ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଲାଗିଛି ଦଳୀୟ ହାଇକମାଣ୍ଡଙ୍କ ଚୋଟ । ମଧ୍ୟପ୍ରଦେଶ ନିର୍ବାଚନ ପ୍ରଭାରୀ ଦାୟିତ୍ୱରୁ ତାଙ୍କୁ ହଟାଯାଇଛି । ନିକଟରେ ଅନୁଷ୍ଠିତ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଦଳର ପରାଜୟ ପାଇଁ ସମ୍ଭବତଃ ହାଇକମାଣ୍ଡ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତାଙ୍କର ଗଡ଼ଫାଦର କୁହାଯାଉଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ବି ଧର୍ମେନ୍ଦ୍ରଙ୍କୁ ସାହା ହୋଇପାରିନାହାନ୍ତି । ଧର୍ମେନ୍ଦ୍ରଙ୍କ ସ୍ଥାନରେ ସ୍ୱତନ୍ତ୍ର ଦେବ ସିଂହ ଏବଂ ସତୀଶ ଉପାଧ୍ୟାୟ ସେଠାରେ ଲୋକସଭା ନିର୍ବାଚନ ଦାୟିତ୍ୱ ସମ୍ଭାଳିବେ । ମଧ୍ୟପ୍ରଦେଶ ସମେତ ୧୮ ଟି ରାଜ୍ୟ ପାଇଁ ଲୋକସଭା ନିର୍ବାଚନର ପ୍ରଭାରୀ ଓ ସହ ପ୍ରଭାରୀ ନିଯୁକ୍ତି କରାଯାଇଛି । ଓଡ଼ିଶାରେ ଦଳର ପ୍ରଭାରୀ ଥିବା ଅରୁଣ ସିଂହ ଲୋକସଭା ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇବେ ।
ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ ମଧ୍ୟପ୍ରଦେଶ ଦାୟିତ୍ୱରୁ ହଟିବା ଧର୍ମେନ୍ଦ୍ର ପ୍ରଧାନଙ୍କ ସାଂଗଠନିକ ବିଫଳତାରେ ଆଉ ଏକ ଫର୍ଦ୍ଦ ଯୋଡିଛି । ପୂର୍ବରୁ ବିହାରରେ ମଧ୍ୟ ତାଙ୍କର ଏଭଳି ଅବସ୍ଥା ହୋଇଥିଲା । ବିହାର ନିର୍ବାଚନ ଦାୟିତ୍ୱରେ ଥିବା ବେଳେ ସେଠାରେ ବିଜେପି ପରାଜୟ ବରଣ କରିଥିଲା । ରାଜ୍ୟ ବିଜେପିର ଏକ ବଡ଼ ଗୋଷ୍ଠୀ ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ସିଧାସଳଖ ଦାୟୀ କରିଥିଲେ । ହାଇକମାଣ୍ଡଙ୍କ ପାଖରେ ଫେରାଦ ହୋଇ ଧର୍ମେନ୍ଦ୍ରଙ୍କ ବିରୋଧରେ ଦଳ ଭାଙ୍ଗିବା ଅଭିଯୋଗ ବି ଆଣିଥିଲେ । ଅମିତ୍ ଶାହା ଚାହିଁ ବି ତାଙ୍କୁ ରକ୍ଷା କରି ପାରି ନ ଥିଲେ । ଶେଷରେ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ହରାଇବାକୁ ପଡ଼ିଲା । ଏଇ ନିକଟରେ କର୍ଣ୍ଣାଟକରେ ଧର୍ମେନ୍ଦ୍ର ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିଲେ । ଫଳ ତ୍ରିଶଙ୍କୁ ଅବସ୍ଥାରେ ଥିବା ବେଳେ ସରକାର ଗଢ଼ିବା ଦାୟିତ୍ୱ ଧର୍ମେନ୍ଦ୍ର ପ୍ରଧାନ ଓ ଜେ.ପି ନଡ଼ାଙ୍କ ଉପରେ ନ୍ୟସ୍ତ କରାଯାଇଥିଲା । ମାତ୍ର ବିଜେପି ସରକାର ଗଢ଼ି ପାରିଲା ନାହିଁ । ତେବେ ସେ ଯାହା ହେଉ, ଧର୍ମେନ୍ଦ୍ରଙ୍କୁ ମଧ୍ୟପ୍ରଦେଶରୁ ହଟାଯିବା ପରେ ଆଉ କୌଣସି ରାଜ୍ୟ ନିର୍ବାଚନ ଦାୟିତ୍ୱ ଦିଆଯାଇନାହିଁ । ଓଡ଼ିଶାରେ ଅଧିକ ସମୟ ଦେବାକୁ ତାଙ୍କୁ ଅନ୍ୟ ରାଜ୍ୟରୁ ଦାୟିତ୍ୱମୁକ୍ତ କରାଯାଇଥିବା କିଛି କହୁଛନ୍ତି ।
ଆଜି ଦଳର ମହାସଚିବ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହଙ୍କ ଦସ୍ତଖତରେ ବିଜେପି ପକ୍ଷରୁ ୧୮ ଟି ରାଜ୍ୟ ଲୋକସଭା ନିର୍ବାଚନ ପ୍ରଭାରୀ ତାଲିକା ପ୍ରକାଶ କରାଯାଇଛି । ଆନ୍ଧ୍ରପ୍ରଦେଶ ଦାୟିତ୍ୱରେ ବି.ମୁରଲୀଧରନ୍ ଏବଂ ସୁନୀଲ ଦେଓଧର, ଆସାମ- ମହେନ୍ଦ୍ର ସିଂହ, ବିହାର- ଭୂପେନ୍ଦ୍ର ଯାଦବ, ଛତିଶଗଡ଼- ଅନୀଲ ଜୈନ୍, ଗୁଜୁରାଟ- ଓମ୍ ପ୍ରକାଶ ମାଥୁର, ଝାଡ଼ଖଣ୍ଡ- ମଙ୍ଗଲ ପାଣ୍ଡେୟ, ମଣିପୁର-ଅନୀଲ କୋହଲି, ନାଗାଲାଣ୍ଡ- ନଳିନୀ କୋହଲି, ପଞ୍ଜାବ- କ୍ୟାପେଟନ୍ ଅଭିମନ୍ୟୁ, ରାଜସ୍ଥାନ- ପ୍ରକାଶ ଜାଭେଡ଼କର ଓ ସୁଧାଂଶୁ ତ୍ରିବେଦୀ, ସିକିମ୍- ନୀତିନ ନବୀନ, ତେଲେଙ୍ଗାନା-ଥୱରଚାନ୍ଦ ଗେହେଲଟ୍, ଉତ୍ତର ପ୍ରଦେଶ- ଗୋବର୍ଦ୍ଧନ ଝଡ଼ପିୟା, ଦୁଷ୍ମନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ର ଏବଂ ଚଣ୍ଡିଗଡ଼ ପାଇଁ କ୍ୟାପେଟନ୍ ଅଭିମନ୍ୟୁଙ୍କୁ ନିର୍ବାଚନ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର କୌଣସି ନେତାଙ୍କୁ ପ୍ରଭାରୀ ଦାୟିତ୍ୱ ମିଳିନାହିଁ ।