ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): କ୍ରମାଗତ ୪ ଦିନ ପାଇଁ ଅଚଳ ହୋଇପଡ଼ିଛି ବିଧାନସଭା । ଶାସକ ଦଳ ସଭ୍ୟମାନେ ବିରୋଧୀ ଦଳ ନେତାଙ୍କ କ୍ଷମାପ୍ରାର୍ଥନା ଓ ଇସ୍ତଫା ଦାବିରେ ଅଟଳ ଥିଲା ବେଳେ ବିରୋଧୀ ଦଳ ସଭ୍ୟମାନେ ଏହାର ପ୍ରତିବାଦ କରି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଜିଦ୍ ଧରିଛନ୍ତି । ଦୁଇ ଦିନର ଅଚଳାବସ୍ଥା ପରେ ବାଚସ୍ପତି ଗୃହକୁ ସ୍ୱାଭାବିକ କରିବାକୁ ମନେ ପକାଇ ସର୍ବଦଳୀୟ ବୈଠକ ଡାକିଲେ । ଦିନତମାମ ବୈଠକ ଚାଲିଲା । ମାତ୍ର ନିର୍ଯାସ ବାହାରି ପାରିଲାନି । ଶନିବାର ପୁଣି ଡକାଯାଇଛି ବୈଠକ । ମାତ୍ର କଂଗ୍ରେସ ଏହାକୁ ବର୍ଜନ କରି ରାଜ୍ୟପାଳଙ୍କ ପାଖରେ ଯାଇ ଫେରାଦ ହୋଇଛି । ବିଜେଡ଼ିର ଅଗଣତାନ୍ତ୍ରିକ ଶାସନକୁ ବିରୋଧ କରି ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି ।
ବିଧାନସଭା ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେସନର ଏହା ହେଉଛି ସୂକ୍ଷ୍ମ ଚିତ୍ର । ୪ ଦିନ ହେଲା ଗୃହରେ ବଜେଟ୍ ଆଲୋଚନା ହୋଇପାରୁନି । ଗୁରୁତ୍ୱପୂର୍ଣ୍ଣ କୃଷି, ପଞ୍ଚାୟତିରାଜ ଆଦି ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇ ନ ପାରି ଗିଲୋଟିନ୍କୁ ଯାଇଛି । ଏହି ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେସନ ଆରମ୍ଭରୁ ଲାଗିରହିଛି ଅଚଳାବସ୍ଥା । ଚିଟ୍ଫଣ୍ଡ କେଳେଙ୍କାରୀରେ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ସଂପୃକ୍ତ ଦର୍ଶାଇ ବିରୋଧୀ ଦଳ ଇସ୍ତଫା ମାଗିଛନ୍ତି । ଚିଟ୍ଫଣ୍ଡ ତଦନ୍ତ କମିଶନ ଜଷ୍ଟିସ୍ ଏମ.ଏମ.ଦାସ ବିଜେଡ଼ି ଲିଗାଲ୍ ଫ୍ରଣ୍ଟ ସଭାରେ ଯୋଗଦେଇ ସରକାରଙ୍କ ପକ୍ଷ ନେବା ବି ବିରୋଧୀଙ୍କୁ କ୍ଷୁବ୍ଧ କରିଛି ଏବଂ ସେମାନେ ଜଷ୍ଟିସ୍ଙ୍କ ବହିଷ୍କାର ଦାବି କରିଛନ୍ତି । ବିରୋଧୀ ଦଳର ମୁକାବିଲା ପାଇଁ ଶାସକ ଦଳ ନିର୍ଲ୍ଲଜ ଓ କଠୋର ଆଭିମୁଖ୍ୟ ନେଇଛି । ବିରୋଧୀ ଦଳ ନେତାଙ୍କୁ ବୁଢ଼ା ହଢ଼ା କହି ତାଙ୍କର ମୁଣ୍ଡ ମାଗିଛି । ଆଉ ଗୃହ କାର୍ଯ୍ୟ ଠପ୍ କରିଦେଇଛି ।
ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ସବୁକୁ ଖୋଦ୍ ଶାସକ ଦଳ ପରବାଏ କରିନାହାନ୍ତି । ନିଜର କାଟ୍ତି ଓ ଭାବମୂର୍ତ୍ତି ରଖିବା ଉଦ୍ୟମରେ ଲୋକଙ୍କ ସ୍ୱାର୍ଥ ସହ ସାଂଘାତିକ ଖେଳ ଖେଳୁଛନ୍ତି ଆମର ନିର୍ବାଚିତ ପ୍ରତିନିଧି ।
ବିଧାନସଭା ପାଇଁ ଦୈନିକ ଆନୁମାନିକ ଖର୍ଚ୍ଚ ହେଉଛି ୩୦ ଲକ୍ଷ ଟଙ୍କା । ସୁରକ୍ଷା କର୍ମଚାରୀଙ୍କଠାରୁ ଆରମ୍ଭ କରି ସମଗ୍ର ସରକାରୀ କଳର ବଳ ଲାଗୁଛି ବିଧାନସଭାରେ । ଲୋକଙ୍କ ସ୍ୱାର୍ଥ ଓ ସମସ୍ୟା ଜଡ଼ିତ ପ୍ରସଙ୍ଗ ଉପରେ ଆଲୋଚନା ହୋଇ ସମାଧାନ ହେବ କିମ୍ବା ବଜେଟ୍ ଓ କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇ ଲୋକଙ୍କ ସ୍ୱାର୍ଥରେ ଲାଗିବା ହେଉଛି ମୂଳ ଲକ୍ଷ୍ୟ । ମାତ୍ର ତାହାକୁ ଆମ ନିର୍ବାଚିତ ପ୍ରତିନିଧିମାନଙ୍କର ଖାତିର ନାହିଁ । ଲୋକ ଭୋଟ ଦେଇ ଭୁବନେଶ୍ୱର ପଠାଇଛନ୍ତି । ହାତ ପାଆନ୍ତାକୁ ଆସିଯାଇଛି କ୍ଷମତା, ଟଙ୍କା, ପଇସା, ଗାଡ଼ି, ଘୋଡା, ଘର । ଅୟସ ଜୀବନକୁ ଆସିଥିବା ଆମର ଏହି ଆଇନ ପ୍ରଣେତାମାନେ ଲୋକଙ୍କ କଥା ଭୁଲି ନ ଥିଲେ ସେଇ ଲୋକଙ୍କ ଝାଳବୁହା ପଇସାରେ ଏମିତି ମସ୍ତି କରନ୍ତେ ନାହିଁ ।
ଆହୁରି ଲଜ୍ଜାର କଥା, ରାଜ୍ୟବାସୀ ଭରପୂର ସମସ୍ୟା ଭିତରେ ଥିଲା ବେଳେ ଏଇ ବିଧାନସଭା ବେଳାରେ ବିଦେଶ ଭ୍ରମଣ କରୁଛନ୍ତି ବିଭିନ୍ନ ବିଭାଗର ଶାସନ ସଚିବ ଥିବା ୮ ଜଣ ବରିଷ୍ଠ ଆଇଏଏସ୍ । ଉତ୍କଟ ପାଣି ସଙ୍କଟରେ ଲୋକ ଛଟପଟ ହେଉଥିଲା ବେଳେ ବିଭାଗୀୟ ସଚିବ ବିଦେଶ ଟୁର୍ କରୁଛନ୍ତି । ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଶିକ୍ଷକଙ୍କ ସମସ୍ୟାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି ହୋଇଥିଲା ବେଳେ ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ନ ରହି ଆମେରିକା ବୁଲୁଛନ୍ତି । ନବୀନ ପଟ୍ଟନାୟକଙ୍କ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ବଜେଟ୍ ଅଧିବେସନ ସମୟରେ ସେମାନଙ୍କୁ ସରକାରୀ କାମ ବାହାନାରେ ବିଦେଶ ଭ୍ରମଣର ଅନୁମତି ଦେବା ଖାଲି ସାଂଘାତିକ ନୁହେଁ, ଅପରାଧ ବି । ସମସ୍ୟା ଜର୍ଜରିତ ବିଭାଗର ଅମଲା ଓ ମନ୍ତ୍ରୀଙ୍କୁ ବିଦେଶ ଭ୍ରମଣରେ ଛାଡ଼ିଥିବା ବିଧାନସଭାରେ ଉତ୍ତର ଦାୟିତ୍ୱର ଆବଶ୍ୟକତା ନ ଥିବା ବୋଧହୁଏ ପୂର୍ବ ଆକଳନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିପାଇଁ ବିରୋଧୀ ଦଳକୁ ଟପି ନିଜେ ବିଧାନସଭାକୁ ଅଚଳ କରିବାର ବଜ୍ରଶପଥ ନେଇଛନ୍ତି । ଏଥିରେ ସଂଖ୍ୟାବଳର ଔଦ୍ଧତ୍ୟ ଥିଲେ ମଧ୍ୟ ରାଜ୍ୟବାସୀ କେବେହେଲେ କ୍ଷମା ଦେବେ ନାହିଁ ।