ଭୁବନେଶ୍ୱର: ସଙ୍ଗୀନ ହେଲାଣି କରୋନା ସ୍ଥିତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୫୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ ହେବା ସହ ଜିଲ୍ଲାରୁ ଆଉ ୪ ଆକ୍ରାନ୍ତଙ୍କର ଜୀବନ ନେଇଛି କରୋନା । ଗୋଟିଏ ଦିନରେ ୨୩ ଜିଲ୍ଲାରୁ ୭୫୫ ପଜିଟିଭ୍ ଚିହ୍ନଟ ହେବା ରେକର୍ଡ ସୃଷ୍ଟି କରିଛି । ପୂର୍ବରୁ ଦିନକରେ ଏତେ ସଂଖ୍ୟକ ପଜିଟିଭ୍ ବାହାରି ନ ଥିଲେ । ଏମାନଙ୍କ ମଧ୍ୟରୁ ୨୪୭ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବାରୁ ଚିନ୍ତା ଆହୁରି ବଢ଼ାଇଛି ।
ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୫୬ କୁ ବୃଦ୍ଧି ପାଇଛି । ୭,୪୦୭ ଜଣ ସୁସ୍ଥ ହୋଇଥିବାରୁ ଏବେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪,୪୭୬ । ଅନ୍ୟପକ୍ଷରେ ୫୬ ଜଣଙ୍କର ଜୀବନ ନେଲାଣି କରୋନା । କରୋନାରେ ଆକ୍ରାନ୍ତ ୧୭ ଜଣ ଅନ୍ୟ କାରଣରୁ ଜୀବନ ହାରିଛନ୍ତି । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୪ ମୁଣ୍ଡ ନେଲାଣି କରୋନା ।
ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ
ଅନୁଗୁଳ-୩, ବାଲେଶ୍ୱର-୯, ବରଗଡ଼-୧, ଭଦ୍ରକ-୨, ବଲାଙ୍ଗୀର-୧୨, କଟକ-୫୫, ଦେବଗଡ଼-୪, ଢ଼େଙ୍କାନାଳ-୪, ଗଜପତି-୩୦, ଗଞ୍ଜାମ-୩୨୦, ଜଗତସିଂହପୁର-୫, ଯାଜପୁର-୮୬, କନ୍ଧମାଳ-୨, କେନ୍ଦ୍ରାପଡ଼ା-୫, କେନ୍ଦୁଝର-୩୨, ଖୋର୍ଦ୍ଧା-୫୯, କୋରାପୁଟ-୫, ମାଲକାନଗିରି-୧୮, ମୟୁରଭଞ୍ଜ-୧୨, ନୟାଗଡ଼-୧୬, ପୁରୀ-୧୧, ସମ୍ବଲପୁର-୨, ସୁନ୍ଦରଗଡ଼-୬୨ ।
ଦେଶରେ ମଧ୍ୟ କରୋନା ସ୍ଥିତି ଭୟଙ୍କର ଅବସ୍ଥାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ ୨୬, ୫୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୪୭୫ ଜଣ ମୃତ୍ୟୁବରଣ କରିଛନ୍ତି । ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୯୩ ହଜାର ୮୦୨ ରେ ପହଞ୍ଚିଥିବା ବେଳେ ୨୧, ୬୦୪ ଜଣଙ୍କର ଜୀବନ ନେଲାଣି କରୋନା । ଦେଶରେ ଏବେ କରୋନା ଆକ୍ଟିଭ୍ ଙ୍କ ସଂଖ୍ୟା ହେଉଛି ୨ ଲକ୍ଷ, ୭୬ ହଜାର ୬୮୫ ।
ବିଧାନସଭା ସଟଡାଉନ୍
ବିଧାନସଭାକୁ ଆଜି ଦିନକ ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଆସନ୍ତାକାଲି ଓ ପରଦିନ ସଟ୍ ଡାଉନ୍ ରହୁଥିବାରୁ ଏବେ ତିନି ଦିନ ପାଇଁ ସଟ୍ ଡାଉନ୍ ରହିବ ବିଧାନସଭା । ଉପବାଚସ୍ପତିଙ୍କ ଷ୍ଟେନୋଙ୍କର ଜଣେ ସମ୍ପର୍କୀୟ କରୋନାରେ ଆକ୍ରାନ୍ତ ହୋଇଥିବାରୁ ବିଧାନସଭା ସବୁ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି । ଏହାପୂର୍ବରୁ କରୋନାରେ ଆକ୍ରାନ୍ତ ବିଧାୟକ ସୁକାନ୍ତ ନାୟକ ଓ ପ୍ରଶାନ୍ତ ବେହେରା ଉପସ୍ଥିତ ଥିବା ବିଧାନସଭା କମିଟି ବୈଠକରେ ଉପସ୍ଥିତ ବିଧାୟକ ଓ ବିଧାନସଭା କର୍ମଚାରୀମାନଙ୍କୁ କ୍ୱାରେଣ୍ଟାଇନ୍ ରେ ରହିବାକୁ ନିଦେ୍ର୍ଦଶ ଦେଇଥିଲେ ବାଚସ୍ପତି ।