ଭୁବନେଶ୍ୱର: କରୋନା ଆତଙ୍କରୁ ବର୍ତ୍ତିବା ପାଇଁ ଏବେ ଜୀବନଶୈଳୀ ବଦଳାଇବାର ସମୟ । କାରଣ ଘରୁ ବାହାରିଲାମାତ୍ରେ ହିଁ ବିପଦର ଆଶଙ୍କା । ନିଜ ଓ ପରିବାରର ଜୀବନରକ୍ଷା ପାଇଁ ଘରେ ରହିବାର ଦାୟିତ୍ୱ ସମସ୍ତଙ୍କୁ ନିଷ୍ଠାର ସହ ପାଳନ କରିବାକୁ ହେବ । ନଚେତ୍ ଆଗକୁ ଏହି କରୋନା ବିସ୍ଫୋରକ ସ୍ଥିତି ନେବ ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗଚୀ ଆଜି ସତର୍କ କରାଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀରେ ବାଗଚୀ କହିଛନ୍ତି, ସବୁ କାଶ, ଥଣ୍ଡା ଜ୍ୱର କରୋନା ରୋଗ ନୁହେଁ । ମାତ୍ର ଆମକୁ ସେଥିପାଇଁ ସତର୍କ ରହିବା ନିହାତି ଜରୁରୀ । ଆତଙ୍କିତ ନହୋଈ ପରିସ୍ଥିତିର ମୁକାବିଲା କରିବାର ମାନସିକତାକୁ ଦୃଢ଼ କରିବାକୁ ହେବ । ସାରା ବିଶ୍ୱରେ କରୋନାର କ୍ରମବର୍ଦ୍ଧିଷ୍ଣୁ ହାରକୁ ଦେଖିଲେ ଆଗକୁ ଏହା ବିସ୍ଫୋରକ ସ୍ଥିତି ନେବ ବୋଲି ଆକଳନ କରାଯାଉଛି । ରୋକ୍ ନ ଲାଗିଲେ, ମେ ୩୧ ତାରିଖ ସୁଦ୍ଧା କରୋନା ଭୟଙ୍କର ସ୍ଥିତି ନେଇଥିବ । ଆମ ଦେଶରେ ଅତି କମ୍ ରେ ୫୮,୬୪୩ ଜଣ ଏବଂ ଅତି ବେଶୀରେ ୧୦ ଲକ୍ଷ କରୋନା ଆକ୍ରାନ୍ତ ହୋଇଥିବେ । ସେହି ଅନୁପାତରେ ଓଡ଼ିଶାରେ ଅତି କମ୍ ରେ ୨୩୪୫ ଜଣ ଏବଂ ଅତି ବେଶୀରେ ୩୬ ହଜାର ଆକ୍ରାନ୍ତ ଥିବେ । ଅର୍ଥନୀତି ଉପରେ ଏହାର ସାଂଘାତିକ ପ୍ରଭାବ ପଡ଼ିବ । ଏଥିରୁ ବଞ୍ଚିବାକୁ ଲକ୍ ଡାଉନ୍ ବ୍ୟବସ୍ଥା କରାଯାଇଛି ।
କିନ୍ତୁ ଏଭଳି ସମୟରେ କିଛି ଲୋକ ଲକ୍ ଡାଉନ୍ ଉଲ୍ଲଂଘନ କରି ରାସ୍ତାରେ ବୁଲୁଛନ୍ତି । ଏତିକି ଜାଣନ୍ତୁ ଯେ କରୋନା ଆମକୁ ରାସ୍ତାରେ ଖୋଜୁଛି । ବଞ୍ଚିବାକୁ ହେଲେ ଲକ୍ ଡାଉନ୍ କୁ ଅତି ଗୁରୁତ୍ୱର ସହ ନେବାକୁ ପଡ଼ିବ । ଏହାକୁ ସମସ୍ତେ ପାଳନ କରି କରୋନା ଭୟାବହତାକୁ ପ୍ରତିହତ କରିବାକୁ ଶ୍ରୀ ବାଗଚୀ ନିବେଦନ କରିଥିଲେ ।
ଆଜି ଦିନ ୧୨ଟା ସୁଦ୍ଧା ଓଡ଼ିଶାରେ ୧୧୦ ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଥିଲା । ତେବେ ସବୁ ନମୁନା ରିପୋର୍ଟ ନେଗେଟିଭ୍ ଆସିଛି । ପୂର୍ବର ଦୁଇଟି ପଜିଟିଭ୍ ବ୍ୟତୀତ ଆଉ କୌଣସି ନୂଆ ପଜିଟିଭ୍ ଚିହ୍ନଟ ହୋଇନାହିଁ । ଚିକିତ୍ସିତ ଦୁଇ ସଂକ୍ରମିତ ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ରୋଗୀଙ୍କ ସଂସ୍ପର୍ଶରେ ବର୍ତ୍ତମାନ ସୁଦ୍ଧା ୫୭ ଜଣ ଆସିଥିବା ତଥ୍ୟ ମିଳିଛି । ସେମାନଙ୍କ ମଧ୍ୟରୁ ୫୪ ଜଣଙ୍କ ସହ ଯୋଗାଯୋଗ ହୋଇଛି । ୯ଟି ମନିଟରିଂ ଟିମ୍ କୁ ନେଇ ଅନ୍ୟ ୩ ଜଣଙ୍କ ସହ ଯୋଗାଯୋଗ ପାଇଁ ପ୍ରଚେଷ୍ଟା ଚାଲିଛି ।
ବର୍ତ୍ତମାନ ସୁଦ୍ଧା ୩୮୬୧ ଜଣ ୧୦୪ ହେଲପ୍ ଲାଇନ୍ ଏବଂ ପୋର୍ଟାଲ୍ ଜରିଆରେ ପଞ୍ଜିକରଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୦ ଜଣଙ୍କଠାରେ କିଛି କିଛି ଲକ୍ଷଣ ଦେଖାଯାଇଛି । ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ୪୫ ଜଣଙ୍କୁ ଡାକ୍ତରଖାନାରେ ଆଇସୋଲେସନ୍ ରେ ରଖାଯାଇଛି ବୋଲି ଶ୍ରୀ ବାଗଚୀ ସୂଚନା ଦେଇଥିଲେ ।