ଭୁବନେଶ୍ୱର: ଗତ ମଧ୍ୟରାତ୍ରରୁ ସାରା ଦେଶ ଲକ୍ ଡାଉନ୍ ହେବା ପୂର୍ବରୁ ଗତକାଲି ସକାଳୁ ସାରା ଓଡ଼ିଶା ଲକ୍ ଡାଉନ୍ ହୋଇସାରିଛି । ଲୋକମାନେ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ହାତଯୋଡି ନିବେଦନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ବାପାମାଆ, ପିଲାଛୁଆଙ୍କ ରାଣ ଖୁଆଇଛନ୍ତି । କରୋନାର ଭୟାବହତାକୁ ଉଭୟ ଗମ୍ଭୀରତାର ସହ ନେଇସାରିଛନ୍ତି । ଜନସାଧାରଣ ବି ଏହି ଗମ୍ଭୀରତାକୁ ଠିକ୍ ରେ ବୁଝିସାରିଛନ୍ତି ।
ହେଲେ ଅନେକ ଲୋକ କରୋନା ଭାଇରସ୍ ପ୍ରତି ଅଧିକ ସତର୍କ ରହି ସଚେତନ ହେବା ବଦଳରେ ଓଲଟି ଅଧିକ ଛାନିଆଁ ହୋଇ କରୋନା ବିପଦକୁ ବରଣ କରୁଛନ୍ତି । ଘରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଠୁଳ କରିବାକୁ ଲୋକଙ୍କ ବ୍ୟାକୁଳତା ଯୋଗୁଁ ଆବଶ୍ୟକତା ବାହାରକୁ ଯାଇ ସେମାନେ ଚାଉଳ, ଡାଲି, ପନିପରିବା, ସଉଦାପତ୍ର କିଣିବା ଆରମ୍ଭ କରିଛନ୍ତି । ଖାସ୍ କରି, ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଦେଶରେ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିବା ପରେ ଲୋକମାନେ ଅଧିକ ଛାନିଆଁ ହୋଇଯାଇଛନ୍ତି । ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଘରେ ମହଜୁଦ କରି ରଖିବାକୁ ଦୋକାନରେ ଭିଡ଼ କରୁଛନ୍ତି । ଥିଲାବାଲା ଲୋକଙ୍କ କ୍ଷେତ୍ରରେ ଏହା ଅଧିକ ଦେଖିବାକୁ ମିଳୁଛି । ଆଜି ସକାଳୁ ଭୁବନେଶ୍ୱର ସମେତ ସବୁଆଡେ ଏଭଳି ଦୃଶ୍ୟ ।
ଏହା ସତ ଯେ ଏଭଳି ସଙ୍କଟ ସମୟରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ଦିନ ମଜୁରିଆ, ଟାକ୍ସି/ଅଟୋ ଚାଳକ, ଛୋଟ ଦୋକାନୀ ଓ ଗରିବ ସାଧାରଣ ଲୋକଙ୍କ ପେଟପାଟଣା କଥା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଏଜେଣ୍ଡାକୁ ଏ ପର୍ଯ୍ୟନ୍ତ ଆସିନାହିଁ । ଏହା ଆଗକୁ ନିଶ୍ଚିତ ଭାବେ ଆଲୋଚନା କରାଯିବ । ତେବେ କରୋନା ଭୟାବହତା ସମ୍ପର୍କରେ ସବୁ ଜାଣି ବି ଅନେକ ଲୋକଙ୍କ ମନରେ ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଚେତନତା ଆସିନାହିଁ ତାହା ଆଜିର ହାଟ ବଜାର ଦୃଶ୍ୟରୁ ସ୍ପଷ୍ଟ ଜଣାପଡୁଛି । ତେଜରାତି, ପନିପରିବା ଦୋକାନ ସାଙ୍ଗକୁ ବୁଧବାର ଆମିଷ ବାର ଯୋଗୁଁ ମାଛ, ମାଂସ ବଜାରରେ ପ୍ରବଳ ଭିଡ଼ ହୋଇଥିଲା । ଲୋକମାନେ ଠେଲାଠେଲି ହୋଇ ମାଛ, ମାଂସ କିଣୁଥିବା ଅନେକ ଜାଗାରେ ଦେଖିବାକୁ ମିଳିଛି ।








