ରଙ୍ଗାଚରଣ ପ୍ରଧାନ
ସନସନି ଓ ଡରେଇବା ଭଳି ଖବରକୁ ସହଜରେ ବିଶ୍ବାସ କରନ୍ତୁ ନାହିଁ । ଆମେ ସମସ୍ତେ ଜାଣିଛୁ ଯେ ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା 11000 ଅତିକ୍ରମ କରିସାରିଛି ଏବଂ ଏହା ଆହୁରି ବଢିବାରେ ଲାଗିଛି । ତଥାପି ତିନୋଟି ଭଲ ଖବର ଅଛି ।
ପ୍ରଥମଟି ହେଉଛି ଭାରତରେ କରୋନା ଭାଇରସ୍ ସଂକ୍ରମଣର ବେଗ କମିବାର ସୂଚନା ମିଳିଲାଣି । ଏହା ଜାଣିବା ପାଇଁ ହେଲେ ଆମକୁ ଦେଖିବାକୁ ହେବ ଯେ କେତେ ସମୟ ମଧ୍ୟରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେଉଛି ।
ମାର୍ଚ୍ଚ 12 ତାରିଖରେ ଭାରତରେ ପ୍ରତି 3 ଦିନରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହୋଇଥିଲା । ମାର୍ଚ୍ଚ 23 ବେଳକୁ ଦେଖାଗଲା ଯେ ଏହି ସଂଖ୍ୟା ପ୍ରତି 5 ଦିନରେ ଦୁଇଗୁଣ ହେଉଛି । ପରିସ୍ଥିତିରେ ଏପରି ଉନ୍ନତ୍ତି ଆସିବାର କାରଣ ହେଲା ଯେ ଏହି ସମୟ ଭିତରେ ଭାରତ ବିଦେଶ ଯାତ୍ରା ଉପରେ ଅନେକ ନିୟନ୍ତ୍ରଣ ଲଗାଇଲା, ସ୍କୁଲ କଲେଜ ବନ୍ଦ ହେଲା ଏବଂ ଅନେକ ଗୁଡିଏ ରାଜ୍ୟ କ୍ବାରେଣ୍ଟାଇନ୍ ବ୍ୟବସ୍ଥା ଆରମ୍ଭ କଲେ । ଏସବୁର ପ୍ରଭାବରେ ଭାରତରେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେବାର ବେଗ କମିଲା ।
ମାର୍ଚ୍ଚ 25 ତାରିଖରେ ସାରା ଭାରତରେ ଲକଡାଉନ୍ ଲାଗୁ ହେଲା । ତଥାପି ମାର୍ଚ୍ଚ 29 ତାରିଖରେ ଦେଖାଗଲା ଯେ ପଜିଟିଭଙ୍କ ସଂଖ୍ୟା ଦୁଇଗୁଣ ହେବାର ବେଗ କମିବା ପରିବର୍ତ୍ତେ ବଢିଛି । ସେତେବଳକୁ ତାହା ପ୍ରତି 4 ଦିନରେ ଦୁଇଗୁଣ ହେଉଥିଲା ଯାହା 23 ତାରିଖ ବେଳକୁ 5 ଦିନରେ ହେଉଥିଲା । ଏପରି ହେବାର ସାମ୍ଭାବ୍ୟ କାରଣ ହେଉଛି ନିଜାମୁଦ୍ଦିନର ତବଲିଗ୍ ଜମାତ୍ ଘଟଣା ।
ଏପ୍ରିଲ୍ 6 ତାରିଖ ବେଳକୁ ଦେଖାଗଲା ଯେ ପଜିଟିଭଙ୍କ ସଂଖ୍ୟା ଏଣିକି ପ୍ରତି 6 ଦିନରେ ଦୁଇଗୁଣ ହେଉଛି । ଏଥିରେ ଲକ୍ ଡାଉନର ସ୍ପଷ୍ଟ ଅନୁକୂଳ ପ୍ରଭାବ ଦେଖିବାକୁ ମିଳୁଛି । ସେତେବେଳକୁ ଲକଡାଉନ୍ ପ୍ରାୟ 2 ସପ୍ତାହ ହୋଇ ସାରିଥାଏ ।
ଏ ପରିସଂଖ୍ୟାନ ମୋର ନୂହେଁ । ଜନ୍ ହପକିନ୍ସ ସିଏସଏସଇ ସ୍ଥିତ ମୁଦିତ କପୁର ଓ ସମିକ ରବିଙ୍କ ଦ୍ବାରା ଏହି ଡାଟା ପ୍ରକାଶ ପାଇଛି । ପୄଥିବୀର ସମସ୍ତ ଦେଶ ଏହି ପ୍ରକାରେ ହିସାବ କରୁଛନ୍ତି ।
ଦ୍ବିତୀୟ ଖୁସୀ ଖବର ହେଉଛି ଯେ ଭାରତର ଆର୍-ନଟ୍ (R-naught ବା R0) ଗତ 11 ତାରିଖ ସୁଦ୍ଧା 1.55 କୁ ଖସି ଆସିଛି । ଅର୍ଥାତ ଜଣେ କରୋନା ଭାଇରସ୍ ସଂକ୍ରମିତ ବ୍ୟକ୍ତି ଆଉ 1.55 ଜଣଙ୍କୁ ସଂକ୍ରମିତ କରୁଛି । ଚେନ୍ନାଇ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାଥମେଟିକାଲ୍ ଷ୍ଟଡିଜ୍ ଏହି ପରିସଂଖ୍ୟାନ୍ ଦେଇଛନ୍ତି । ଏହାର କିଛି ଦିନ ପୂର୍ବେ ଅର୍ଥାତ୍ ଏପ୍ରିଲ୍ 6 ତାରିଖ ବେଳକୁ ଭାରତର ଆର୍-ନଟ୍ 1.83 ଥିଲା । ଅର୍ଥାତ୍ ସେତେବେଳେ ଜଣେ ସଂକ୍ରମିତ ରୋଗୀ ଆଉ 1.83 ଜଣଙ୍କୁ ସଂକ୍ରମିତ କରୁଥିଲା ।
କିନ୍ତୁ ଆପଣ ଯଦି ମାର୍ଚ୍ଚ 23 ତାରିଖରେ ବା ଲକଡାଉନ୍ ଘୋଷଣାର ଦିନକ ପୂର୍ବରୁ ଏହା କେତେ ଥିଲା ଦେଖିବେ ତାହାଲେ ଆପଣ ଆଶ୍ଚର୍ଯ୍ୟ ହେବେ । ସେତେବେଳେ ଏହା 4 ଥିଲା ବୋଲି ଆଇ.ସି.ଏମ୍.ଆର୍ ପକ୍ଷରୁ ତଥ୍ୟ ପ୍ରକାଶ ପାଇଥିଲା । ଅବଶ୍ୟ ଦୁଇଟି ଅଲଗା ସଂସ୍ଥାର ଭିନ୍ନ ଶୄଙ୍ଖଳର ଡାଟାକୁ ତୁଳନା କରିବା ଠିକ୍ ନୂହେଁ । କିନ୍ତୁ ଏକଥା ନିଶ୍ଚିତ ଯେ ଭାରତରେ ସଂକ୍ରମଣର ବେଗ କମୁଛି । ଯେଉଁଦିନ ଆର୍-ନଟ୍ 1 ତଳକୁ ଖସିଯିବ ସେଦିନ କହି ହେବ ଯେ ଭାରତରେ କରୋନା ରୋଗ ଏକ ମହାମାରୀର ରୁପ ଧାରଣ କରିବ ନାହିଁ ।
ଏ ବିଷୟରେ ଆସନ୍ତା 18 ତାରିଖର ତଥ୍ୟ ଆସନ୍ତା 20 ତାରିଖରେ ପ୍ରକାଶ ପାଇବ । ଯଦି ସେତେବେଳକୁ ଭାରତର ଆର୍-ନଟ୍ କ୍ରମାଗତ ହ୍ରାସର ଧାରା ବଜାୟ ରଖି 1.55 ଠାରୁ ଆହୁରି କମିଥିବ ତେବେ ନିଶ୍ଚିତ ଭାବେ କୁହାଯାଇ ପାରିବ ଯେ ଲକ୍-ଡାଉନ୍ ଜନିତ ଆମର ସମସ୍ତ କଷ୍ଟ ଓ ଧୈର୍ଯ୍ୟ କାମ ଦେଉଛି ।
ଏଥର ଆସନ୍ତୁ ତୄତୀୟ ଭଲ ଖବରକୁ । ‘ଦି ପ୍ରିଣ୍ଟ’ରେ ପ୍ରକାଶିତ ସାମ୍ବାଦିକା ସନ୍ଧ୍ୟା ରମେଶଙ୍କ ରିପୋର୍ଟରୁ ଏହି ଖବର ଆସିଛି । ଏହା ଅନୁଯାୟୀ ଏପ୍ରିଲ୍ 14 ତାରିଖ ସୁଦ୍ଧା ଭାରତରେ କରୋନା ପଜିଟିଭଙ୍କ ସଂଖ୍ୟା 10000କୁ ଟପିଗଲା । ଅର୍ଥାତ୍ ଭାରତରେ ପ୍ରଥମ କରୋନା ପିଡିତ ଚିହ୍ନଟ ହେବାର 74 ଦିନ ପରେ ଏହା ହେଲା । ଯେଉଁ ଦେଶଗୁଡିକ କରୋନା ଭାଇରସ୍ ପ୍ରତି ପ୍ରଥମରୁ ଢିଲା ମନୋବୄତ୍ତି ଦେଖାଇଥିଲେ ସେମାନେ ଏହାଠାରୁ କମ୍ ଦିନ ମଧ୍ୟରେ 10000 ପଜିଟିଭ୍ ରେ ପହଞ୍ଚି ଯାଇଥିଲେ । ଏହି ସଂଖ୍ୟାରେ ପହଞ୍ଚିବାକୁ ଆମେରିକା 53 ଦିନ ଓ ଇଂଲାଣ୍ଡ 55 ଦିନ, ସ୍ପେନ୍ 46 ଦିନ ଓ ଇଟାଲୀ 40 ଦିନ ନେଇଥିଲେ । ଭାରତରେ ଏହି ଦିନ ସଂଖ୍ୟା ସେହିସବୁ ଦେଶମାନଙ୍କ ସହ ସମାନ ଯେଉଁମାନେ କରୋନାକୁ ମୁକାବିଲା କରିବାରେ ସଫଳତା ପାଇଛନ୍ତି ବୋଲି ଧରାଯାଏ । ଭାରତ ଭଳି ଦକ୍ଷିଣ କୋରିଆକୁ 74 ଦିନ, ଚୀନକୁ 73 ଦିନ ଓ ସୁଇଡେନକୁ ଏଥିପାଇଁ 72 ଦିନ ଲାଗିଥିଲା ।
ସବା ଶେଷରେ ଆସନ୍ତୁ ଆମ ଅର୍ଥନୀତିର ଅବସ୍ଥା କ’ଣ ହେବ ସେ ବିଷୟରେ ଆଲୋଚନା କରିବା । ଆପଣ କଳ୍ପନା କରନ୍ତୁ ଯେଉଁଦିନ ସବୁ ମଦ ଦୋକାନ ଖୋଲିବ ସେଦିନ ସେଠାରେ କି ପ୍ରକାର ଭିଡ ସୄଷ୍ଟି ହେବ । ଅବଶ୍ୟ ମୋ ମତରେ ଓଡିଶା ସମେତ ଅନ୍ୟ ରାଜ୍ୟମାନେ ଡେରି ନକରି ଆବଶ୍ୟକୀୟ କଟକଣାର ସହିତ ଆସନ୍ତା କାଲିଠାରୁ ସବୁ ମଦ ଦୋକାନ ଖୋଲିଦେବା ଉଚିତ୍ । ମଦକୁ ନେଇ ଉଠୁଥିବା ସମସ୍ତ ନୈତିକତାର ବିବାଦ ଆମେ ପରେ ତୁଟାଇ ପାରିବା । ମାତ୍ର ଏବେ ସରକାର ନିଜ ରାଜସ୍ବ ବଢାଇବାର ଏକମାତ୍ର ଉପାୟ ହେଉଛି ଅବିଳମ୍ବେ ମଦ ଦୋକାନ ଖୋଲିବା ।
ତେବେ ସେ ଯାହା ହେଉ, ଆପଣ କଳ୍ପନା କରନ୍ତୁ, ଯେଉଁଦିନ ଲକଡାଉନ୍ ଉଠିଯିବ ସେଦିନ ରେଷ୍ଟୁରାଣ୍ଟରେ କି ପ୍ରକାର ଭିଡ ହେବ ? ବସ୍, ଟ୍ରେନ୍ ଓ ବିମାନ ପାଇଁ କି ପ୍ରକାର ଭିଡ ହେବ ? ମୋ ଭଳି ଯେଉଁମାନଙ୍କର ମୋବାଇଲ ସେଟ୍ ଖରାପ ହୋଇଯାଇଛି ସେମାନେ ସେଦିନ ଅଥୋରାଇଜଡ୍ ସର୍ଭିସ୍ ସେଣ୍ଟରରେ କି ପ୍ରକାର ଭିଡ କରିବେ ? ଆପଣ କ’ଣ ଭାବୁ ନାହାନ୍ତି ଯେ ବହୁ ଲୋକ କାରରେ ଟାଙ୍କି ପୁରା କରି ଲଙ୍ଗ୍ ଡ୍ରାଇଭରେ ଯିବେ ବୋଲି ? ଏବେ ବହୁ ସଂଖ୍ୟକ ବାହାଘର ରୋକି ହୋଇ ଅଛି । ସେତେବେଳେ ସେସବୁ ବି ହେବ ।
ଆପଣ ଏହି ଭଳି ଆହୁରି ଅନେକ କଥା କଳ୍ପନା କରିପାରିବେ । ମୁଁ ଏସବୁ କହିବାର ମାନେ ହେଲା ଯେତେବେଳେ ଲକଡାଉନ ହଟିବ ସେତେବେଳେ ଅଚାନକ ବହୁ ଜିନିଷର ଡିମାଣ୍ଡ ବଢିଯିବ । କରୋନା ଭାଇରସ୍ ଆସିବା ପୂର୍ବରୁ ଭାରତର ଆର୍ଥିକ ଅବସ୍ଥା ମାନ୍ଦା ଥିଲା । ସେତେବେଳେ ଅର୍ଥନୀତିରେ ଡିମାଣ୍ଡ ନ ଥିବାରୁ ଅଧିକାଂଶ ଶିଳ୍ପ କାରଖାନା ସେମାନଙ୍କ ଉତ୍ପାଦନ କ୍ଷମତାର 60% ବିନିଯୋଗ କରୁଥିଲେ ଏବଂ ଷ୍ଟକ୍ ବିକ୍ରୀ ନ ହୋଇ ଜମା ହୋଇ ରହୁଥିଲା । ମୁଁ ଆଶାବାଦୀ ଯେ ଲକଡାଉନ୍ ହଟିବା ପରେ ଉତ୍ପାଦନ ପ୍ରକ୍ରିୟାକୁ ଗୋଟିଏ ଲାତ ମିଳିବ ।
ସମସ୍ୟା ହେଉଛି ଯେ, ଉତ୍ପାଦନ ପାଇଁ ଶ୍ରମିକ କେଉଁଠାରୁ ଆସିବେ ? କାରଣ ବହୁ ସଂଖ୍ୟକ ଶ୍ରମିକ ନିଜେ ଚାକିରୀ କରୁଥିବା ସହର ଛାଡି ନିଜ ନିଜ ଗାଁକୁ ଫେରି ଯାଇଛନ୍ତି । ସେମାନଙ୍କ ପାଇଁ ଗାଁରେ ରୋଜଗାରର ମାର୍ଗ ଯଥେଷ୍ଟ ନଥିଲା ବୋଲି ସେମାନେ ସହରକୁ ଯାଇ କାମ କରୁଥିଲେ । ଏବେ ଉତ୍ପାଦନ ଓ କାରଖାନା ଖୋଲିଲେ ସେମାନେ ପୁଣି ଫେରିବେ । ଅବଶ୍ୟ ସେଥିପାଇଁ ସମୟ ଲାଗିବ ।
ଏଠାରେ ଆଉ ଗୋଟିଏ ସମ୍ଭାବନା ରହିଛି । ଯଦି ଅଚାନକ ଡିମାଣ୍ଡରେ ବୄଦ୍ଧି ଉତ୍ପାଦନ ବୄଦ୍ଧିକୁ ବାଧ୍ୟ କରାଏ ତେବେ ସେମାନେ ଶ୍ରମିକମାନଙ୍କୁ ଆକର୍ଷିତ କରାଇବା ପାଇଁ ସେମାନଙ୍କର ମଜୁରୀ ବୄଦ୍ଧି କରି ପାରନ୍ତି । ଦେଖନ୍ତୁ ଆଜ୍ଞା ଅର୍ଥନୀତି ହେଉଛି ଡିମାଣ୍ଡ ଓ ସପ୍ଲାଇର ଖେଳ । ବିଭିନ୍ନ ସରକାରମାନେ ମାଲିକମାନଙ୍କ ସପକ୍ଷରେ ହସ୍ତକ୍ଷେପ କରି ଏହି ସ୍ବାଭାବିକ ସମୀକରଣକୁ ବିଗାଡନ୍ତି ।
ଗତ ସେପ୍ଟେମ୍ବର ମାସରେ ସରକାର କମ୍ପାନୀମାନଙ୍କୁ 1.45 ଲକ୍ଷ କୋଟୀ ଟଙ୍କାର ଟିକସ ଛୁଟ୍ ଦେଇ ସପ୍ଲାଇ ପକ୍ଷକୁ ମଜବୁତ୍ କରୁଥିଲେ । ଏହାର କୌଣସି ସୁଫଳ ମିଳି ନଥିଲା । ପ୍ରଥମ ଥର ସୁଯୋଗ ଆସିଛି ଯେ ଡିମାଣ୍ଡ ଅର୍ଥନୀତିକୁ ଆଗକୁ ବଢାଇବ ।
ଅବଶ୍ୟ ଆପଣ ଯୁକ୍ତି କରିପାରନ୍ତି ଯେ କେବଳ ଉଚ୍ଚ ମଧ୍ୟବିତ୍ତ ଓ ଧନୀକ ଶ୍ରେଣୀର ଲୋକେ ଡିମାଣ୍ଡ ବଢାଇବେ । ମେହନତି ଲୋକଙ୍କ ପାଖରେ ଚାକିରୀ ନାହିଁ ରୋଜଗାର ନାହିଁ ଓ ଟଙ୍କା ନାହିଁ । ତେଣୁ ସେମାନେ କ’ଣ ଡିମାଣ୍ଡ କରିବେ ? ଏ ପ୍ରଶ୍ନ ଯୁକ୍ତିଯୁକ୍ତ । କିନ୍ତୁ ପାରମ୍ପରିକଭାବେ ଏ ଶ୍ରେଣୀର ଲୋକଙ୍କର ବେଶି ଓ ବହୁମୂଲ୍ୟର ଡିମାଣ୍ଡ ନଥାଏ । ଯେତେବେଳେ ଉତ୍ପାଦନ ବଢିବ ଓ ନିଯୁକ୍ତି ବଢିବ ସେତେବେଳେ ଏମାନଙ୍କ ହାତକୁ ଦୁଇ ଟଙ୍କା ଆସିବ ।
ଦେଖନ୍ତୁ, ଅର୍ଥନୀତିରେ ସବୁ କଥା ଏକାବେଳକେ ହୋଇଯାଏ ନାହିଁ । ଗୋଟିଏ ଘଟଣା ଆଉ ଗୋଟିଏ ଘଟଣାକୁ ପ୍ରେରଣ କରେ ।
ଏବେ ଜିଡିପି ବୄଦ୍ଧି ଦର ଶୂନ୍ୟକୁ ଖସି ଆସିବ ବୋଲି ରିପୋର୍ଟ ଆସିଲାଣି । ଏହା ଜଣାଥିଲା । କାରଣ କରୋନା ଯୋଗୁଁ ଆମେ ଜବରଦସ୍ତି ଆର୍ଥିକ କାର୍ଯ୍ୟକଳାପକୁ ରୋକି ରଖିଥିଲୁ । ଏହା ସ୍ବାଭାବିକ ଭାବେ ମାନ୍ଦା ହୋଇ ନାହିଁ । ବରଂ ନୋଟବନ୍ଦୀ ଓ ଜିଏସଟିର ତୄଟିଯୁକ୍ତି କାର୍ଯ୍ୟକାରିତା ଅର୍ଥନୀତିକୁ ବେଶି ଓ ସ୍ଥାୟୀ କ୍ଷତି ପହଞ୍ଚାଇଛନ୍ତି । ତା’ଛଡା ଯେତେ ହାଇପ୍ ସତ୍ତ୍ବେ ଭାରତର ଅର୍ଥନୀତି ଏତେ ବିରାଟ ଅର୍ଥନୀତି ନ ଥିଲା ଯେ ଏହା କରୋନାର ପୁର୍ବସ୍ଥିତିକୁ ଫେରି ପାରିବାକୁ ବେଶି ସମୟ ଲାଗିବ । ଭାରତର ମୁଣ୍ଡପିଛା ଜିଡିପି ବହୁତ କମ୍ । ଭାରତର ଅର୍ଥନୀତି ଅସମାନତାର ଅର୍ଥନୀତି, ଧନୀ ଦରିଦ୍ରଙ୍କ ମଧ୍ୟରେ ଆୟ ଓ ସମ୍ପତ୍ତିଗତ ବିରାଟ ପାର୍ଥକ୍ୟର ଅର୍ଥନୀତି, ଶୋଷଣର ଅର୍ଥନୀତି, ବ୍ୟାଙ୍କ ୠଣ ଫାଙ୍କି ମାରିବାର ଅର୍ଥନୀତି ।
ଆପଣ କେବଳ ସରକାରଙ୍କ ଉପରେ ବିଶ୍ବାସ ରଖନ୍ତୁ । ଖୁବ ଶୀଘ୍ର ଏ ଦିନ ଫେରାଇ ଆଣିବେ ।
ଆପଣ ଭାବୁଥିବେ ଯେ ମୁଁ ବେଶି ଆଶାବାଦୀ ହୋଇ ଏତକ ଲେଖୁଛି । କିନ୍ତୁ ନା । ଏପରି ଲେଖିବାର କାରଣ ହେଲା ମୋ ପାଇଁ ସନସନି ବିକିବାର ଆବଶ୍ୟକତା ନାହିଁ ।
ଜିଡିପି ଶୂନରେ ପହଞ୍ଚିଯାଉ । କିଛି ଚିନ୍ତା ନାହିଁ । କିନ୍ତୁ ଆମେ ଆମେରିକା ଓ ଇଟାଲୀ ଭଳି ପରିସ୍ଥିତିରେ ଯେମିତି ନ ପହଞ୍ଚିବା ସେଇଟା ବଡ କଥା ।
(ଶ୍ରୀ ପ୍ରଧାନ ଏହି ନିବନ୍ଧକୁ ତାଙ୍କ ଫେସ୍ ବୁକ୍ ରେ ପୋଷ୍ଟିଂ କରିଛନ୍ତି । ତାଙ୍କ ଅନୁମତିକ୍ରମେ ଆମେ ଏହାକୁ ସ୍ଥାନିତ କରିଛୁ)