ନୂଆଦିଲ୍ଲୀ: ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ମଧ୍ୟରାତ୍ରରୁ ଦେଶ ୩ ସପ୍ତାହ ବା ୨୧ ଦିନ ପାଇଁ ଲକ୍ ଡାଉନ୍ ରେ ରହିବ । କରୋନା ବିପଦରୁ ଭାରତକୁ ବଞ୍ଚାଇବା ପାଇଁ ଏହା ଏକମାତ୍ର ରାସ୍ତା ବୋଲି ମୋଦି କହିଛନ୍ତି । ଏହାକୁ କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ ବୋଲି ଜଣାଇ ଦେଇଛନ୍ତି ।
ଆଜି ସଂଧ୍ୟାରେ ଦେଶବାସୀଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହି ଗୁରୁତ୍ୱପୂର୍ଣ୍ଣ ତଥା କଠୋର କଟକଣା ଘୋଷଣା କରିଛନ୍ତି ।
କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ‘ସାମାଜିକ ଦୂରତ୍ୱ’ ଏକମାତ୍ର ଅସ୍ତ୍ର । ୨୧ ଦିନ ପାଇଁ କେହି ଜଣେ ବି ବାହାରେ ବୁଲିବା କଥା ଭୁଲିଯାଅ । ଏହି ଦିନଗୁଡ଼ିକରେ ସମସ୍ତଙ୍କର ଗୋଟିଏ କାମ କେବଳ ଘରେ ରହିବା । ନିଜ ଘରଦ୍ୱାରକୁ ଆପଣ ଲକ୍ଷ୍ମଣରେଖା ଭାବିଦିଅନ୍ତୁ । ଆପଣମାନେ ଦେଶର ଯିଏ ଯେଉଁଠି ଥାଆନ୍ତୁ ନା କାହିଁକି, ସମସ୍ତଙ୍କୁ ମୁଁ ହାତଯୋଡିକି ଏହି ପ୍ରାର୍ଥନା କରୁଛି- କୋଇ ରୋଡ୍ ପର୍ ନା ନିକଲେ ।
ଆପଣଙ୍କ ଟିକେ ଭୁଲ୍ କରୋନାକୁ ଆପଣଙ୍କ ଘରକୁ ନେଇ ଆସିବ । ଏହି ୨୧ ଦିନ ସମ୍ଭାଳି ନ ପାରିଲେ, ଆମେ ୨୧ ବର୍ଷ ପଛକୁ ପଳାଇବା । କିଛି ପରିବାର ସବୁଦିନ ପାଇଁ ନିଶ୍ଚିନ୍ନ ହୋଇଯିବେ । ତେଣୁ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ଜଣେ ପରିବାର ସଦସ୍ୟ ଭାବେ ମୁଁ ସମସ୍ତଙ୍କୁ ଘରେ ରହିବାକୁ ହାତଯୋଡି ନିବେଦନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଆବେଗପୂର୍ଣ୍ଣ ଅପିଲ୍ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଥିଲେ, କରୋନା ଭାଇରସ୍ ଭାରି ଭୟଙ୍କର । କରୋନା ଭାଇରସ୍ ର ବେଗ କେତେ ଅନ୍ଦାଜ ଲଗାଇବା କଷ୍ଟ । ପ୍ରଥମ ୬୭ ଦିନରେ ୧ ଲକ୍ଷ ଲୋକଙ୍କୁ ଆକ୍ରାନ୍ତ କରିଥିଲା । ପରବର୍ତ୍ତୀ ୧୧ ଦିନରେ ଆଉ ୧ ଲକ୍ଷ ଲୋକ ଆକ୍ରାନ୍ତ ହେଲେ । ଶେଷ ୪ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷରେ ପହଞ୍ଚିଥିଲା । ତେଣୁ କରୋନା ଭାଇରସ୍ ର ବେଗ କେତେ ତାହା ସହଜେ ଅନୁମେୟ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଏହି ମହାମାରୀରେ ସଂକ୍ରମିତ ଜଣେ ବ୍ୟକ୍ତି ମାତ୍ର ୧୦ ଦିନରେ ୧୦୦ ଲୋକଙ୍କୁ ସଂକ୍ରମଣ କରିଦିଏ । ଥରେ ସଂକ୍ରମଣ ହୋଇଗଲେ, ଏହାକୁ ରୋକିବା କଷ୍ଟକର । ଏପରିକି ସଂକ୍ରମିତ ବ୍ୟକ୍ତି ମୂଳରୁ ଜଣାପଡ଼ନ୍ତିନି । ପୂରା ସୁସ୍ଥ ଲାଗନ୍ତି । ଜାଣିଲା ବେଳକୁ ସଂକ୍ରମଣ ଆୟତ୍ତ ବାହାରକୁ ଚାଲିଯାଏ ।
ଏହି ପରିପ୍ରେକ୍ଷୀରେ ଗୁଜବ ଓ ଅନ୍ଧବିଶ୍ୱାସଠାରୁ ସମସ୍ତେ ଦୂରେଇ ରହିବାକୁ ମୋଦି ପରାମର୍ଶ ଦେଇଥିଲେ । ସତର୍କତାର ସହ ଦାୟିତ୍ୱ ତୁଲାଇବାକୁ ଗଣମାଧ୍ୟମକୁ ମଧ୍ୟ ପରାମର୍ଶ ଦେଇଥିଲେ ।
କରୋନା ମୁକାବିଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ପାଇଁ ପ୍ରଧାନମନ୍ତ୍ରୀ ୧୫,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି । ଏଥିରେ ଡାକ୍ତରଖାନା ବେଡ୍, ନମୁନା ପରୀକ୍ଷା, ଭେଣ୍ଟିଲେଟର୍ ଏବଂ ଅନ୍ୟନ୍ୟ ମେଡ଼ିକାଲ୍ ସାମଗ୍ରୀ କିଣାଯିବ ।
Outstanding step by our beloved PM. Step should be taken for poor their livelihood.