ଭୁବନେଶ୍ୱର: “ମୁଁ ମୋ ପିଲାଛୁଆ ବାପା ମାଆଙ୍କ ନାମରେ ଶପଥ କରି କହୁଛି ଯେ ମୁଁ ବର୍ତ୍ତମାନ ସମୟରେ ବାହାରକୁ ଯିବି ନାହିଁ । ବାହାରକୁ ଗଲେ କରୋନା ଭାଇରସ୍ ମୋ ସାଥୀରେ ମୋ ଘରକୁ ଆସିପାରେ ଏବଂ ମୋ ପରିବାରର କ୍ଷତି କରିପାରେ । ତେଣୁ ମୁଁ ଏବେ ବାହାରକୁ ଯିବି ନାହିଁ । ଯଦି ଜରୁରୀ କାମରେ ଯିବି ତେବେ ଫେରିବା ସମୟରେ ସାବୁନ୍ ରେ ଭଲ ଭାବରେ ୨୦ ସେକେଣ୍ଡ ପର୍ଯ୍ୟନ୍ତ ହାତ ଧୋଇ ଘରକୁ ପଶିବି । କରୋନା ଭାଇରସ୍ କୁ କେବେ ବି ମୋ ଘରେ ପଶିବାକୁ ଦେବି ନାହିଁ । ମୋର ପରିବାର ପାଇଁ ବିପଦର କାରଣ ହେବି ନାହିଁ ।”
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅତ୍ୟନ୍ତ ଆବେଗଭରା ନିବେଦନରେ ଓଡ଼ିଶାବାସୀଙ୍କୁ ଏହି ଶପଥ କରାଇଛନ୍ତି । ‘ମୋ ଜୀବନ କାର୍ଯ୍ୟକ୍ରମ’ ଅଂଶ ଭାବେ ପ୍ରତିଦିନ ଏହି ଶପଥପାଠ କରିବାକୁ ପ୍ରତ୍ୟେକ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ନିଜ ଘରର ଏଣ୍ଟ୍ରାନସ୍ ରେ ଏହି ଶପଥପାଠ ଲଗାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବା ସହ ଏହାର ଭିଡ଼ିଓ କରି ସୋସିଆଲ୍ ମିଡ଼ିଆରେ ତାଙ୍କ ପାଖକୁ ପଠାଇବାକୁ ଅନୁରୋଧ କରିଛନ୍ତି ।
ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,
କରୋନା ଭାଇରସ୍ ବିଷୟରେ ଆପଣମାନେ ଭଲ ଭାବେ ଜାଣି ସାରିଲେଣି । ଚୀନ୍ ରେ ଥିଲା, ବହୁତ ଦୂରରେ ଥିଲା । ଆମେରିକା ଓ ୟୁରୋପ୍ ରେ ଥିଲା, ବହୁତ ଦୂରରେ ଥିଲା । ପରେ ଇରାନ୍ କୁ ଆସିଲା । ଦିଲ୍ଲୀରେ ବି ପହଞ୍ଚିଲା । ଏବେ ଏହି ଭାଇରସ୍ ଆମ ଘର ପାଖରେ ପହଞ୍ଚୁଛି ।
ଆମ ନିଜ ଭଲ ପାଇଁ, ନିଜ ପରିବାରର ଭଲ ପାଇଁ ଆମର ଦାୟିତ୍ୱ ହେଉଛି ଆମେ ଏହି ଭାଇରସ୍ କୁ ଘରେ ପଶିବାକୁ ଦେବା ନାହିଁ । ସେଥିପାଇଁ ଏ ଲକ୍ ଡାଉନ୍ । ଗତ ୨୦ ବର୍ଷର ସେବା ମଧ୍ୟରେ ମୁଁ ମୋ ପ୍ରିୟ ଓଡ଼ିଶାବାସୀଙ୍କ ନିକଟରେ ଅନେକ ଅନୁରୋଧ ରଖିଛି । ଆପଣମାନେ ସବୁ ଅନୁରୋଧକୁ ପାଳନ କରୁଛନ୍ତି । ଏଥିପାଇଁ ମୁଁ ଆପଣମାନଙ୍କ ନିକଟରେ ଋଣୀ ।
ଆଜି ମୁଁ ଯେଉଁ ଅନୁରୋଧ ରଖୁଛି ତାହା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆଜି ମୁଁ ଆପଣଙ୍କ ନିକଟରେ ‘ମୋ ଜୀବନ କାର୍ଯ୍ୟକ୍ରମ’ ରଖୁଛି । ଆପଣ ଓ ଆପଣଙ୍କ ପରିବାରର ସୁରକ୍ଷା ଆପଣଙ୍କ ହାତରେ । କରୋନା ଭାଇରସ୍ ଆପଣଙ୍କ ଆସିବା ନ ଆସିବା ଆପଣଙ୍କ ବ୍ୟବହାର ଉପରେ ନିର୍ଭର କରୁଛି । ଆପଣ ସାବଧାନ ରହିଲେ ଏହା ଆପଣଙ୍କ ଘର ଭିତରକୁ ପଶି ପାରିବ ନାହିଁ ।
ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାର ଶେଷରେ କହିଛନ୍ତି,
ମୋର ପ୍ରିୟ ଓଡ଼ିଶାବାସୀ, ଆପଣମାନେ ମୋର ଏହି ଅନୁରୋଧ ରଖନ୍ତୁ । ଘରେ ରହନ୍ତୁ । ପରିବାରକୁ ବଞ୍ଚାନ୍ତୁ । ବହୁତ ବହୁତ ଅନୁରୋଧ । ନମସ୍କାର ।