ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୩ ତାରିଖ ବିଧାନସଭାରେ ନରସିଂହ ମିଶ୍ର ଛାଡ଼ିଥିଲେ ପ୍ରଶ୍ନବାଣ । ଚିଟ୍ଫଣ୍ଡ କେଳେଙ୍କାରୀରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ବିଜେଡ଼ିର ସଂପୃକ୍ତିକୁ ଅଙ୍ଗୁଳି ଉଠାଇଥିଲେ । ଆଉ ସେତିକିରେ ଝାଳନାଳ ହୋଇଗଲାଣି ବିଜେଡ଼ି । ନରସିଂହଙ୍କ ପ୍ରଶ୍ନକୁ ଅଭିଯୋଗ ଦର୍ଶାଇ ତାହା ଭୁଲ୍ ବୋଲି ମନକୁ ମନ ପ୍ରମାଣିତ କରିଛି ଦଳ । ବୁଢ଼ା ହୋଇଯିବାରୁ ତାଙ୍କର ମତିଭ୍ରମ ହୋଇଛି ବୋଲି କଡ଼ା ଟିପ୍ପଣୀ ଦେଇଛି । ବିଧାନସଭା ଭିତରେ ଓ ବାହାରେ ଶାସକ ଦଳ ମୁହଁଟାଣ ମାରି ବିରୋଧୀ ଦଳ ନେତାଙ୍କୁ ବିଧାନସଭାରେ କୁହାଇ ନ ଦେବା ପାଇଁ କୌଶଳ ଆପଣେଇଛନ୍ତି ଓ ବିଧାନସଭାକୁ ଅଚଳ କରିଛନ୍ତି । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ବିଜେଡ଼ି ବିଧାୟକମାନେ ସଂଘବଦ୍ଧ ହୋଇ ଲଢ଼େଇକୁ ଓହ୍ଲାଇଛନ୍ତି । ବିଧାନସଭା ନ ଛାଡ଼ି ଶକ୍ତି ପ୍ରଦର୍ଶନ ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ଏପରିକି ବାଚସ୍ପତି ନିଜର ପଦମର୍ଯ୍ୟାଦା ଭୁଲି ଦଳୀୟ ଆଭିମୁଖ୍ୟରେ ସାମିଲ ହୋଇଯାଇଛନ୍ତି ।
ମଙ୍ଗଳବାର ଅପରାହ୍ନରେ ବିରୋଧୀ ଦଳ ନେତା ବିଜେଡ଼ି ବ୍ୟାଙ୍କ ଆକାଉଣ୍ଟ, ଗୋଟିଏ ଦିନରେ ୮ କୋଟି ଟଙ୍କା ଡିପୋଜିଟ୍, ଚିଟ୍ଫଣ୍ଡ ସହ ବିଜେଡ଼ିର ସମ୍ପର୍କ ଆଦି ପ୍ରଶ୍ନ ଉଠାଇବା ପରେ ଶାସକ ଶିବିରରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । ନରସିଂହଙ୍କ ମୁକାବିଲା ପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ଯୁଦ୍ଧକାଳୀନ ପ୍ରସ୍ତୁତି ଆରମ୍ଭ ହୋଇଗଲା । ନବୀନ ନିବାସରୁ ଡାକରା ଆସିଲା ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ମୁଖ୍ୟ ସଚେତକ ଅନନ୍ତ ଦାସ ଓ ଡର୍ଜନେ ମନ୍ତ୍ରୀ/ବିଧାୟକଙ୍କୁ । ବିଚଳିତ ଓ କ୍ଷୁବ୍ଧ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବର୍ଷିଲେ । ବିଧାନସଭାରେ ନରସିଂହଙ୍କୁ ମୁକାବିଲା କରିବାରେ ବିଫଳତା ପାଇଁ ବିକ୍ରମ ଆରୁଖଙ୍କୁ ମନଇଚ୍ଛା ଗାଳି କଲେ । ପରେ ପରେ ନରସିଂହଙ୍କୁ ଜବାବ ଦେବା ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ ।
ନରସିଂହଙ୍କୁ ତତ୍କ୍ଷଣାତ୍ କାଉଣ୍ଟର ପାଇଁ ସେଠାରେ ଲେଖାହେଲା ପ୍ରେସ୍ ରିଲିଜ୍ । ହୋଟେଲ ମେ ଫେୟାରରେ ପାୱାର ସୋରେ ଉପସ୍ଥିତ ଆଇନମନ୍ତ୍ରୀ ଅରୁଣ ସାହୁଙ୍କୁ ଜରୁରୀ ଡାକରା ଗଲା । ଦଳର ସାଧାରଣ ସମ୍ପାଦକ ଭାବେ ପ୍ରେସ୍ ରିଲିଜ୍ରେ ଅରୁଣଙ୍କ ଦସ୍ତଖତ କରାଇ ତୁରନ୍ତ ମିଡ଼ିଆକୁ ଛଡ଼ାଗଲା । ସାମଗ୍ରିକ ଭାବେ ବିଧାନସଭାରେ ନରସିଂହଙ୍କୁ କାଉଣ୍ଟର ଦାୟିତ୍ୱ ଦିଆଗଲା ଅରୁଣଙ୍କୁ । ନିର୍ଦେଶ ଦିଆଗଲା, ବିରୋଧୀ ଦଳ ନେତାଙ୍କୁ ବୁଢ଼ା ହଢ଼ା ଯାହା ପାରିବ ବକିବ । ବିରୋଧୀ ଦଳ ନେତା ବିଧାନସଭାରେ ଯେଭଳି କିଛି କହିବାର ସୁଯୋଗ ନ ପାଇବେ ତାହାର ରଣକୌଶଳ ବି ପ୍ରସ୍ତୁତ ହୋଇଗଲା ।
ଦଳର ନିର୍ଦେଶକୁ ଅକ୍ଷରେ ଅକ୍ଷରେ ପାଳୁଛନ୍ତି ମନ୍ତ୍ରୀ ଅରୁଣ ସାହୁ । ବୁଧବାର ବିଧାନସଭାରେ ତଥ୍ୟ ରଖିବା ପରେ ଗୁରୁବାର ଦିନ ବିଧାନସଭା ବାହାରେ ବିଜେଡ଼ିକୁ ଜେନେରାଲ୍ ଇଲେକ୍ଟ୍ରୋରାଲ୍ ଟ୍ରଷ୍ଟର ୮ କୋଟି ଦାନ ଓ ଚେକ୍ ଦେଖାଇଥିଲେ ସେ । ତା ବାଦ୍ ପଦୁଟିଏ ଅଧିକ କହି ନ ଥିଲେ ଅରୁଣ । ତେବେ ସେ ଯାହା ହେଉ, ପାଟିରେ ଜବାବ ରଖିବା ପାଇଁ ନିଜେ ଅରୁଣ ଓ ଦଳର କ୍ରାଇସିସ୍ ମ୍ୟାନେଜରମାନେ ରାତି ଉଜାଗର ହୋଇ ତଥ୍ୟ ଓଗାଳୁଛନ୍ତି, ନବୀନଙ୍କ ଭାବମୂର୍ତ୍ତିରେ ଯେଭଳି ଧୂଳି ନ ବାଜେ ତାହାର ଷ୍ଟ୍ରାଟେଜି ବନଉଛନ୍ତି ।
ମଜ୍ଜାର କଥା, ବିଧାନସଭାର ସ୍ୱାଭାବିକ ଦିନରେ ପ୍ରଶ୍ନୋତ୍ତର ପରେ ଗୃହରୁ ଗାଏବ ହୋଇଯାଉଥିବା ବିଜେଡ଼ି ସଦସ୍ୟମାନେ ଦୁଇଦିନ ହେଲା ବିଧାନସଭାକୁ ଜଗି ବସୁଛନ୍ତି । ବିରୋଧୀ ଦଳ ନେତାଙ୍କ ଇସ୍ତଫା ଦାବିରେ ଗୃହ ଅଚଳ କରିଦେଇଛନ୍ତି । ଘଣ୍ଟେ ଘଣ୍ଟେ ଅନ୍ତରରେ ଗୃହ ମୁଲତବୀ ଘୋଷଣା ହେଉଥିଲେ ମଧ୍ୟ ବିଧାନସଭା ଛାଡୁନାହାନ୍ତି ଦଳୀୟ ସଭ୍ୟ । ଖାଲି ବିଧାନସଭା ନୁହେଁ, ଭୁବନେଶ୍ୱର ନ ଛାଡ଼ିବାକୁ ମଧ୍ୟ ବିଧାୟକମାନଙ୍କୁ ନିର୍ଦେଶ ଯାଇଛି । ଷ୍ଟେଜ୍ ସୋ ହୋଇଥିବା ବିଧାନସଭାକୁ ଶାସକ ଦଳ ଅଚଳ କରୁଥିବା ବେଳେ ବାଚସ୍ପତି ନିରବଦ୍ରଷ୍ଟା ସାଜିଛନ୍ତି । ଅଚଳାବସ୍ଥାର ସମାଧାନ ପାଇଁ ଉଦ୍ୟମ ବି କରୁନାହାନ୍ତି । ନରସିଂହ ମିଶ୍ରଙ୍କ ପାଟି ଚୁପ୍ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୧୭ ବିଜେଡ଼ି ସଦସ୍ୟ ଝାଳନାଳ ହୋଇଯାଇଛନ୍ତି ।