ପୁରୀ: କୋଭିଡ୍ ଗାଇଡଲାଇନ୍ ଭିତରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା ଜାରି ରହିଛି । ସର୍ବନିମ୍ନ ସେବାୟତଙ୍କୁ ନେଇ ଚଳିତବର୍ଷର ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ କରିବାକୁ ଉଦ୍ୟମ ହୋଇଛି । ଆଜି ୧୦ ନିଯୋଗ ସହ ଆଲୋଚନା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର ଏହାର ସଙ୍କେତ ଦେଇଛନ୍ତି । ଆଜିର ବୈଠକରେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଯେତେ ସମ୍ଭବ କମ ସେବାୟତଙ୍କ ସହଯୋଗରେ ସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ କରିବାକୁ ମୁଖ୍ୟ ପ୍ରଶାସକ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ସମସ୍ତେ ଏଥିରେ ରାଜି ହୋଇଛନ୍ତି ।
ବୈଠକ ପରେ ଗଣମାଧ୍ୟମକୁ ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଛନ୍ତି, ଆସନ୍ତା ୨୫ ତାରିଖ ସୁଦ୍ଧା ସେବାୟତମାନଙ୍କ ତାଲିକା ଦେବାକୁ ୧୦ ନିଯୋଗର ପ୍ରତିନିଧିଙ୍କୁ କୁହାଯାଇଛି । ସେହି ତାଲିକା ଅନୁସାରେ ସେବାୟତମାନଙ୍କୁ ପ୍ରବେଶ ଅନୁମତି ମିଳିବ । କେବଳ ତାଲିକାଭୁକ୍ତ ସେବାୟତମାନେ ସ୍ନାନ ପୂର୍ଣ୍ଣିମା ନୀତିରେ ଭାଗ ନେବେ । ବର୍ତ୍ତମାନର କଟକଣା ଅନୁସାରେ ଶ୍ରୀମନ୍ଦିର ବାହାରେ କିଛି କରିବା ସମ୍ଭବ ନୁହେଁ । ୩୧ ତାରିଖ ପରେ ଲକଡାଉନ କଟକଣା ସମ୍ପର୍କରେ ଏବେଠୁ କିଛି କହିହେବନି । ତେଣୁ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ । ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି ।
ସ୍ନାନ ପୂର୍ଣ୍ଣିମା ଉପରେ ପୂର୍ବରୁ ଦଇତାପତି ନିଯୋଗ ସହ ଆଲୋଚନା ହୋଇଥିଲା । ଆଜି ୧୦ ନିଯୋଗ ସହ ଆଲୋଚନା ହେଲା । ଏହାପରେ ଛତିଶା ନିଯୋଗ ସହ ଆଲୋଚନା କରାଯିବ । ଶେଷରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।