ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଲୁଲୁ ଭାଇ ଆଉ ନାହାନ୍ତି । ଗୁରୁଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ ପରେ ହାରି ଯାଇଛନ୍ତି ଲୁଲୁ । ଗତକାଲି ରାତି ୧୦.୧୫ ମିନିଟ୍ ରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଲୁଲୁ ଓରଫ୍ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମୃତ୍ୟୁରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ଖାଲି କଂଗ୍ରେସ ଶିବିର ନୁହେଁ ସବୁ ରାଜନୈତିକ ମହଲରେ ଲୁଲୁଙ୍କ ବିୟୋଗ ଦୁଃଖର ଛାଇ ଖେଳାଇ ଦେଇଛି । ମାତ୍ର ୫୨ ବର୍ଷ ବୟସରେ ପତ୍ନୀ ନମିତା ଓ ଏକମାତ୍ର ଝିଅ ଉପାସନାଙ୍କୁ ଏକା ଛାଡି ଚାଲିଯାଇଛନ୍ତି ଲୁଲୁ ।
କଂଗ୍ରେସରେ ଲୁଲୁ ମହାପାତ୍ର ନାମଟି ହିଁ ଛାତ୍ର ଓ ଯୁବଗୋଷ୍ଠୀଙ୍କର ପାଇଁ ଯଥେଷ୍ଟ ପ୍ରେରଣା ଥିଲା । ଅଶୀ ଦଶକରେ ଛାତ୍ର ରାଜନୀତିରୁ କ୍ୟାରିୟର୍ ଆରମ୍ଭ କରି ଖୁବ୍ କ୍ଷମତାଶାଳୀ ହୋଇପାରିଥିଲେ ଲୁଲୁ । ତାଙ୍କର ସାଂଗଠନିକ ଦକ୍ଷତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆକୃଷ୍ଟ କରିଥିଲା । ନିଜର ବିଚକ୍ଷଣ ସାଂଗଠନିକ ଦକ୍ଷତା ପାଇଁ ଜେବିଙ୍କ ଶାସନକାଳରେ ଲୁଲୁ ହୋଇଥିଲେ ପ୍ରଚଣ୍ଡ କ୍ଷମତାଶାଳୀ । ଜାନକୀଙ୍କ ଦ୍ୱିତୀୟବାର ଶାସନକାଳରେ ୧୯୮୭ ମସିହାରେ ଲୁଲୁଙ୍କୁ ମିଳିଥିଲା ଛାତ୍ର କଂଗ୍ରେସର ନେତୃତ୍ୱ ଦାୟିତ୍ୱ । ଛାତ୍ର ଓ ଯୁବଗୋଷ୍ଠୀଙ୍କ ମନ ଜିଣି କିଭଳି ସେମାନଙ୍କୁ କାମରେ ଲଗାଯାଇପାରିବ ସେଥିରେ ଲୁଲୁଙ୍କର ଅମାପ ପାରଦର୍ଶିତା ଥିଲା । ଯାହା ଚାହୁଁଥିଲେ ସେୟା କରି ଦେଖାଉଥିଲେ ପ୍ରଚଣ୍ଡ ପରାକ୍ରମୀ ଲୁଲୁ । ୧୯୯୦ ନିର୍ବାଚନରେ କଂଗ୍ରେସ ଚିତାପଟଙ୍ଗ ମାରିଥିଲେ ମଧ୍ୟ ଲୁଲୁଙ୍କ ସାଂଗଠନିକ କାର୍ଯ୍ୟକଳାପ ଉପରେ ଏହା କୌଣସି ଫରକ୍ ପକାଇ ନ ଥିଲା । ୧୯୯୫ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ ସେ ବିଧାନସଭାକୁ ନିର୍ବାଚତ ହୋଇଥିଲେ ।
ବିଧାୟକ ଥିବା ବେଳେ ୧୯୯୬ ମସିହାରେ ଲୁଲୁଙ୍କୁ ରାଜ୍ୟ ଯୁବ କଂଗ୍ରେସର ନେତୃତ୍ୱ ମିଳିଥିଲା । ସାରା ରାଜ୍ୟରେ ଛାତ୍ର ଓ ଯୁବ କଂଗ୍ରେସ ସଂଗଠନକୁ ହାତମୁଠାରେ ରଖି ଆହୁରି ସକ୍ରିୟ କରିଥିଲେ । ଲଗାତର ତିନିଥର ବିଧାନସଭାକୁ ନିର୍ବାଚିତ ହେବା ପରେ ୨୦୦୯ ମସିହାରେ ସେ ହାରିଯାଇଥିଲେ । ତେବେ ନିଜ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସମେତ ସାରା ରାଜ୍ୟରେ ସାଂଗଠନିକ ଶକ୍ତିକୁ ହରାଇବାକୁ ଦେଇ ନ ଥିଲେ ସେ । ୨୦୧୪ ମସିହା ନିର୍ବାଚନରେ ମାତ୍ର ୧୩୦୦ ଭୋଟରେ ପୁନର୍ବାର ହାରିଯାଇଥିଲେ ଲୁଲୁ । ଏହା ତାଙ୍କୁ ଗଭୀର ଦୁଃଖ ଦେଇଥିଲା ସତ ହେଲେ ମନୋବଳ ଭାଙ୍ଗି ପାରି ନ ଥିଲା । ସ୍ୱଭାବସୁଲଭ ଆକ୍ରମଣାତ୍ମକ ଢ଼ଙ୍ଗରେ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଥିଲେ ସେ । ତମାମ ରାଜନୈତିକ ଜୀବନରେ ଖାଲି ଛାତ୍ର କି ଯୁବ କଂଗ୍ରେସ ନୁହେଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସେ ଥିଲେ ଜଣେ ଟାଣୁଆ ସଦସ୍ୟ । ୨୦୦୦ ମସିହାରେ ପିସିସିର କାର୍ଯ୍ୟକାରୀ କମିଟିକୁ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ୨୦୦୪ ମସିହାରେ ପିସିସି ଉପସଭାପତି ପଦମଣ୍ଡନ କରିଥିବା ଲୁଲୁ ୨୦୦୮ ମସିହାରେ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପାଇଥିଲେ ।
ଲୁଲୁ କେବଳ ଜଣେ ଦକ୍ଷ ସଂଗଠକ ଓ ସଫଳ ରାଜନୀତିଜ୍ଞ ଥିଲେ ତାହା ନୁହେଁ ବରଂ ମଣିଷର ଦୁଃଖକଷ୍ଟ ବୁଝିବାର ପ୍ରବଳ ଝୁଙ୍କ୍ ଥିଲା ତାଙ୍କର । ଖୋଲା ହୃଦୟରେ ନିଜର ସହଯୋଗୀମାନଙ୍କୁ ସାହାଯ୍ୟ, ସହାନୁଭୂତି ବାଣ୍ଟୁଥିଲେ ସେ । ଲୁଲୁଙ୍କର ଏହି ଦରଦୀ ହୃଦୟ ସାରା ରାଜ୍ୟର କୋଣ ଅନୁକୋଣରୁ ଛାତ୍ର ଓ ଯୁବକଙ୍କୁ ଆକର୍ଷିତ କରି ରଖିଥିଲା । ଆଜି ଲୁଲୁଙ୍କ ବିୟୋଗ କଂଗ୍ରେସର ଛାତ୍ର ଓ ଯୁବ ସମାଜକୁ ଅନାଥ କରିଦେଇଛି । ଲୁଲୁ ଭାଇ ଯେ ଇହ ଜଗତରେ ଆଉ ନାହାନ୍ତି ତାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ଦଳର ବରିଷ୍ଠ ନେତାମାନେ ବି ଲୁଲୁଙ୍କ ଶୂନ୍ୟସ୍ଥାନକୁ ସହଜରେ ନେଇପାରୁନାହାନ୍ତି । ଲୁଲୁଙ୍କ ସ୍ଥାନ ଯେ ଦଳରେ ଆଉ କେହି ପୂରଣ କରିପାରିବେ ସେ ବିଶ୍ୱାସ କାହାର ନାହିଁ । ଖାଲି କଂଗ୍ରେସ ନୁହେଁ, ବିଜେଡ଼ି ଓ ବିଜେପି ନେତାମାନେ ମଧ୍ୟ ଲୁଲୁଙ୍କୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇଛନ୍ତି । ରାଜନୈତିକ ବାଛବିଚାର ଛାଡ଼ି ଲୁଲୁଙ୍କ ଭଳି ଜଣେ ଦରଦୀ, ବନ୍ଧୁବତ୍ସଳ ଓ ବିଚକ୍ଷଣ ରାଜନୀତିଜ୍ଞଙ୍କୁ ଓଡ଼ିଶା ହରାଇଲା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଛାତ୍ର, ଯୁବ ଓ ବରିଷ୍ଠ ନେତାମାନେ ଲୁଲୁଙ୍କୁ ଝୁରୁଛନ୍ତି ।
ଆଜି ସଂଧ୍ୟାବେଳେ ଲୁଲୁଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବ । ୟୁନିଟ୍-୬ ସ୍ଥିତ ତାଙ୍କ ସରକରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ । ଚିର ନିଦ୍ରିତ ଲୁଲୁଙ୍କ ଏହି ପାର୍ଥିବ ଶରୀର ଆସନ୍ତାକାଲି ସକାଳେ କଂଗ୍ରେସ ଭବନ ଦେଇ ନିଜ ଜନ୍ମମାଟି ବ୍ରହ୍ମଗିରି ଯିବ । ସେଠାରେ ନିଆଁରେ ଲୀନ ହୋଇଯିବେ ସମସ୍ତଙ୍କ ଆଦରର ଲୁଲୁ ଭାଇ ।