ଭୁବନେଶ୍ୱର: ହୋଟେଲ ପାଲ୍ ହାଇଟସ୍ ମାଲିକ ସତପାଲ୍ ସିଂଙ୍କ ଘରେ ନିଆଁ ଲାଗି ୫ଟି ଅମୂଲ୍ୟ ଜୀବନ ଚାଲିଯିବା ଘଟଣା ପଛର ଚାବିକାଠି ପଡ଼ିଛି ପୁଲିସ ହାତରେ । ସତପାଲ୍ ଙ୍କ ଘରୁ ଜବତ ସିସିଟିଭି ହାର୍ଡଡିସ୍କରେ ଫୁଟେଜ୍ ସେଟିଂ ଠିକ୍ ନାହିଁ । ସେଥିରେ ତାରିଖ ଏପଟ ସେପଟ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅଧିକ ଯାଞ୍ଚ ପାଇଁ ପୁଲିସ ତାହାକୁ ଫୋରେନସିକ୍ ଲାବ୍ କୁ ପଠାଇଛି । ସିସିଟିଭି ହାର୍ଡଡିସ୍କକୁ ଟାମ୍ପରିଂ କରାଯାଇଥିବା ପୁଲିସ ଏକପ୍ରକାର ନିଶ୍ଚିତ ହୋଇଯାଇଛି । ଏଥିସହ ସତପାଲ୍ ଙ୍କ ଘରର ନିଆଁ ପଛ ରହସ୍ୟର ଚେର୍ ପୁଲିସକୁ ମିଳିଯାଇଛି ।
ସତପାଲ୍ ଙ୍କ ସାନପୁଅ ଗଗନ୍, ବୋହୁ ଭାବନା, ନାତୁଣୀ ସୋହାବି, ନାତି ରୁବିର୍ ଓ କେୟାର ଟେକର୍ ଖୁସି ନିଆଁରେ ପୋଡି ମରିବା ପଛରେ ଷଡ଼ଯନ୍ତ୍ରର ଗନ୍ଧ ପ୍ରଥମେ ପାଇଥିଲା ‘ମିଡଡ଼େ ଓଡ଼ିଶା’ । ପଡୋଶୀଙ୍କ ବୟାନ ଓ ପାରିପାଶ୍ୱିର୍କ ସ୍ଥିତିକୁ ଅନୁଧ୍ୟାନ କରି ଏଭଳିସନ୍ଦେହ ସୃଷ୍ଟି ହୋଇଥିଲା । ଧନୀ ଓ ପ୍ରଭାବଶାଳୀ ସତପାଲ୍ ଙ୍କ ପରିବାର ଅଘଟଣ ଉପରୁ ପର୍ଦ୍ଦାଫାସ ହେବା ନେଇ ଆଶଙ୍କା ବି କରାଯାଇଥିଲା । ତେବେ ୬ ଦିନ ପରେ ସତପାଲ୍ ଙ୍କ ଘରର ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରି ପୁଲିସ ଷଡ଼ଯନ୍ତ୍ରର ଗନ୍ଧ ପାଇଛି । ସେଥିରୁ ଦୁର୍ଘଟଣାର କାରଣ ଓ ସମ୍ଭାବ୍ୟ ଉଦ୍ଦେଶ୍ୟ ଧରାପଡ଼ିବ ବୋଲି ତଦନ୍ତକାରୀ ପୁଲିସ ନିଶ୍ଚିତ ହୋଇଯାଇଛନ୍ତି । ମୃତ ସାନପୁଅ ପରିବାର ରହୁଥିବା ତୃତୀୟ ମହଲାର ସିସିଟିଭି ହାର୍ଡଡିସ୍କଟି ନିଆଁରେ ପୋଡ଼ି ନଷ୍ଟ ହୋଇଯାଇଥିବା ପୁଲିସ ପୂର୍ବରୁ କହିଥିଲା ବେଳେ ବିଳମ୍ବ ହେଲେ ମଧ୍ୟ ଘରର ଅନ୍ୟ ସିସିଟିଭି ହାର୍ଡଡିସ୍କ ପୁଲିସ ତଦନ୍ତକୁ ଲିଡ୍ ଦେଇଛି ।
୩ ତାରିଖ ଭୋର୍ ସମୟରେ ଘଟିଥିବା ଅଗ୍ନିକାଣ୍ଡ ସର୍ଟ ସର୍କିଟ୍ ଯୋଗୁଁ ଘଟିଛି ନା ପଛରେ ଅନ୍ୟ ଷଡ଼ଯନ୍ତ୍ର ରହିଛି ତାହାର ଛାନଭିନ୍ ଆରମ୍ଭ ହୋଇଯାଇଥିବା ତଦନ୍ତକାରୀ ପୁଲିସ ଅଧିକାରୀ କହିଛନ୍ତି । ଫୋରେନସିକ୍ ଓ ବିଶେଷଜ୍ଞଙ୍କ ରିପୋର୍ଟ ଆସିଲା ପରେ ଅଘଟଣ ରହସ୍ୟ ଉପରୁ ପର୍ଦ୍ଦା ହଟିବ ବୋଲି ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି । ସୂଚନାଯୋଗ୍ୟ, ସତପାଲ୍ ଙ୍କ ଦୁଇ ପୁଅଙ୍କ ମଧ୍ୟରେ ସମ୍ପତ୍ତି ବିବାଦ ଥିଲା ବୋଲି ଚର୍ଚ୍ଚା ହେଉଛି । ଏହା ଅଘଟଣର ମୁଖ୍ୟ କାରଣ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା ବେଳେ ପଛରେ ଅନ୍ୟ କୌଣସି ବି କାରଣ ଥାଇପାରେ ବୋଲି କୁହାଯାଉଛି । ଚାପ କିମ୍ବା ପ୍ରଲୋଭନରେ ନ ପଡ଼ି ପୁଲିସ ଏହି ହାଇପ୍ରୋଫାଇଲ୍ ପରିବାରର ମର୍ମନ୍ତୁଦ ଅଘଟଣର ସତ୍ୟାସତ୍ୟ ପଦାକୁ ଆଣିବାକୁ ସାଧାରଣରେ ଦାବି ହୋଇଛି ।