କେନ୍ଦୁଝରରୁ ବରେନ୍ଦ୍ରକୃଷ୍ଣ ସାହୁ
କରୋନା ପାଇଁ ଚିନ୍ତାରେ ସାରା ବିଶ୍ୱ । ଅଧିକାଂଶ ଦେଶ ଲକ୍ ଡାଉନ୍ । ପୁଣି ଲୋକେ ଏକ ପ୍ରକାର ଗୃହବନ୍ଦୀ । ଏହି ମହାମାରୀ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଔଷଧ ବାହାରି ନଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କହୁଥିବା ସାମାଜିକ ଦୂରତା ହିଁ ସଂକ୍ରମଣକୁ ଚେକ୍ ଦେବାକୁ ଏକମାତ୍ର ବିକଳ୍ପ । ତେଣୁ ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତ୍ତରେ ପରିସ୍ଥିତି ଓ ପରିବେଶକୁ ସମ୍ମାନ ଜଣାଇ ସରକାରଙ୍କ ନିର୍ଦ୍ଦେଶ ମାନିବାକୁ ସମସ୍ତେ ବାଧ୍ୟ ଏବଂ ମାନିବା ମଧ୍ୟ ଉଚିତ । ପରିସ୍ଥିତିରେ ନିୟନ୍ତ୍ରଣ ଆଣିବାକୁ ସରକାର ତାଙ୍କ କଳବଳ ଲଗାଇ ଦେଇଛନ୍ତି । ଦିନରାତି ଏକ୍ କରି ଲୋକଙ୍କ ସେବାରେ ଲାଗିଛନ୍ତି ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ, ଜରୁରିକାଳୀନ ସେବା ଓ ସାମଗ୍ରୀ ଯୋଗାଉଥିବା କର୍ମଚାରୀ ଓ ସାଧାରଣ ଜନତା । ଘରଦ୍ୱାର ଓ ପରିବାର ଭୁଲି ଲୋକଙ୍କ ପାଇଁ ଖରାତରାରେ ଖଟି ଚାଲିଛନ୍ତି ପୋଲିସ ଅଧିକାରୀ ଓ କର୍ମଚାରୀ ।
କିନ୍ତୁ ଲକ୍ ଡାଉନ୍ ଏବଂ ସାମାଜିକ ଦୂରତା କଟକଣା ଉଲ୍ଲଘଂନ କରୁଥିବା କିଛି ଡିହ ଗାଲୁଆଙ୍କ ପାଇଁ ପୋଲିସର ଚାପ ବଢୁଛି । ଯାହା ପ୍ରକାରାନ୍ତରେ ପୋଲିସକୁ ବାଧ୍ୟ କରୁଛି ମାଡ଼ ତତ୍ୱର ଉପଯୋଗ କରିବା ପାଇଁ । ଅନେକ କ୍ଷେତ୍ରରେ ଏହାର ଆବଶ୍ୟକତା ଥାଇପାରେ, କିନ୍ତୁ କିଛି କିଛି ସ୍ଥାନରେ ପୋଲିସ୍ ଆଇନର ସୀମା ଉଲ୍ଲଘଂନ କରୁଥିବା ମନେ କରାଯାଏ । ପୋଲିସ୍ ପରିବା ବିକାଳିଙ୍କ ଓଜନ ମେସିନ୍ କଚାଡ଼ି ଭାଙ୍ଗି ଦେବା ଏବଂ ପରିବା ବୋଝକୁ ଗୋଇଠା ମାରି ଛିନଛତର କରି ଦେବା ଆଦୌ ଗ୍ରହଣୀୟ ହୋଇପାରୁନି । ଏଭଳି ସ୍ଥିତିରେ ପୋଲିସ୍, ପରିବା ସହ ଓଜନ ମେସିନ୍ ସିଜ୍ କରିପାରନ୍ତା । କିନ୍ତୁ ସେମିତି ହେଉନି । ବରଂ ପୋଲିସର ଏଭଳି ଅନ୍ ଦି ସ୍ପଟ୍ ଆକ୍ସନ୍ସ, ସୋସିଆଲ୍ ମିଡିଆରେ ପ୍ରସାରିତ ହେଉଛି । ଲକ୍ ଡାଉନ୍ ଅମାନ୍ୟ କରୁଥିବା ଅନେକ ଡିହ ଗାଲୁଆଙ୍କ ପିଠି ନୋଳା ଫାଟିଗଲାଣି । ତେବେ କିଛି ବୃଦ୍ଧ ଲୋକଙ୍କୁ କାନ ଧରାଇ କିଛି କନେଷ୍ଟବଳ ବସ୍ ଉଠ୍ କରାଇବା କେତେଦୂର ଗ୍ରହଣୀୟ ?
ଗ୍ରାଉଣ୍ଡରେ ମୁତୟନ ପୋଲିସ ଅଧିକାରୀ ଓ କର୍ମଚାରୀ ଧୈର୍ଯ୍ୟର ସହ ଏବଂ ଆଇନର ପରିସର ମଧ୍ୟରେ ଥାଇ କଠୋର ଆଇନ କାର୍ଯ୍ୟକାରୀ କରିବାକୁ ଉଭୟ ସରକାର ଓ ବିଭାଗୀୟ ଅଧିକାରୀ ପରାମର୍ଶ ଦେଇଛନ୍ତି । କିନ୍ତୁ ଏହା ଭିତରେ ସେମାନଙ୍କୁ ଅଖଣ୍ଡ କ୍ଷମତା ମିଳିଥିବା ଏବଂ ସେମାନେ ହିଁ ସର୍ବେସର୍ବା ବୋଲି ଧରି ନେଇଛନ୍ତି କିଛି ଅଧିକାରୀ ଓ କର୍ମଚାରୀ । ମୌକା ଦେଖି କିଏ ପୁରୁଣା ରାଗ ଶୁଝାଉଛି ତ ଆଉ କିଏ ଦବଙ୍ଗ ଅଫିସର ବୋଲି ନିଜକୁ ପ୍ରତିପାଦନ କରିବାକୁ ଚାହୁଁଛି । ଏଭଳି କ୍ଷେତ୍ରରେ କିଛି ପ୍ରମୁଖ ଓ ସାମାଜିକ ଗଣମାଧ୍ୟମ ସେମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି ।
ଚୋରା ମଦ ବେପାର ଅଭିଯୋଗରେ ରାମଚନ୍ଦ୍ରପୁର ଥାନା (କେନ୍ଦୁଝର ଜିଲ୍ଲା) ସବ୍ ଇନ୍ସପେକ୍ଟର ବିଶ୍ୱଜିତ ବେହେରା ଏବଂ ତାଙ୍କ ଟିମ୍ ଯେଉଁ କାଣ୍ଡ କରିଛନ୍ତି, ତାହା ସବୁ ପ୍ରକାର ସୀମା ଉଲ୍ଲଘଂନ କରିଛି । ଅଭିଯୁକ୍ତଙ୍କୁ ବିଚ୍ ରାସ୍ତାରେ ଉଲଗ୍ନ କରି ମାଡ଼ ମାରିବାକୁ ଏସଆଇ ବିଶ୍ୱଜିତ ଏବଂ ତାଙ୍କ ଟିମକୁ କିଏ ଅଧିକାର ଦେଇଥିଲା ? ସଂପୃକ୍ତ ବ୍ୟକ୍ତିଙ୍କ ଉଲଗ୍ନ ଏବଂ ପିଚାରେ ନୋଳା ଫଟା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାମଚନ୍ଦ୍ରପୁର ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଲା । ଯେଉଁଥି ପାଇଁ ଏସପି ମିତ୍ରଭାନୁ ମହାପାତ୍ରଙ୍କୁ ତୁରନ୍ତ ପଦକ୍ଷେପ ନେବାକୁ ପଡ଼ିଲା । ଏସଡିପିଓଙ୍କୁ ପଠାଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ନେବା ସହ ଏସଆଇ ବିଶ୍ୱଜିତ ବେହେରା ଏବଂ ତାଙ୍କ ସହ ଥିବା ଅନ୍ୟ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ।
କେବଳ ସୀମାପାର ଦବଙ୍ଗଗିରି ନୁହେଁ, ଟ୍ରେନିଂ ସମୟରେ ବିଶୃଙ୍ଖଳା ପାଇଁ ମଧ୍ୟ ପୂର୍ବରୁ ନିଲମ୍ବିତ ହୋଇଛନ୍ତି ଏସଆଇ ବିଶ୍ୱଜିତ ବେହେରା । କିନ୍ତୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିବିଶେଷ, ଉଲଗ୍ନ ହୋଇ ମାଡ଼ ଖାଇଥିବା ବ୍ୟକ୍ତିଙ୍କୁ ଡରାଇ ଧମକାଇ ତାଙ୍କ ସ୍ୱୀକାରୋକ୍ତି ଆଣିବା ପରେ ତାହାକୁ ପ୍ରଚାର କରି ଏସଆଇ ବିଶ୍ୱଜିତ୍ ଙ୍କ ପାଇଁ ଓକିଲାତି କରୁଥିବା ଦେଖିବାକୁ ମିଳୁଛି । ଘଟଣାର ପ୍ରାଥମିକ ତଦନ୍ତ ପରେ ଏସପି, ଏଭଳି ପଦକ୍ଷେପ ନେଇଥିବା ବୋଧ ହୁଏ ସେମାନଙ୍କର ଧାରଣା ବାହାରେ ।
ମହାମାରୀ କରୋନା ପାଇଁ ସ୍ଥିତି ସାଂଘାତିକ । ଲକ୍ ଡାଉନ୍ ପାଇଁ ସମସ୍ତେ ଚିନ୍ତାରେ, ଆଉ ଚାପରେ । ପୋଲିସ ଭଳି, ସ୍ବାସ୍ଥ୍ୟ ଅଧିକାରୀ ଓ କର୍ମଚାରୀ ମଧ୍ୟ ଚାପରେ । ଦେଖିବାକୁ ଗଲେ ଉଭୟଙ୍କ ଉପରେ ସମାନ ପ୍ରେସର । ସବୁ ମହଲରୁ ସେମାନଙ୍କ ତ୍ୟାଗ ଓ କର୍ତ୍ତବ୍ୟ ପରାୟଣତାକୁ ସାବାସି ମିଳୁଛି । ସେମାନଙ୍କୁ ପ୍ରୋତ୍ସାହନ ଦେବାକୁ କେବଳ ସରକାର କାହିଁକି, ସୋସିଆଲ ମିଡିଆରେ ସାଧାରଣ ଜନତା ମଧ୍ୟ ଶୁଭେଚ୍ଛା ଜଣାଉଛନ୍ତି । ସେମାନଙ୍କୁ ସାଲ୍ୟୁଟ୍ କରିାବ ସହ ହ୍ୟାଟସ୍ ଅଫ୍ କରୁଛନ୍ତି ।
POLICE…. କୁହାଯାଏ, P-ରୁ Politeness ମାନେ ନମ୍ରତା, O-ରୁ Obediency ମାନେ ଆଜ୍ଞାନୁବର୍ତ୍ତିତା, L-ରୁ Loyalty ମାନେ ବିଶ୍ୱସନୀୟତା, I-ରୁ Intelligency ମାନେ ବିଜ୍ଞତା, C-ରୁ Courtesy ମାନେ ଭଦ୍ରତା ଏବଂ E-ରୁ Efficiency ମାନେ ଦକ୍ଷତା… ଏସବୁ ଗୁଣର ଅଧିକାରୀ ଜଣେ ପୋଲିସ ପାଖରେ ରହିଥାଏ । କିନ୍ତୁ ବର୍ତ୍ତମାନର ଘଡ଼ିସନ୍ଧି ପରିସ୍ଥିତିରେ ହାତଗଣତି କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ପୂରା ବିଭାଗ ବଦନାମ୍ ନହେଉ ।