ଭୁବନେଶ୍ୱର: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ପିସିସି ମୁଖପାତ୍ର ତଥା ଟାଣୁଆ ଯୁବନେତା ମାନସ ରଞ୍ଜନ ମଙ୍ଗରାଜ ବିଜେଡ଼ିରେ ମିଶିବେ । ଆସନ୍ତାକାଲି ସକାଳ ସାଢ଼େ ୧୦ଟା ବେଳେ ନବୀନ ନିବାସରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଜେଡ଼ିରେ ଯୋଗଦେବେ । ମାନସଙ୍କ ବିଜେଡ଼ିରେ ଯୋଗଦାନ ପାଇଁ ତାଙ୍କ ସମର୍ଥକମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଚିଲିକା ନିର୍ବାଚନମଣ୍ଡଳୀ ସମେତ ବିଭିନ୍ନ ସ୍ଥାନରୁ ହଜାରରୁ ଅଧିକ ସମର୍ଥକ ଏୟାରପୋର୍ଟ ଛକରୁ ତାଙ୍କୁ ଏକ ବିରାଟ ପଟୁଆରରେ ନବୀନ ନିବାସ ପର୍ଯ୍ୟନ୍ତ ନେବେ । ନବୀନ ନିବାସରେ ଦଳର ସବୁବର୍ଗର ନେତା, ମନ୍ତ୍ରୀ ଓ ବିଧାୟକଙ୍କ ଗହଣରେ ମିଶ୍ରଣ ପର୍ବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ, ମାନସ ମଙ୍ଗରାଜ ୨୦୦୯ ମସିହାରେ ଚିଲିକା ନିର୍ବାଚନମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ । ପିସିସି ମୁଖପାତ୍ର, ଯୁବ କଂଗ୍ରେସର ମୁଖ୍ୟ ମୁଖପାତ୍ର ସମେତ ଜାତୀୟସ୍ତରରେ ସେ କଂଗ୍ରେସର ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଥିଲେ । ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଦୁର୍ବଳ ନେତୃତ୍ୱ ଓ କାର୍ଯ୍ୟକଳାପରେ ନିଜକୁ ଅତିଷ୍ଠ ମନେ କରି ସେ ମାର୍ଚ୍ଚ ୧୯ ତାରିଖରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।