ଭୁବନେଶ୍ୱର: ସରକାରୀ ବାବୁଙ୍କୁ ହାତରେ ରଖି ଶୁଖିଲା ନଈରୁ କେମିତି ବାଳିଆ ମାଛ ମରାହୁଏ ତାହା କରି ଦେଖାଉଛନ୍ତି ନିର୍ଦ୍ଦିଷ୍ଟ ଇଂରାଜୀ ୱେବ ପୋର୍ଟାଲ୍ ମାଲିକ । ସରକାରଙ୍କ ଗେହ୍ଲାପୁଅ ସାଜିଥିବା ଏହି ସାମ୍ବାଦିକ ନିଜ ପୋର୍ଟାଲ୍ ରେ ମନଇଚ୍ଛା ସରକାରୀ ବିଜ୍ଞାପନ ବସାଇ କେମିତି ସାଢ଼େ ୬ ଲକ୍ଷ ଟଙ୍କା ଚଳୁ କରିବାକୁ ବସିଛନ୍ତି ଗତଥର ଆମେ ଲେଖିଥିଲୁ । ବିଭାଗୀୟ ନିର୍ଦ୍ଦେଶକ ସେହି ଫଲସ୍ ବିଲ୍ କୁ ପାସ୍ କରାଇବା ପାଇଁ ତଳିଆଙ୍କୁ ମୌଖିକ ନିର୍ଦ୍ଦେଶ ଦେଇସାରିଥିବା ଜଣାଇଥିଲୁ । ଏହି ସାଂଘାତିକ ଦୋ ନମ୍ବରି କାରବାର ସମ୍ପର୍କରେ ଦୁଇ ଦୁଇଟି ଓଡ଼ିଆ ୱେବ୍ ପୋର୍ଟାଲ୍ ରେ ଖବର ପ୍ରକାଶ ପାଇଲା । ହେଲେ କିଛି ଫରକ୍ ପଡ଼ିନି । ଗଳା ବାଟ ଖୋଜି ବିଲ୍ ଟି ଜଲଦି ପାସ୍ କରାଇଦେବାକୁ ଅଧସ୍ତନ କର୍ମଚାରୀଙ୍କ ଉପରେ ନିର୍ଦ୍ଦେଶକ ଚାପ ପକାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅନୀତି ଉପାୟରେ ସାଢ଼େ ୬ ଲକ୍ଷ ସରକାରୀ ଅର୍ଥ ପାଇବାକୁ ପୋର୍ଟାଲ୍ ମାଲିକ ଗୁହାରିଆ ପଡ଼ିବା ଏବଂ ନିର୍ଦ୍ଦେଶକ ତାଙ୍କୁ ତଥାସ୍ତୁ କରିବାକୁ ଗଳାବାଟ ଖୋଜିବା ଶୁଣିଲା ଲୋକଙ୍କୁ ଲଜ୍ଜିତ କରିଛି । ଏଭଳି ହୀନ କାର୍ଯ୍ୟକୁ ସାମ୍ବାଦିକମହଲରେ ଛି ଛାକର କରାଯାଇଛି ।
ବିନା ରିଲିଜ୍ ଅର୍ଡରରେ ସରକାରୀ ବିଜ୍ଞାପନ ବସାଇ ତା ବାବଦକୁ ସାଢ଼େ ୬ ଲକ୍ଷ ଟଙ୍କାର ବିଲ୍ ପୈଠ କରିବା ଏକ ଗର୍ହିତ ଅପରାଧ ଓ ଠକେଇ କାର୍ଯ୍ୟ । ମାତ୍ର ସଂପୃକ୍ତ ସାମ୍ବାଦିକ ତାହାକୁ ଅନାୟାସରେ କରିଛନ୍ତି । ତାଙ୍କର ଏଭଳି ହୀନକାର୍ଯ୍ୟ ପଛରେ ସରକାରୀ ବାବୁଙ୍କ ସହାୟତା ମଧ୍ୟ ସ୍ପଷ୍ଟ ହୋଇଯାଇଛି । ତେବେ ଲୁଚାଛପାରେ ଚାଲିଥିବା ଏହି କାର୍ଯ୍ୟ ପଦାକୁ ଆସିଗଲା ପରେ ସାମ୍ବାଦିକଙ୍କର ଲଜ୍ଜା ହୋଇନି କି ପ୍ରୋତ୍ସାହନକାରୀ ବାବୁଙ୍କ ଡର ହୋଇନି । ବରଂ ମାମଲା ଅଧିକ ଘଣ୍ଟାଚକଟା ହେବା ପୂର୍ବରୁ ବିଲ୍ ମଂଜୁର କରିଦେବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି । ଇତିମଧ୍ୟରେ ଘଟଣାଟି ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆସିଥିଲେ ମଧ୍ୟ ସେ ଏହାର ଅନୁଧ୍ୟାନ ନ କରି ଚୁପ୍ ବସିବା ସମସ୍ତଙ୍କୁ ବିସ୍ମିତ କରିଛି । ଇଂରେଜୀ ପୋର୍ଟାଲ୍ ସାମ୍ବାଦିକଙ୍କର ଦବଦବା ଆଗରେ ସେ ନିଜକୁ ଅସହାୟ କରିଦେଇଛନ୍ତି । ପୂର୍ବରୁ ସଂପୃକ୍ତ ପୋର୍ଟାଲ୍ କୁ ଏକପାଖିଆ ଭାବେ ସରକାରୀ ବିଜ୍ଞାପନ ତାଲିକାରେ ସାମିଲକୁ ନେଇ ନିଜେ ମନ୍ତ୍ରୀ ଅମଙ୍ଗ ଥିଲେ । ଏ ସମ୍ପର୍କିତ ଫାଇଲରେ ସେ ଦସ୍ତଖତ କରୁ ନ ଥିଲେ । ମାତ୍ର ତାଙ୍କ ଇଚ୍ଛା କାମ କଲାନି । ସେହି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କ ଲବି ଆଗରେ ବଳିପଡ଼ିଛନ୍ତି ଯୋଗ୍ୟତାସମ୍ପନ୍ନ ଓଡ଼ିଆ ୱେବ ପୋର୍ଟାଲ୍ ।
ଉଲ୍ଲେଖଯୋଗ୍ୟ, ସଂପୃକ୍ତ ୱେବସାଇଟ କୁ ରାଜ୍ୟ ସରକାର ‘ଏ’ ଗ୍ରେଡ଼ ମାନ୍ୟତାପ୍ରଦାନ କରିଛନ୍ତି । ସେହି ଗ୍ରେଡ୍ କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ୱେବ ବ୍ୟାନର୍ ବିଜ୍ଞାପନ ପାଇଁ ସପ୍ତାହ ପିଛା ୭୬,୭୦୦ ଟଙ୍କା ଦର ଧାର୍ଯ୍ୟ କରିଛନ୍ତି । ସେହିଭଳି ଭିଡ଼ିଓ ପାଇଁ ଦର ନିର୍ଦ୍ଧାରଣ କରିଛନ୍ତି ସପ୍ତାହକୁ ୯୯,୧୨୦ ଟଙ୍କା । ଏହି ହାରରେ ସଂପୃକ୍ତ ୱେବ ପୋର୍ଟାଲ୍ ମାସକୁ ସର୍ବନିମ୍ନ ୭ ଲକ୍ଷ ଟଙ୍କାର ବିଜ୍ଞାପନ ପାଇବ । ସୁତରାଂ ଏହି ହାରରେ ବିଜ୍ଞାପନ ପାଇବାକୁ ଯୋଗ୍ୟ ହୋଇଥିଲେ ବି ପୋର୍ଟାଲ୍ ମାଲିକ ମାଗଣା ମାଗଣା ସାଢ଼େ ୬ ଲକ୍ଷ ଟଙ୍କା ବହିନି କରିବାକୁ ଉଦ୍ୟମ କରିବା ଏବଂ ଏହି ଅସାଧୁ କାମକୁ ସରକାରୀ ବାବୁ ପ୍ରୋତ୍ସାହନ ଦେବା ସାମ୍ବାଦିକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏହା ବିରୋଧରେ ପ୍ରତିବାଦ ବଢ଼ିବାରେ ଲାଗିଛି । କିଛି ସାମ୍ବାଦିକ ଏହି ଅନ୍ୟାୟ ବିରୋଧରେ ଆଇନଗତ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଇଛନ୍ତି ।