ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜଷ୍ଟିସ୍ ଏମ୍ଏମ୍ ଦାସ ଓ ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କ ବହିଷ୍କାର ଦାବିରେ ଆଜି ପୁଣି ଅଚଳ ହୋଇଯାଇଛି ବିଧାନସଭା । ଗୃହ ଆରମ୍ଭ ହେଲା ମାତ୍ରେ ଗତକାଲି ଭଳି ଆଜି ବିଜେପି ବିଧାୟକମାନେ ବ୍ୟାନର ଜ୍ୟାକେଟ୍ ପିନ୍ଧି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । କଂଗ୍ରେସ ବିଧାୟକମାନେ ବି ଅନୁରୂପ ଭାବେ ଗୃହର ମଧ୍ୟଭାଗକୁ ଆସି ହୋ ହଲ୍ଲା ଆରମ୍ଭ କରିଥିଲେ । ମାତ୍ର ବାଚସ୍ପତି ତତ୍କ୍ଷଣାତ ଗୃହକୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଗୃହ ମୁଲତବୀ ଘୋଷଣା ପରେ ବିଜେଡ଼ି ସଭ୍ୟମାନେ ପୂର୍ବ ଯୋଜନାମତେ ସିଧା ଚାଲିଲେ ରାଜଭବନ । ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ସେମାନେ କେନ୍ଦ୍ର ସରକାରଙ୍କ ଓଡ଼ିଶା ମାରଣ ନୀତିର ପ୍ରତିବାଦ କରିଥିଲେ । ଚିଟ୍ଫଣ୍ଡ କାଉଣ୍ଟର ଭାବେ ସେମାନେ କେନ୍ଦ୍ର ସରକାରଙ୍କ ଚାଉଳ ନୀତିକୁ ଅସ୍ତ୍ର କରିଥିଲେ । ଗହମ ବଦଳରେ ଅଧିକ ଚାଉଳ ଯୋଗାଇବା ଦାବି କରି ସେମାନେ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଥିଲେ । ସେପଟେ ଏସସି/ଏସଟି କଂଗ୍ରେସ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ଚାମ୍ବର ସାମନାରେ ପ୍ରତିବାଦ ଧାରଣାରେ ବସିଥିଲେ । ରାଜ୍ୟ ସରକାରଙ୍କ ଏସସି/ଏସଟି ମାରଣ ନୀତିକୁ ସେମାନେ ବିରୋଧ କରିଥିଲେ । ବିଜେପି ସଭ୍ୟମାନେ ଚିଟ୍ଫଣ୍ଡ ପ୍ରସଙ୍ଗକୁ ନେଇ ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ତୁହାକୁ ତୁହା ଆଲୋଚନା ଚଳାଇଥିଲେ । ସୁତରାଂ ବିଧାନସଭା ଅଚଳ ହୋଇ ଗୃହ ବନ୍ଦ ହୋଇଯାଇଥିଲେ ମଧ୍ୟ ବିଧାନସଭା ବାହାରେ ସ୍ଥିତି ଚଳଚଞ୍ଚଳ ରହିଛି ।





