ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ୯ ଟି ପ୍ରଶ୍ନ ପଚାରି ଜବାବ ମାଗିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି । ବିଜେପି ଯୁବମୋର୍ଚ୍ଚାର ଜବାବ ମାଗୁଛି ଓଡ଼ିଶା ରଥଯାତ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କଠାରୁ ପାଲଟା ଜବାବ ମାଗିଛନ୍ତି ।
ଧର୍ମେନ୍ଦ୍ର କହିଛନ୍ତି, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପାଇଁ ମାଗଣା ଜମି ଦିଆଯାଇଥିବା ମୁଖ୍ୟମନ୍ତ୍ରୀ କହୁଛନ୍ତି । ତେବେ କେତେ ଜମି ଅଧିଗ୍ରହଣ କରାଯାଇଛି ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ କରନ୍ତୁ । ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ସୁବର୍ଣ୍ଣପୁର ଓ ବୌଦ୍ଦ ଜିଲ୍ଲାରେ ଇଞ୍ଚେ ଜମି ବି ଦିଆଯାଇନାହିଁ । ହରିଦାସପୁର-ପାରାଦ୍ୱୀପ ରେଳ ଲାଇନ୍ ଅବସ୍ଥା ବି ସେୟା । ତେଲ ଦର ପ୍ରସଙ୍ଗରେ ଧର୍ମେନ୍ଦ୍ର କହିଛନ୍ତି, ବିଗତ ୨ ମାସ ଭିତରେ ତେଲ ଦର ୨୦ ଟଙ୍କା କମିଲାଣି । ରାଜ୍ୟ ସରକାର ଟିକସ କମାଉ ନ ଥିବାରୁ ରାଜ୍ୟରେ କମିପାରୁନି । ସେହିଭଳି, ଆଜି ମୁଖ୍ୟମନ୍ତ୍ରୀ ୩୩% ମହିଳା ସଂରକ୍ଷଣ କଥା କହୁଛନ୍ତି । ହେଲେ ତାଙ୍କ ମନ୍ତ୍ରୀମଣ୍ଡଳରେ କେତେ ମହିଳା ମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ରାଜ୍ୟରେ ମହିଳା ନିର୍ଯାତନା ବଢ଼ିଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ ଆଉ କୁମ୍ଭୀର କାନ୍ଦଣା କାନ୍ଦନ୍ତୁ ନାହିଁ । ରାଜ୍ୟରେ ଚିଟଫଣ୍ଡ, ପିସି ଓ ଭ୍ରଷ୍ଟାଚାର ଦାନବକୁ କିଏ ଦାନା ଦେଉଛି ମୁଖ୍ୟମନ୍ତ୍ରୀ ତାହାର ଜବାବ ଦିଅନ୍ତୁ । ଆଜି ଏହାର ଜବାବ ମାଗୁଛି ଓଡ଼ିଶା ବୋଲି ଧର୍ମେନ୍ଦ୍ର କହିଛନ୍ତି ।