ଗୋପାଳ ସାହୁ
ଅମ୍ଫନ ଓଡ଼ିଶା ପାଖଦେଇ ସୁନ୍ଦରବନ ଚାଲିଗଲା। ଓଡ଼ିଶା ଉପକୁଳରେ ଭାରିବର୍ଷା ସାଙ୍ଗକୁ ତୀବ୍ର ପବନ କିଛି କ୍ଷୟକ୍ଷତି କରିବା ସହିତ ଅଳ୍ପ କିଛି ମୄତାହତ ଖବର ଆସିଥିଲେ ମଧ୍ୟ, ଯେଉଁଭଳି କ୍ଷୟକ୍ଷତିର ଆକଳନ ବିଭିନ୍ନ ଗଣମାଧ୍ୟମରେ କରାଯାଉଥିଲା, ବସ୍ତୁତଃ ତାହା ଟଳିଗଲା।
କେଉଁ କାଳରୁ ଆମେ ରେଡ଼ିଓ, ଖବରକାଗଜ ଏବଂ ଦୁରଦର୍ଶନ ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ଘରୋଇ ଟିଭି ଚ୍ୟାନେଲରୁ ମଧ୍ୟ ପାଣିପାଗ ସମ୍ଵନ୍ଧୀୟ ବିସ୍ତୃତ ସୁଚନା ପାଉଥିଲେ, କିନ୍ତୁ ଅନେକ ସମୟରେ ତାହା ସମ୍ପୂର୍ଣ୍ଣ ଠିକ୍ ହେଉନଥିଲା। ଯେଉଁଥିପାଇଁ ଆଗରୁ ବିଭିନ୍ନ ସମୟରେ, ବିଭିନ୍ନ ଜାଗାରେ ଏବଂ ବିଭିନ୍ନ ମହଲରେ ପ୍ରାୟ ଆଲୋଚନା ହୁଏ ଯେ “ପାଣିପାଗ ବିଭାଗର ସୁଚନା – ଦିନ ଦ୍ଵିପ୍ରହରରେ ଲଣ୍ଠନ ଦେଖେଇବା ଭଳି”। କିନ୍ତୁ ସେ ସ୍ଥିତି ଆଉ ଏବେ ନାହିଁ।
ବିଗତ କିଛି ଦିନ ଧରି ପାଣିପାଗ ବିଭାଗ ତରଫରୁ, ଅମ୍ଫନ ବାତ୍ୟାର ସମ୍ପୂର୍ଣ୍ଣ ଗତିପଥ, ସ୍ଥଳଭାଗରେ ବାତ୍ୟାର ପ୍ରଭାବ, ତୀବ୍ରତା, ଘଣ୍ଟାକୁ ଘଣ୍ଟା ସ୍ଥିତି ଏବଂ କେଉଁ ଜାଗାରେ ନିର୍ଦ୍ଦିଷ୍ଟ ଭାବରେ କେତେବେଳେ ସ୍ଥଳଭାଗରେ ଛୁଇଁବ ବୋଲି ଯେଉଁ ଆକଳନ କରାଯାଉଥିଲା, ତାହା ଶତ ପ୍ରତିଶତ ଠିକ୍ ପ୍ରମାଣିତ ହୋଇଛି। ପାଣିପାଗ ବିଭାଗ ଦ୍ଵାରା ବିଗତ କିଛି ବର୍ଷ ଧରି ବିଭିନ୍ନ ବାତ୍ୟା ଓ ଘୁର୍ଣ୍ଣିଝଡ଼ର ସଠିକ୍ ପୁର୍ବ ଆକଳନ ହେତୁ, କ୍ଷୟକ୍ଷତି ଏବଂ ବିଶେଷକରି ତତ୍ ଜନିତ ମୄତାହତକୁ ସମ୍ପୂର୍ଣ୍ଣଭାବେ ରୋକାଯାଇପାରିଛି, ଅକାଳରେ ଅନେକ ଅସହାୟଙ୍କର ଅମୁଲ୍ୟ ଜୀବନ ଦ୍ଵୀପ ଲିଭିବାରୁ ବଞ୍ଚି ଯାଉଛି।
ଆଗରୁ ଯେ ସରକାରଙ୍କ ପାଖରେ ବୈଷୟିକ ଜ୍ଞାନସମ୍ପର୍ଣ୍ଣ ଓ ବିଦେଶ ତାଲିମ ପ୍ରାପ୍ତ ବିଶେଷଜ୍ଞ ନଥିଲେ ଅବା ସେମାନଙ୍କର ସଠିକ୍ ଆକଳନ କରିବା ପାଇଁ ଆଗ୍ରହ ନଥିଲା କିମ୍ବା ଆବଶ୍ୟକୀୟ ପ୍ରଚେଷ୍ଟା କରୁନଥିଲେ, ସେକଥା ନୁହେଁ। ହଁ କିନ୍ତୁ ଅଭାବ ଥିଲା କେବଳ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତିର। ଯାହା ଏବେ ସମ୍ପୂର୍ଣ୍ଣ ଓ ସଠିକ୍ ଆକଳନ କରିବାରେ ବେଶ୍ ସହାୟକ ହେଉଛି।
ସଠିକ୍ ସୁଚନା ତଥା ସରକାରଙ୍କ ପ୍ରାକ୍ ବାତ୍ୟା ସୁପରିଚାଳନା ଯୋଗୁଁ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଶେଷ ତାଲିମ ପ୍ରାପ୍ତ ଏବଂ ବିଭିନ୍ନ ଯନ୍ତ୍ରପାତି ସହିତ ପ୍ରସ୍ତୁତ ODRAF ଏବଂ NDRF ଟିମ୍ ବାତ୍ୟା ସମୟରେ ଏବଂ ବାତ୍ୟା ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଯଥାଶୀଘ୍ର ସମ୍ଭବ ହେଇପାରୁଛି। ବିଗତ କିଛିବର୍ଷଧରି ଏସବୁର ସଫଳ ଆକଳନ ଏବଂ ତତକ୍ଷଣାତ୍ ପଦକ୍ଷେପ ନେବା ସମ୍ଭବ ହୋଇପାରିବାର କାରଣ, ଦିନକୁ ଦିନ ବିଜ୍ଞାନର ଅଗ୍ରଗତି ଓ ନିରନ୍ତର ଗବେଷଣା ହେତୁ ଅତ୍ୟାଧୁନିକ ବୈଷୟିକ ଯନ୍ତ୍ରପାତିର ଉଦ୍ଭାବନ ଏବଂ ସରକାର ଓ ବିଶେଷଜ୍ଞଙ୍କ ଦ୍ଵାରା ଏହାର ସଫଳ ଉପଯୋଗ।
ବୁଦ୍ଧିମାନ ମଣିଷ କେଉଁ ଆବାହମାନ କାଳରୁ ପୄଥିବୀ ପୄଷ୍ଠରେ ପାଣିପାଗ ଏବଂ ଝଡ଼ବାତ୍ୟାର ପୂର୍ବାନୁମାନ କରିଆସୁଛି। ଏହାର ଇତିହାସ ବହୁତ ଲମ୍ଵା। ବହୁ ପୁରାତନ ଐତିହାସିକ ଗ୍ରନ୍ଥରୁ ଜଣାଯାଏ ଯେ ବହୁବର୍ଷ ପୁର୍ବେ ଖ୍ରୀଷ୍ଟପୂର୍ବ ୬୫୦ରେ ତତ୍କାଳୀନ ମେସୋପଟାମିଆ ଦେଶର (ବର୍ତ୍ତମାନର ଇରାନ ଏବଂ ସିରିଆ) କେନ୍ଦ୍ରୀୟ- ଦକ୍ଷିଣଭାଗର ବାବିଲୋନ ନାମକ ଛୋଟିଆ ସହରର ଆକାଡ଼ିଆନ ଭାଷାଭାଷୀ ଅଧିବାସୀ ମାନେହିଁ ସେତେବେଳର ପ୍ରଚଳିତ ଜ୍ୟୋତିଷ ଶାସ୍ତ୍ର, ସମୁଦ୍ରର ଲହଡ଼ି ଏବଂ ପାରିପାର୍ଶ୍ବିକ ପରିସ୍ଥିତିକୁ ଅନୁଧ୍ୟାନ କରି ପାଣିପାଗ ତଥା ବର୍ଷାବାତ୍ୟାର ପୁର୍ବାନୁମାନ କରିବା ଆରମ୍ଭ କରିଥିଲେ। ଯଦିଓ ପାଣିପାଗ ଏବଂ ଝଡ଼ବତାସର ପୁର୍ବ ଆକଳନ ସେହି ସମୟରୁ ପାରମ୍ପରିକ ପଦ୍ଧତିରେ ହେଉଥିବାର ଏବଂ କିଛି ବର୍ଷ ଗତେ ବିଭିନ୍ନ ଦେଶର ବିଭିନ୍ନ ପଦାର୍ଥ ବିଜ୍ଞାନୀ ମାନେ ମଧ୍ୟ ବୈଜ୍ଞାନିକ ଉପାୟରେ ପାଣିପାଗ ପୁର୍ବାନୁମାନ କରିଆସୁଥିଲେ କିନ୍ତୁ ସାର୍ ରବର୍ଟ ଆଲେକଜାଣ୍ଡାର ଓ୍ଵାଟସନ୍ ଓ୍ଵାଟ୍ ୧୯୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମେ ଆଧୁନିକ ପାଣିପାଗ ପୁର୍ବାନୁମାନ ଯନ୍ତ୍ର ବା ରାଡାର ସିଷ୍ଟମ ତିଆରି କରିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବର୍ଷ ପରେ ବର୍ଷ ବିଭିନ୍ନ ଦେଶର ବିଶିଷ୍ଟ ପଦାର୍ଥବିଜ୍ଞାନୀମାନେ ତାଙ୍କର କଠିନ ଅଧ୍ୟବସାୟ ଏବଂ ନିରନ୍ତର ଗବେଷଣାଲବ୍ଧ ଜ୍ଞାନ ବଳରେ ଅତ୍ୟାଧୁନିକ ରାଡ଼ାର ପ୍ରସ୍ତୁତ କରିବାକୁ ପ୍ରୟାସ ଜାରି ରଖିଛନ୍ତି, ଯାହା ସ୍ଵଳ୍ପ ସମୟରେ ସମ୍ପୂର୍ଣ୍ଣ ଏବଂ ସଠିକ୍ ପୁର୍ବାନୁମାନ କରିବାରେ ନିଶ୍ଚିତ ସହାୟକ ହେଉଛି।
କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏବଂ ଅତ୍ୟାଧୁନିକ ରାଡ଼ାର ପ୍ରସ୍ତୁତିରେ ଯେଉଁ ମୁଖ୍ୟ ପଦ୍ଧତି ଅନୁସରଣ କରାଯାଉଛି ତାହା “ଅଷ୍ଟ୍ରିୟା ଦେଶର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିୟାନ୍ ଆଣ୍ଡ୍ରିଆଜ୍ ଡୋପଲରଙ୍କ” ମୁଳ ସୁତ୍ର ଉପରେ ଆଧାରିତ। ଡୋପଲର ରାଡ଼ାରର ମୁଳ ତଥା ମୁଖ୍ୟ ସୁତ୍ର ଅନୁସାରେ, ଉତ୍ସ ଏବଂ ଡିଟେକ୍ଟରର ଆପେକ୍ଷିକ ଗତି ଦ୍ୱାରା ଆଲୋକ ଏବଂ ଧ୍ୱନି ତରଙ୍ଗର ଦେଖାଯାଉଥିବା ଫ୍ରିକ୍ୱେନ୍ସି କିପରି ପ୍ରଭାବିତ ହୋଇଥାଏ, ତାହା ଡୋପଲର୍ ପ୍ରଥମେ ବର୍ଣ୍ଣନା କରିଥିଲେ। ଯେମିତିକି ଟ୍ରେନ୍ର ହ୍ୱିସଲ୍ ପିଚ୍ରେ ଯେତିକି ପାଖେଇ ପାଖେଇ ଆସେ, ପିଚ୍ରେ ସେତିକି ତଳକୁ ତଳକୁ ଖସିଯାଇଥାଏ କିମ୍ବା ତାଠାରୁ ଆହୁରି ଅଧିକ ଖସିଯାଇପାରେ। ଏକ ଡୋପଲର ରାଡାର ହେଉଛି ଏକ ପ୍ରକାର ବିଶେଷ ରାଡ଼ାର ଯାହାକି କିଛି ଦୂରତାରେ ଥିବା ବସ୍ତୁଗୁଡ଼ିକ ବିଷୟରେ ବେଗ ଓ ତଥ୍ୟ ଉତ୍ପାଦନ ପାଇଁ “ଡୋପଲର” ପ୍ରଭାବ ବ୍ୟବହାର କରିଥାଏ। ଏହି ରାଡାରଗୁଡିକ ବିଭିନ୍ନ କ୍ଷେତ୍ରରେ ଶବ୍ଦ ଉପଗ୍ରହ, ବିମାନ ଚଳାଚଳ, ପୋଲିସ୍ ସ୍ପିଡ୍ ବନ୍ଧୁକ, ସ୍ୱାସ୍ଥ୍ୟସେବା, ରେଡିଓଲୋଜି, ବିଷ୍ଟାଟିକ୍ ରାଡାର ଏବଂ ପାଣିପାଗ ବିଜ୍ଞାନରେ ବ୍ୟବହୃତ ହୁଏ।
ଆମଦେଶରେ ବ୍ୟବହୄତ ଡୋପଲର୍ ରାଡ଼ାର, “ଭାରତୀୟ ମହାକାଶ ଗବେଷଣା ସଂସ୍ଥାଙ୍କ” ଜ୍ଞାନ କୌଶଳ ଏବଂ “ଭାରତ ହେଭି ଇଲେକ୍ଟ୍ରିକାଲସ୍ ଲିମିଟେଡ଼ଙ୍କ” ଦ୍ଵାରା ନିର୍ମିତ ହେଉଅଛି, ଯାହା ପାଣିପାଗ ବିଜ୍ଞାନୀଙ୍କୁ ବିଭିନ୍ନ ଆସନ୍ନ ଝଡ଼ବାତ୍ୟାର ସଫଳ ପୁର୍ବାନୁମାନ କରିବାରେ ବେଶ୍ ସହାୟକ ହେଉଛି। ଆମ ଦେଶରେ ୨୦୦୨ ମସିହାରେ ତାମିଲନାଡୁର ଚେନ୍ନାଇଠାରେ ପ୍ରଥମ ଡୋପଲର୍ ରାଡ଼ାର ପ୍ରତିଷ୍ଠା କରାଯାଇଥିଲା। ୨୦୦୫ ମସିହା ମୁମ୍ବାଇ ବନ୍ୟା ପରେ ଆହୁରି ଅଧିକରୁ ଅଧିକ ଅତ୍ୟାଧୁନିକ ଡୋପଲର୍ ରାଡ଼ାର ପ୍ରତିଷ୍ଠା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ ଏବଂ ଅର୍ଥ ବ୍ୟବସ୍ଥା ମଧ୍ୟ କରିଥିଲେ।
ବର୍ତ୍ତମାନ ପର୍ଯ୍ୟନ୍ତ ଆମଦେଶରେ ମୋଟ୍ ୨୭ଗୋଟି ଡୋପଲର୍ ରାଡ଼ାର ପ୍ରତିଷ୍ଠା ହୋଇସାରିଲାଣି, ସେଥି ମଧ୍ୟରୁ ଆମ ଓଡ଼ିଶାର ପାରାଦୀପ ଏବଂ ଗୋପାଳପୁରଠାରେ ଦୁଇଟି ଅବସ୍ଥିତ ଏବଂ ଅତିଶୀଘ୍ର ଭାରତରେ ଆହୁରି ୩୦ଗୋଟି ଡୋପଲର୍ ରାଡ଼ାର ପ୍ରତିଷ୍ଠା କରିବାପାଇଁ ଲକ୍ଷଧାର୍ଯ୍ୟ ହୋଇଥିବା “ଭାରତୀୟ ମେଟ୍ରୋଲୋଜି ବିଭାଗ” ସୁତ୍ରରୁ ପ୍ରକାଶ। ସମୟକ୍ରମେ ପାଣିପାଗ ଏବଂ ଝଡ଼ବତାସ ଆସିବା ପୁର୍ବରୁ ଡୋପଲର୍ ରାଡ଼ାର ଆମର ସମ୍ପୂର୍ଣ୍ଣ ସୁରକ୍ଷା କବଚ ଭାବେ ଆମକୁ ଆହୁରି ସଠିକ୍ ଏବଂ ଶୀଘ୍ର ପୁର୍ବାନୁମାନ କରେଇବା ସହିତ ଆମ ଧନ ଜୀବନ କ୍ଷୟକ୍ଷତିକୁ ସମ୍ପୂର୍ଣ୍ଣ ରୋକିବାରେ ସାହାଯ୍ୟ କରିବ।
(ଲେଖକଙ୍କ ଯୋଗାଯୋଗ ନଂ 7978394203)