ଭୁବନେଶ୍ୱର: କ୍ଷୀର ପିଇ ଦେହରେ ଶକ୍ତି ବଢ଼ାନ୍ତୁ । କରୋନା ବିରୋଧରେ ଲଢ଼ନ୍ତୁ । ଉଚ୍ଚଶିକ୍ଷା, କୃଷି ଓ ପଶୁସମ୍ପଦ ମନ୍ତ୍ରୀ ଡ. ଅରୁଣ ସାହୁ ଆଜି ଏକ ଭିଡ଼ିଓ ଜରିଆରେ ଓଡ଼ିଶାବାସୀଙ୍କୁ ଏହି ପରାମର୍ଶ ଦେଇଛନ୍ତି । କରୋନା ପାଇଁ ଲକ୍ ଡାଉନ୍ ରେ ଥିବା ଜନସାଧାରଣ ଦୋକାନରୁ କ୍ଷୀର ଆଣି ପିଇବାକୁ ଆଗ୍ରହ କମାଇ ଦେଇଥିବାରୁ ମନ୍ତ୍ରୀ ଉଦବେଗ ପ୍ରକାଶ କରିଛନ୍ତି । ସ୍ୱାସ୍ଥ୍ୟ ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ ବୋଲି ସେ ସତର୍କ କରାଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ଆଜି ସାରା ପୃଥିବୀରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ଭାଇରସ୍ କଭେଟ୍-୧୯ ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରିଛି । ଏହି ମାରାତ୍ମକ ଭାଇରସ୍ ର ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ସରକାର ଓ ଆମ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବା ସହ ଲକ୍ ଡାଉନ୍ ନିର୍ଦ୍ଦେଶ ଦେଇଛନ୍ତି । ଜନସାଧାରଣ ଏହି ଲକ୍ ଡାଉନ୍ ପାଳନ କରୁଥିବା ବେଳେ କ୍ଷୀର ବ୍ୟବହାର କମେଇ ଦେବା ତାଙ୍କୁ ବ୍ୟଥିତ କରିଛି ।
କ୍ଷୀର ଏକ ଅତ୍ୟାବଶ୍ୟକ ସାମଗ୍ରୀ ହୋଇଥିବାରୁ ଲକ୍ ଡାଉନ୍ ରୁ ବାଦ୍ ଦିଆଯାଇଛି । ଓମଫେଡ୍ ଦୋକାନ, ରିଟେଲ୍ କାଉଣ୍ଟର୍ ଏବଂ ଅନ୍ୟାନ୍ୟ କ୍ଷୀର ବିକ୍ରୀ ଦୋକାନଗୁଡ଼ିକୁ ଲକ୍ ଡାଉନ୍ କଟକଣାରୁ ମୁକ୍ତ ଅଛନ୍ତି । ଆମ ଓଡ଼ିଶାେରେ ଓମଫେଡ୍ ଦ୍ୱାରା ଦୈନିକ ୫ ଲକ୍ଷ ଲିଟର କ୍ଷୀର ସଂଗ୍ରହ କରାଯାଏ । ତେଣୁ କ୍ଷୀର ଅଭାବ ନାହିଁ କି ତାହାର ବିକ୍ରୀ ଉପରେ କଟକଣା ନାହିଁ । କିନ୍ତୁ ତାହା ସତ୍ତ୍ୱେ କ୍ଷୀର ବିକ୍ରୀ କମିଛି । କ୍ଷୀର ଏତେ ଶକ୍ତିବର୍ଦ୍ଧକ ହୋଇଥିଲେ ମଧ୍ୟ ତାହାର ବିକ୍ରୀବଟା କମିବା ଚିନ୍ତାର କାରଣ ବୋଲି ଅରୁଣ କହିଛନ୍ତି ।
ମନ୍ତ୍ରୀ ଡ. ସାହୁଙ୍କ ପରାମର୍ଶ ହେଉଛି, ଜନସାଧାରଣ ପ୍ରଚୁର ପରିମାଣରେ କ୍ଷୀର ପିଅନ୍ତୁ । କାରଣ ଡାକ୍ତରମାନଙ୍କ ମତରେ କ୍ଷୀର ଏକ ସୁଷମ, ପୃଷ୍ଟିକର ଖାଦ୍ୟ । ଏଥିରେ ଭିଟାମିନ୍ ଏ , ଭିଟାମିନ୍ ବି୨, ମିନେରାଲସ୍ ଅଛି, କ୍ୟାଲସିୟମ୍ ଅଛି । ନିଉଟ୍ରିନସ୍ ଭରପୂର ଅଛି । ଅନ୍ୟପକ୍ଷରେ ଓଡ଼ିଶାରେ ୩ ଲକ୍ଷ କ୍ଷୀର ଚାଷୀ କେବଳ ଓମଫେଡକୁ କ୍ଷୀର ଯୋଗାନ୍ତି । କ୍ଷୀର ବିକ୍ରୀ କରି ସେମାନେ ପେଟ ପୋଷନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନର ଆବଶ୍ୟକତା ହେଉଛି ନିଜେ ସୁରକ୍ଷିତ ରୁହନ୍ତୁ ଏବଂ ଅନ୍ୟକୁ ସୁରକ୍ଷିତ ରଖିବାକୁ ସାହାଯ୍ୟ କରନ୍ତୁ । ଦୁଗ୍ଧ ପାନ କରନ୍ତୁ, ଶକ୍ତି ବଢ଼ାନ୍ତୁ । ଏବଂ କରୋନା ବିରୋଧରେ ଲଢ଼େଇ କରିବାର ସମସ୍ତ ଶକ୍ତି ନିଜ ପାଖରେ ଠୁଳ କରନ୍ତୁ । ଓଡ଼ିଶାର ଚାଷୀ ବଞ୍ଚନ୍ତୁ । ଓଡ଼ିଶାର ଜନସାଧାରଣ ସୁସ୍ଥ ରହନ୍ତୁ ବୋଲି ଅରୁଣ ବିନମ୍ର ନିବେଦନ କରିଛନ୍ତି ।