ଭୁବନେଶ୍ୱର: ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ସ୍ଥାପନ ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଐତିହ୍ୟ କ୍ୟାବିନେଟ୍ ର ପ୍ରଥମ ବୈଠକରେ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସେଥିପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇ ଦେବେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ସମୁଦାୟ ୪ଟି ନିଷ୍ପତ୍ତି ନିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଐତିହ୍ୟକୁ ରୁଦ୍ଧିମନ୍ତ କରିବା ନିମନ୍ତେ ଐତିହ୍ୟ କ୍ୟାବିନେଟ୍ କାର୍ଯ୍ୟ ଆରମ୍ଭ କରିଛି ।
ଐତିହ୍ୟ କ୍ୟାବିନେଟ୍ ର ନିଷ୍ପତ୍ତି ଅନୁଯାୟୀ, (୧) ଓଡ଼ିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡ଼ିଆ ଭାଷାର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ନିମନ୍ତେ “ଓଡ଼ିଆ ସଂସ୍କୃତି ଓ ଐତିହ୍ୟ ନୀତି” ପ୍ରଣୟନ କରାଯିବ । (୨) ରାଜ୍ୟରେ ଥିବା ସମସ୍ତ ପାଠାଗାରମାନଙ୍କର ସୁପରିଚାଳନା ପାଇଁ ଏକ ପୃଥକ୍ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯିବ । (୩) ଆନନ୍ଦଭବନ ସଂଗ୍ରହାଳୟ ଓ ଅଧ୍ୟୟନ କେନ୍ଦ୍ର ଟ୍ରଷ୍ଟ/ନ୍ୟାସ ଗଠନ କରାଯିବ । ଏଥିପାଇଁ ଏକ କର୍ପସ୍ ପାଣ୍ଠି ମଧ୍ୟ ଗଠନ କରାଯିବ । (୪) ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ ।
ସୂଚନାଯୋଗ୍ୟ, ୨୦୧୭ ଡିସେମ୍ବର ୨୬ରେ ପୁରୀଠାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକ ନିଷ୍ପତ୍ତିକ୍ରମେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଏକ ନୂତନ ବିଭାଗ ଭାବେ ଗଠନ ହୋଇଛି । ପୁରୀ କ୍ୟାବିନେଟ୍ ର ଅନ୍ୟ ଏକ ଅଭିନବ ନିଷ୍ପତ୍ତି ଥିଲା ‘ଐତିହ୍ୟ କ୍ୟାବିନେଟ୍’ । ଚଳିତ ମାସ ୧୨ ତାରିଖରେ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏହାର ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଥିଲା । ମୁଖ୍ୟ ଶାସନ ସଚିବ ଐତିହ୍ୟ କ୍ୟାବିନେଟ୍ ର କ୍ୟାବିନେଟ୍ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ୭ ଜଣ ମନ୍ତ୍ରୀ ଓ ବିଭାଗୀୟ ସଚିବମାନେ ଏହାର ସଦସ୍ୟ ଅଛନ୍ତି ।