ଭୁବନେଶ୍ୱର: ବିଧାନସଭା ଗୃହ କମିଟିରେ ଆଜି ସତ୍ୟପାଠ ଦାଖଲ କରିଛନ୍ତି ବୈଜୟନ୍ତ ପଣ୍ଡାଙ୍କ ଜେଲ୍ ଯାଇଥିବା ବନ୍ଧୁ ଅଭିଜିତ୍ ଆୟାର ମିତ୍ର । ଓଡ଼ିଶା ବିଧାୟକଙ୍କୁ ‘ବୁଦ୍ଦୁ’ ବୋଲି ଆକ୍ଷେପ କରିଥିବା ଅଭିଜିତ୍ ଗୃହ କମିଟି ନିର୍ଦ୍ଦେଶ ମାନି ନିର୍ଦ୍ଧାରିତ ସମୟରେ ତାଙ୍କର ସତ୍ୟପାଠ ଦାଖଲ କରିଥିଲେ । ଗତକାଲି ଗୃହ କମିଟିରେ ହାଜର ହୋଇ ସେ ସତ୍ୟପାଠ ଦାଖଲ କରିବାର ଥିଲା । କମିଟିରେ ସେ ହାଜର ହୋଇଥିଲେ ମଧ୍ୟ ସତ୍ୟପାଠ ଦାଖଲ କରି ନ ପାରି ଅଧିକ ସମୟ ମାଗିଥିଲେ । ଗୃହ କମିଟି ଆଜି ଦିନ ୧୧ଟା ବେଳେ ତାଙ୍କୁ ସତ୍ୟପାଠ ଦାଖଲ କରିବାକୁ ଶେଷ ସୁଯୋଗ ଦେଇଥିଲା ।
ଅଭିଜିତ୍ ଙ୍କ ସତ୍ୟପାଠକୁ ଗୃହ କମିଟି ତର୍ଜମା କଲା ପରେ ପରବର୍ତ୍ତି ନିଷ୍ପତ୍ତି ନିଆଯିବ ବୋଲି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି । ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ପଡ଼ିଲେ ଅଭିଜିତ୍ ଙ୍କୁ ପୁଣି ଥରେ ଡକାଯାଇପାରେ ବୋଲି ସେ କହିଛନ୍ତି । ଗତକାଲି ଭଳି ଆଜି ମଧ୍ୟ ଅଭିଜିତ୍ ଙ୍କୁ କଡ଼ା ପୁଲିସ ସୁରକ୍ଷାରେ ଝାରପଡ଼ା ଜେଲ୍ ରୁ ବିଧାନସଭା ଗୃହ କମିଟି ପାଖକୁ ଅଣାଯାଇଥିଲା । ତୃତୀୟ ଥର ପାଇଁ ଆଜି ସେ ହାଜର ହୋଇଥିଲେ ।