କରାଯାଇଥିଲା । କୌଣସି ଜାଗାରେ ଯେଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ସେଥିପାଇଁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଥିଲା ।
କ’ଣ ଥିଲା କୋର୍ଟ ରୁମ୍ ର ଘଟଣା..
ସିବିଆଇ ଅସ୍ଥାୟୀ ଅଦାଲତରେ ରାୟ ଶୁଣାଇବାକୁ ବିଚାରପତି ପଞ୍ଚକୁଲାରୁ ସ୍ୱତନ୍ତ୍ର ହେଲିକପ୍ଟରରେ ଦିନ ପ୍ରାୟ ୧୧ଟାରେ ଆସି ପହଞ୍ଚିଥିଲେ ରୋହତକ ଜେଲ୍ ରେ । ସେହି ଜେଲ୍ ରେ ବନ୍ଦୀ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ରାମରହିମ୍ ଙ୍କୁ ଅଦାଲତରେ ହାଜର କରାଯାଇଥିଲା । ଉଭୟ ପକ୍ଷର ଓକିଲଙ୍କଠାରୁ ଯୁକ୍ତି ଶୁଣିଥିଲେ ବିଚାରପତି । ରାମରହିମ୍ ଙ୍କ ଦଣ୍ଡ କୋହଳ କରିବାକୁ ତାଙ୍କ ଓକିଲ ଆବେଦନ କରିଥିଲା ବେଳେ ପ୍ରତିପକ୍ଷ ଓକିଲ ଦଣ୍ଡ କଠୋର କରିବାକୁ ଆବେଦନ କରିଥିଲେ । କୋର୍ଟରେ ଉପସ୍ଥିତ ରାମ ରହିମ୍ ଏହି ସମୟରେ ଭୋ ଭୋ ହୋଇ କାନ୍ଦିଥିଲେ । ବିଚାରପତିଙ୍କ ଆଖିକୁ ଆଖି ମିଳାଇ ଯୋଡହସ୍ତରେ କାକୁତୀମିନତୀ କରିଥିଲେ । ତେବେ ବିଚାରପତି ତାଙ୍କ ଦଣ୍ଡ ଘୋଷଣା କଲା ପରେ ଓକିଲମାନେ କୋର୍ଟ ରୁମ୍ ରୁ ବାହାରିଯାଇଥିଲେ ମଧ୍ୟ ରାମରହିମ୍ ଆସି ନ ଥିଲେ । ବିଚାରପତିଙ୍କ ଆଗରେ କାନ୍ଦି ଗଡ଼ିଥିଲେ । ଶେଷରେ ବିଚାରପତି ପୁଲିସ ଲଗାଇ ତାଙ୍କୁ ଅଦାଲତରୁ ବଳପୂର୍ବକ ବାହାର କରି ଜେଲ୍ ପଠାଇଥିଲେ । ଅଦାଲତ ବାହାରେ ମଧ୍ୟ ରାମରହିମ୍ ଚିତ୍କାର କରିଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନ ଥିବା ଦର୍ଶାଇ ତାଙ୍କର ଯଦି କିଛି ହୁଏ ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ବୋଲି ନାରାବାଜି କରିଥିଲେ । ତେବେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଇଲା ପରେ ପୁଲିସ ତାଙ୍କୁ ଜେଲ୍ ଭିତରକୁ ଟାଣି ନେଇଥିଲା । କୋର୍ଟ ଭିତରେ ଓ ବାହାରେ ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ସହଯୋଗ କରି ନ ଥିଲେ ରେପିଷ୍ଟ ବାବା । ବିଚାରପତି ତାଙ୍କୁ ଭିଭିଆଇପି ସୁବିଧାସୁଯୋଗ ଦେବା ଉପରେ କଟକଣା ଲଗାଇଛନ୍ତି । ସାଧାରଣ କଏଦୀଙ୍କ ଭଳି ସେ ଜେଲ୍ ପୋଷାକ ପିନ୍ଧିବେ ଓ ଜେଲ୍ ଖାଦ୍ୟ ଖାଇବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ରାମରହିମ୍ ଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡକୁ ଗ୍ରହଣ କରିନାହାନ୍ତି ଦୁଷ୍କର୍ମର ଶିକାର ଅଭିଯୋଗକାରିଣୀ । ରାମରହିମ୍ ଙ୍କୁ ଆଜୀବନ କାରାଦଣ୍ଡ ନଚେତ୍ ଫାଶୀ ଦେବାକୁ ଆବେଦନ କରିଛନ୍ତି ।