ଭୁବନେଶ୍ୱର: କୋଲକତା ସହରକୁ ଛାରଖାର କରିଦେଇଛି ଭୀଷଣକାୟ ବାତ୍ୟା ଅମ୍ଫନ । ଦୀର୍ଘ ୭ ଘଣ୍ଟାର ତାଣ୍ଡବ ରଚି ମହାନଗରକୁ ଧ୍ୱସଂ ବିଧ୍ୱସ୍ତ କରିଛି । ହଜାର ହଜାର ଘର ଭାଙ୍ଗିଦେବା ସହ ରାସ୍ତାଘାଟ ମୋଡ଼ି ମକଚି ଦେଇଛି ଅମ୍ଫନ । ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା ଜିଲାକୁ ବି ବିଧ୍ୱସ୍ତ କରିଛି ବାତ୍ୟା । ଏଭଳି ବିପର୍ଯ୍ୟୟ କେବେ ଦେଖି ନାହାନ୍ତି ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ।
ଅମ୍ଫନ ବାତ୍ୟା ରାଜ୍ୟର ୭୨ ଜଣଙ୍କର ପ୍ରାଣ ନେଇଛି । ପାଖାପାଖି ଲକ୍ଷେ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ କରିଦେଇଛି ବୋଲି ମମତା କହିଛନ୍ତି । ବାତ୍ୟା ଆମକୁ ସର୍ବନାଶ କରିଦେଇଛି ବୋଲି ବ୍ୟଥିତ ମମତା ମନ୍ତବ୍ୟ ଦେଇଛନ୍ତି । ରାଜ୍ୟର ଏହି ସଙ୍କଟ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହଯୋଗ ଲୋଡିଛନ୍ତି ସେ । ପ୍ରଧାନମନ୍ତ୍ରୀ କୋଲକତା ଆସି ଅବସ୍ଥା ଦେଖିବାକୁ ମମତା ତାଙ୍କୁ ଅନୁରୋଧ କରିଛନ୍ତି ।(ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନରେ ଆସୁଛନ୍ତି) ।
ଏପଟେ ଅମ୍ଫନ ବାତ୍ୟାରେ କ୍ଷତିଗ୍ରସ୍ତ ଓଡ଼ିଶା ଉପକୂଳ ଜିଲ୍ଲାଗୁଡ଼ିକୁ ନେଇ ଚିନ୍ତାରେ ଥିବା ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶମାର୍ଗରୁ ସେହି ଅଞ୍ଚଳଗୁଡ଼ିକୁ ବୁଲି ଦେଖିବା ସହ ପଶ୍ଚିମବଙ୍ଗ ଜୀବନହାନି ଓ ଧମନସମ୍ପତ୍ତି କ୍ଷତିକୁ ନେଇ ଗଭୀର ଦୁଃଖପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗର ଏହି ଦୁଃସ୍ଥିତି ବେଳେ ନବୀନ ସହଯୋଗର ହାତ ବଢ଼ାଇଛନ୍ତି । ଓଡ଼ିଶାବାସୀ ପଶ୍ଚିମବଙ୍ଗ ଲୋକଙ୍କ ସହିତ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି । ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବଙ୍କ ସହ ଯୋଗାଯୋଗରେ ରହି ସବୁ ପ୍ରକାର ସାହାଯ୍ୟ ସହଯୋଗ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।