ଭୁବନେଶ୍ୱର: କଳ୍ପନାଜଳ୍ପନା ସରିଲା । ବିଜେପି ଶରଣରେ ଥିବା ଡାକ୍ତର ଦାମୋଦର ରାଉତ ଶେଷରେ ଦିଲ୍ଲୀ ଯାଇ ପଦ୍ମ ଧରିଛନ୍ତି । ଅପରାହ୍ନରେ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ସେ ଦିଲ୍ଲୀ ବିମାନ ଧରିଥିଲେ । ଆଉ ସେଠାରେ ବିଜେପି ଅଫିସ ଯାଇ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ପଦ୍ମ ଦୀକ୍ଷିତ ହୋଇଛନ୍ତି । ଦାମଙ୍କ ଯୋଗଦାନ ଉତ୍ସବରେ ବୈଜୟନ୍ତ ପଣ୍ଡା, କନକ ବର୍ଦ୍ଧନ ସିଂହଦେଓ, ଅରୁଣ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବଟି ଆୟୋଜିତ ହୋଇଥିଲେ ମଧ୍ୟ ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ସେଠାରେ ଉପସ୍ଥିତ ନ ଥିଲେ । ଦାମଙ୍କ ପାଇଁ ଧର୍ମେନ୍ଦ୍ର ସେହି କାମ ଚଳେଇ ଦେଇଥିଲେ । ଦାମ ଅମିତ୍ ଶାହାଙ୍କ ଘରକୁ ଯାଇ ତାଙ୍କର ଆର୍ଶିବାଦ ନେବେ ।
ଦିଲ୍ଲୀ ଯିବା ପୂର୍ବରୁ ପୁଅ ସମ୍ବିତଙ୍କ ସହ ଦାମଙ୍କର ପ୍ରବଳ ପାଟିତୁଣ୍ଡ ହୋଇଥିବା ଚର୍ଚ୍ଚା ହୋଇଥିଲା । ସମ୍ବିତ ନବୀନ ନିବାସରୁ ଡକରା ପାଇ ଆସିଥିବାରୁ କୁଆଡ଼େ ଦାମ ଚିଡ଼ି ଯାଇଥିଲେ । ଆଉ ଫେରିଲା ପରେ ବାପ-ପୁଅଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । ସମ୍ବିତ ପାରାଦ୍ୱୀପରୁ ବିଜେଡ଼ି ପ୍ରାର୍ଥୀ ହେବାକୁ ଚାହୁଁଥିଲା ବେଳେ ବାପାଙ୍କର ଇଚ୍ଛା ଅଲଗା । ସେ ସେଠାରୁ ନିଜେ ଲଢ଼ିବେ ଏବଂ ନବୀନ ପଟ୍ଟନାୟକଙ୍କୁ ଭଲ କିଣି ପାନେ ଦେବେ ବୋଲି ଜଣାଇ ଦେଇଥିଲେ । ଦାମଙ୍କ ଘରେ ଗଣ୍ଡଗୋଳ ଖବର ଶୁଣି ଗଣମାଧ୍ୟମର ପ୍ରତିନିଧିମାନେ ତାଙ୍କ ଘରକୁ ଧାଇଁଥିଲେ । ମାତ୍ର ଗଣ୍ଡଗୋଳ ସମ୍ପର୍କରେ ସେମାନେ ଦାମଙ୍କ ପାଟିରୁ କିଛି ବାହାର କରିପାରି ନ ଥିଲେ । ଦାମ ତାଙ୍କର ପୂର୍ବକଥା ଦୋହରାଇଥିଲେ । କହିଥିଲେ ମତେ ବିଜେଡ଼ିରୁ ଯେଭଳି ବାହାର କରାଯାଇଛି ମୁଁ ତାର ପ୍ରତିଶୋଧ ନେବି । ନବୀନ ପଟ୍ଟନାୟକଙ୍କୁ ଅଲବତ୍ କ୍ଷମତାଚ୍ୟୁତ କରିବି । ପୁଅ କଥା ସେ ବୁଝିବ ବୋଲି କହିଥିଲେ ଦାମ । ବିଜେପି ସହ ଯୋଗଦେବା ନେଇ ଆଲୋଚନା ଚାଲିଛି ଏବଂ ଖୁବ୍ ଶୀଘ୍ର ଯାହା କିଛି ନିଷ୍ପତ୍ତି ହେବ ବୋଲି ଜଣାଇ ଦେଇଥିଲେ ।
ତେବେ ଗଣମାଧ୍ୟମକୁ ତାଙ୍କ ବାସଭବନରେ ବାଇଟ୍ ଦେବା ପରେ ଦାମ କେତେବେଳେ ଦିଲ୍ଲୀ ବାହାରିଲେ ତାହା ଜଣାପଡ଼ିଲା ନାହିଁ । ଦିଲ୍ଲୀରେ ପହଞ୍ଚିବା ପରେ ସେ ବିଜେପିରେ ଯୋଗଦେଉଥିବା ଖବର ସ୍ପଷ୍ଟ ହୋଇଥିଲା । ଦାମ କ’ଣ ସର୍ତ୍ତ ରଖିଥିଲେ ଏବଂ ବିଜେପି ସେହି ସର୍ତ୍ତ କିଭଳି ରଖିଛି ତାହା ଜଣାପଡ଼ିନାହିଁ ।
ନିଜର ସ୍ଥିତି ହଜିବାକୁ ବସିଥିବା ବେଳେ ମାର୍ଚ୍ଚ ୯ ତାରିଖରେ ଅଚାନକ ଦାମ ଦିଲ୍ଲୀ ଯାଇଥିଲେ ଅମିତ୍ ଶାହାଙ୍କୁ ଭେଟିବାକୁ । କନକ ବର୍ଦ୍ଧନ ସିଂହଦେଓ ତାଙ୍କୁ ସାଙ୍ଗରେ ନେଇ ଯାଇଥିଲେ । ମାତ୍ର ଅମିତ୍ ଶାହାଙ୍କୁ ଭେଟି ନ ପାରି ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କଥାବାର୍ତ୍ତାରେ କାମ ଚଳେଇ ଦେଲେ । ବିଜେପି ତାଙ୍କୁ ଚାହୁଁଥିବା ଜାଣି ସେ କିଛି ସର୍ତ୍ତ ରଖିଥିଲେ । ଧର୍ମେନ୍ଦ୍ର ଆଲୋଚନା କରିବାର ଆଶ୍ୱାସନା ଦେଇ ସେଦିନ ସଂଧ୍ୟାରେ ଭୁବନେଶ୍ୱର ଫେରାଇ ଦେଇଥିଲେ । ଆଉ ଶେଷରେ ଯାହା ଚାହୁଁଥିଲେ ବୋଧହୁଏ ସେୟା ହୋଇଛି । ବିଜେପି ଛାତରେ ବସିଛନ୍ତି ଦାମ ।
ରାଜନୀତିରେ ନୀତି, ଆଦର୍ଶ କ’ଣ ଏବଂ ରାଜନେତାମାନେ କ୍ଷମତା ପାଇଁ କେଉଁସ୍ତରକୁ ଚାଲି ଯାଇପାରନ୍ତି ୭୮ ବର୍ଷ ବୟସ୍କ ଦାମ ତାହାର ଆଉ ଏକ ଶ୍ରେଷ୍ଠ ଉଦାହରଣ । ଅଳ୍ପଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଟୁ ଭାଷାରେ ସୋଧୁଥିଲେ । ବିଜେପି ନାଁ ଶୁଣିଲେ ଡେଉଁଥିଲେ । ବୈଜୟନ୍ତ ପଣ୍ଡାଙ୍କୁ ବେପାରୀ କହି ଘଉଡାଇ ଦେଉଥିଲେ । ସ୍ୱାଧୀନ ଭାବେ ଏକା ଲଢ଼େଇ କରିବେ ପଛେ ବିଜେପି କିମ୍ବା କଂଗ୍ରେସକୁ ଯିବେ ନାହିଁ ବୋଲି ହଲପ୍ କରିଥିଲେ । ଏବେ ସେଇ ଦାମ ବିଜେପି ହାତ ଧରିବାକୁ ଯାଇ ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ଶରଣ ପଶିଲେ । ଏବେ ଅପେକ୍ଷା, ପାରାଦ୍ୱୀପର ଲୁଣି ପାଣିରେ ଦାମ କିଭଳି ପଦ୍ମ ଫୁଟେଇ ପାରୁଛନ୍ତି ।