ଭୁବନେଶ୍ୱର: ଅମ୍ଫନ ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆଜି ଆକାଶମାର୍ଗରୁ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ପ୍ରବଳ କ୍ଷତି ଘଟାଇଛି ବାତ୍ୟା । ବିଶେଷକରି ବ୍ୟାପକ ଚାଷଜମିରେ ଶସ୍ୟ ଫସଲ ଉଜାଡ଼ି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତାପ୍ରକଟ କରିଛନ୍ତି ।
ବାତ୍ୟା ଅଞ୍ଚଳ ବୁଲିବା ପରେ ମୁଖ୍ୟମନ୍ତ୍ରୀ କ୍ଷତିଗ୍ରସ୍ତ ଅଞ୍ଚଳର ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଛାରଖାର ହୋଇଥିବା ଭିତ୍ତିଭୂମିକୁ ତୁରନ୍ତ ମରାମତି କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଜାଗାରେ ଗଛ ଉପୁଡ଼ି ରାସ୍ତା ଅବରୋଧ କରିଛି । ଆସନ୍ତାକାଲି ସକାଳ ସୁଦ୍ଧା ରାସ୍ତା ପରିଷ୍କାର କରି ଗମନାଗମନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିଭଳି କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ସେସୁକୁ ୨୪ ଘଣ୍ଟା ଏବଂ ନେସକୋକୁ ୭୨ ଘଣ୍ଟାର ସମୟ ଦେଇଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ସାରି ବିଦ୍ୟୁତ ଯୋଗାଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ଚାଷ କ୍ଷୟକ୍ଷତି ଆକଳନ କାର୍ଯ୍ୟ ତିନି ଦିନ ଭିତରେ ଏବଂ କ୍ଷତିଗ୍ରସ୍ତ ଘରଗୁଡ଼ିକର ମରାମତି କାର୍ଯ୍ୟ ଗୋଟିଏ ସପ୍ତାହରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ବାତ୍ୟାରେ ଉପକୂଳ ଓଡ଼ିଶାର ୮୯ ବ୍ଲକ୍ ର ପାଖାପାଖି ୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି ।
ବାତ୍ୟାଞ୍ଚଳ ପରିଦର୍ଶନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଓଡ଼ିଶା ଆସିବେ । ଏ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଗସ୍ତ କାର୍ଯ୍ୟକ୍ରମର ବିସ୍ତୃତ ଦିଆଯାଇ ନ ଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଥମେ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ବୁଲି ଦେଖିବା ପରେ ଅପରାହ୍ନ ପ୍ରାୟ ୧ଟା ବେଳେ ଓଡ଼ିଶା ଆସି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି ।







