ଭୁବନେଶ୍ୱର: ‘ପିନାକ ମହାନ୍ତି ବିଜେପିର କେହି ନୁହଁନ୍ତି’ । ତାଙ୍କୁ ଅଜଣା ଯୁବକ କହି ବିଜେପି ପ୍ରେସ୍ ମିଟ୍ କଲା । ଦମ୍ଭ ବି ଦେଖାଇଲା । ସେହି ଖବରକୁ ଆମର ପ୍ରମୁଖ ଗଣମାଧ୍ୟମ ଜୋରଦାର ପ୍ରଚାର କଲେ । ହେଲେ ତାପରେ ଚୁପ୍ । ପିନାକ ମହାନ୍ତି ସତରେ ବିଜେପିର ନା ଅନ୍ୟ କେଉଁ ଦଳର ସେ ବିଷୟରେ ଖୋଳତାଡ଼ କଲେନି । ପିନାକଙ୍କ ପ୍ରକୃତ ପରିଚୟର ଅନେକ ପ୍ରମାଣ ପଦାକୁ ଆସିଥିଲେ ମଧ୍ୟ ସଂପୃକ୍ତ ଗଣମାଧ୍ୟମ ସେ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଆଗ୍ରହ ଦେଖାଇଲେନି । ଖବର ଚାପିଦେବାକୁ ଶ୍ରେୟ ମଣିଲେ ।
ପିନାକ ମହାନ୍ତିଙ୍କ ଘର ଭୁବନେଶ୍ୱରଠାରୁ ବେଶୀ ଦୂର ନୁହେଁ । କଟକ ସଦର ନିଆଳି ଅନ୍ତର୍ଗତ ରାଇପୁରରେ ତାଙ୍କ ଘର ।
(୧) ପିନାକ ବିଜେପିର ଜଣେ ସକ୍ରିୟ ସଦସ୍ୟ । ତାଙ୍କର ସଭ୍ୟପଦର ରସିଦ୍ ବି ରହିଛି । ଖାଲି କର୍ମୀ ନୁହଁନ୍ତି, ଗବଗସ୍ତ ମଣ୍ଡଳର ସେ ଉପସଭାପତି । ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ତାଙ୍କର ଫଟୋ ସମ୍ବଳିତ ପୋଷ୍ଟର ଲଗାଇଥିଲେ । ଅଞ୍ଚଳର କାନ୍ଥବାଡ଼ରେ ଆଜି ବି ତାହା ଶୋଭା ପାଉଛି ।
(୨) ପିନାକଙ୍କ ବିବାହ ଓ ଭଲମନ୍ଦ କାମରେ ବିଜେପି ନେତାଙ୍କର ଭିଡ଼ ହେଉଥିଲା । ଏକଥା କେବଳ ପିନାକଙ୍କ ପରିବାର ଓ ସ୍ଥାନୀୟବାସୀ କହିନାହାନ୍ତି । ଫଟୋରେ ତାହାର ପ୍ରମାଣ ମଧ୍ୟ ରହିଛି ।
(୩) ସର୍ବୋପରି ତାଙ୍କର ମାଆ ନିଜ ପାଟିରେ ପୁଅର ରାଜନୈତିକ ପରିଚୟର ଖୁଲାସା କରିଛନ୍ତି । ପୁଅ ବିଜେପି ନେତା ଓ ବିଜେପି ଅଫିସକୁ ସବୁବେଳେ ଯିବା ଆସିବା କରନ୍ତି ବୋଲି କହିସାରିଲେଣି ।
(୪) ପିନାକ ଓ ରାଜ୍ୟ ବିଜେପିର ସଂଗଠନ ସମ୍ପାଦକ ଶାରଦା ଶତପଥୀ ସେଠାକାର ଢ଼ାବାରେ ଏକାଠି ଖାଇବା କଥା ସ୍ଥାନୀୟବାସୀ ବି କହିଛନ୍ତି ।
ବୁଦ୍ଧିଜୀବୀ ମହଲର ଚର୍ଚ୍ଚା ଅନୁଯାୟୀ, ଏତେସବୁ ପ୍ରମାଣ ପରେ ବି ପ୍ରମୁଖ ଟିଭି ଓ ପେପର୍ ପାଇଁ ତାହା ଖବର ହୋଇନାହିଁ । ନିଜ ପ୍ରତିନିଧିଙ୍କୁ ପଠାଇ ଖବରର ସତ୍ୟାସତ୍ୟ ଜାଣିବାକୁ ଉଚିତ ମଣିନାହାନ୍ତି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ମନମୋହନ ସାମଲ ପ୍ରେସ୍ ମିଟ୍ କରି ଯାହା କହିଲେ ତାହାକୁ ବେଦର ଗାର କରି ଦାୟିତ୍ୱ ସାରିଦେଇଛନ୍ତି । ଲୋକଙ୍କୁ ଜଣାଇବାକୁ ଚାହିଁନାହାନ୍ତି ବିଜେପି ସତ କହୁଛି ନା ମିଛ । ହୋଇପାରେ ଏହାକୁ ସେମାନେ ମାମୁଲି ଖବର ଭାବି ଗୁରୁତ୍ୱ ଦେଇନାହାନ୍ତି । ହେଲେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତିଙ୍କୁ ତାଙ୍କ ଚାମ୍ବରରେ ପଶି ମୁଣ୍ଡରେ ବନ୍ଧୁକ ଲଗାଇଥିବା ବ୍ୟକ୍ତି ଛୋଟକାଟିଆ ଅପରାଧୀ ନୁହଁନ୍ତି କି ତାଙ୍କର ପରିଚୟ ମାମୁଲି ଖବର ହୋଇ ନ ପାରେ । ନକଲି ବନ୍ଧୁକ ହୋଇଥିଲେ ମଧ୍ୟ ଧମକ କିନ୍ତୁ ସତସତିକା । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସବୁ ଟିଭି ଏହାର ଲାଇଭ୍ ପ୍ରସାରଣ କରିଥିଲେ । ବିଜେପି ତାଙ୍କୁ ଅଜଣା ବ୍ୟକ୍ତି କହି ଦମ୍ଭ ଦେଖାଇବାର ପ୍ରେସ୍ ମିଟ୍ କୁ ବି ଲାଇଭ୍ କରିଥିଲେ । ହେଲେ ସେତିକିରେ ଖବର ସରିଯିବା କଥାକୁ ବୁଦ୍ଧିଜୀବୀ ଓ ନିଆଳୀ ଅଞ୍ଚଳବାସୀ ଗ୍ରହଣ କରିପାରୁନାହାନ୍ତି ।