ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ପୂର୍ଣ୍ଣଚନ୍ଦ୍ର ପାଢ଼ୀ ବିଜେଡ଼ି ଅଫିସ୍ରେ କାମ କରନ୍ତି । ବିଜେଡ଼ି ଆକାଉଣ୍ଟରେ ଦଳୀୟ ମେମ୍ବରସିପ୍ ଫିସ୍ ନିୟମିତ ବ୍ୟବଧାନରେ ଜମା କରନ୍ତି ବୋଲି ବିଜେଡ଼ି ମାନିଛି । କିନ୍ତୁ ଗୋଟିଏ ଦିନରେ ସେ ୮ କୋଟି ଟଙ୍କା ଜମା କରିଛନ୍ତି କି ନାହିଁ ତାହା ଉପରେ ନୀରବ । ବିରୋଧୀ ଦଳ ନେତା ବିଧାନସଭାରେ ଛାଡିଥିବା ଚିଟ୍ଫଣ୍ଡ ବ୍ରହ୍ମାସ୍ତ୍ର ଉପରେ ନିଜକୁ ସୁରକ୍ଷା ଦେବା ପାଇଁ ବିଜେଡ଼ି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି । ମୁଖପାତ୍ର ପ୍ରତାପ ଜେନାଙ୍କ ପରେ ସାଧାରଣ ସମ୍ପାଦକ ତଥା ମନ୍ତ୍ରୀ ଅରୁଣ ସାହୁ ପ୍ରେସ୍ ଇସ୍ତାହାର ମାଧ୍ୟମରେ ଦଳ ପକ୍ଷରୁ ସଫେଇ ଦେଇ ବିରୋଧୀ ଦଳ ନେତା ହୀନ ରାଜନୈତିକ ଉଦ୍ୟେଶ ରଖି ନେତା ଅସତ୍ୟ, ବିଭ୍ରାନ୍ତିକର, ଦାୟିତ୍ୱହୀନ ଓ ଶସ୍ତା ଅଭିଯୋଗ ଆଣିଛନ୍ତି ବୋଲି ପାଲଟା ଆକ୍ରମଣ କରିଛନ୍ତି । ଏଥିପାଇଁ ସେ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସହ ବିରୋଧୀ ଦଳ ନେତା ପଦରୁ ହଟିଯିବା ପାଇଁ ବିଜେଡ଼ି ଆହ୍ୱାନ ଦେଇଛି ।
ବିଜେଡ଼ି ପକ୍ଷରୁ ଅରୁଣ ସାହୁ ଦେଇଥିବା ପ୍ରେସ୍ ଇସ୍ତାହାରରେ ଦଳର ଅଫିସ୍ କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଠିକଣା ଓ ପରିଚୟ ଦିଆଯାଇଛି । ବିରୋଧୀ ଦଳ ନେତା କହୁଥିବା ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଇଏ ନୁହଁ ବୋଲି ସେ ସଫେଇ ଦେଇଛନ୍ତି । ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ ଠକେଇରେ ଗିରଫ ଶ୍ରାକୃଷ୍ଣ ପାଢ଼ୀଙ୍କ ପିତା ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଘର ବାଲେଶ୍ୱର ଜିଲ୍ଲାରେ ହୋଇଥିଲା ବେଳେ ବିଜେଡ଼ି ଦାବି କରିଥିବା ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଘର ଗଞ୍ଜାମ ଜିଲ୍ଲାରେ । ବିଜେଡ଼ି ନିଜ ଆଡୁ ସଫେଇ ଦେଇଛି ଯେ ଚିଟ୍ଫଣ୍ଡ ଅଭିଯୁକ୍ତ ଶ୍ରୀକୃଷ୍ଣଙ୍କ ବାପା ପୂର୍ଣ୍ଣ ପାଢ଼ୀ କେବେ ବି ବିଜେଡ଼ି ଆକାଉଣ୍ଟରେ ଟଙ୍କାଟିଏ ବି ଜମା କରିନାହାନ୍ତି । ମାତ୍ର ଦଳୀୟ ପ୍ରେସ୍ ଇସ୍ତାହାରରେ ଗୋଟିଏ ଦିନରେ ଦଳ ଆକାଉଣ୍ଟରେ ୮ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କଥାକୁ ଚତୁରତାର ସହ ଏଡାଇ ଦିଆଯାଇଛି ।
ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କୌଣସି ଅଭିଯୋଗ କରିନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କଠାରୁ କେବଳ ଉତ୍ତର ଚାହିଁଛନ୍ତି । ଏସବିଆଇ ଆକାଉଣ୍ଟ ନଂ ୧୦୦୯୧୭୫୫୨୪୬ ଟି ବିଜେଡ଼ି ଆକାଉଣ୍ଟ କି ନା ପଚାରିଛନ୍ତି । ସେଥିରେ ଗୋଟିଏ ଦିନରେ ୮ କୋଟି ଜମା ହୋଇଛି କି ନାହିଁ ପଚାରିଛନ୍ତି । ଶ୍ରୀକୃଷ୍ଣ ପାଢ଼ୀ ଓ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଆକାଉଣ୍ଟରୁ ସେହି ଟଙ୍କା ବିଜେଡ଼ି ଆକାଉଣ୍ଟକୁ ଆସିଛି କି ନାହିଁ ଜାଣିବାକୁ ଚାହିଁଛନ୍ତି । ସେହି ଦୁଇ ପାଢ଼ୀ ଚିଟ୍ଫଣ୍ଡ ଅଭିଯୁକ୍ତି କି ନାହିଁ ମୁଖ୍ୟମନ୍ତ୍ରୀଙ୍କଠାରୁ ଜବାବ ଚାହିଁଛନ୍ତି । ମାତ୍ର ମୁଖ୍ୟମନ୍ତ୍ରୀ ଏହାର ସିଧାସଳଖ ଜବାବ ଦେବା ପରିବର୍ତ୍ତେ ତାଙ୍କ ଚେଲାଚାମଣ୍ଡାଙ୍କ ଦ୍ୱାରା ଯେଉଁ ଜବାବ ଛାଡିଛନ୍ତି ତାହା ବାଟବଣା ହୋଇଛି । ନରସିଂହ ମିଶ୍ର ସିଧାସଳଖ ଅଭିଯୋଗ କରିଥିଲେ କଥା ଅଲଗା ହୋଇଥାଆନ୍ତା । ମାତ୍ର ସେ କିଛି ପ୍ରଶ୍ନର ଜବାବ ଚାହିଁଲା ବେଳକୁ ବିଜେଡ଼ି ସିଧାସଳଖ ଉତ୍ତର ନ ଦେଇ ନିଜକୁ ସତୀ ବୋଲି ସଫେଇ ଦେଲାଣି ।
ବିଧାନସଭାରେ ଏବେ ଦେଖିବାର କଥା ନରସିଂହ ମିଶ୍ର ଯେଉଁ ସବୁ ପ୍ରଶ୍ନ ପଚାରିଛନ୍ତି ତାହାର ଉତ୍ତର ନିଜ ପାଖରେ ରଖିଛନ୍ତି କି ନାହିଁ? ବିଜେଡ଼ିର ଉତ୍ତର ତାଙ୍କୁ ସନ୍ତୁଷ୍ଟ କରିଛି କି ନାହିଁ? ତେବେ ଯାହା ସୂଚନା ଅଛି, ବିରୋଧୀ ଦଳ ନେତା ଏହି ପ୍ରଶ୍ନ ଛାଡ଼ିବା ପୂର୍ବରୁ ସବୁର ଜବରଦସ୍ତ ତଥ୍ୟ ପ୍ରମାଣ ନିଜ ପାଖରେ ମହଜୁଦ ରଖିଛନ୍ତି । କିଛି ମିଡ଼ିଆକୁ ମଧ୍ୟ ଏହି ତଥ୍ୟ ଲିକ୍ ହୋଇଛି । ତେବେ ଏହି ତଥ୍ୟର ଦମ୍ କେତେ ତାହା ତ କାଲି ଜଣାପଡ଼ିବ ମାତ୍ର ଏହା ସତ ଯେ ବିରୋଧୀ ଦଳ ନେତାଙ୍କ ଏହି ତଥାକଥିତ ଚିଟ୍ଫଣ୍ଡ ବ୍ରହ୍ମାସ୍ତ୍ର ସତ ହୋଇଥିଲେ ସାଂଘାତିକ । ବିଜେଡ଼ି ଭାବମୂର୍ତ୍ତିର ବାଲିଘର ଧୂଳିସାତ୍ ହୋଇଯିବାଟା ଥୟ । ଆଉ ମିଛ ହୋଇଥିଲେ ବିରୋଧୀ ଦଳ ନେତା ତ ଲଜ୍ଜିତ ହେବେ, ସାଙ୍ଗକୁ ବିରୋଧୀ ଦଳଙ୍କ ଚିଟ୍ଫଣ୍ଡ ହମଲା ବିଜେଡ଼ିକୁ କାଟୁ କରିବନି । ନିଶରେ ଘିଅ ମାରି ଚାଲିବେ ବିଜେଡ଼ି ନେତା ।