ଭୁବନେଶ୍ୱର: ବିଭାଗର ମନ୍ତ୍ରୀଙ୍କୁ ବଳି ପକାଗଲା । ହେଲେ ଅଫିସରଙ୍କୁ ମିଳିଲା ସୁରକ୍ଷା । ଆଜିକୁ ଠିକ୍ ୫ ମାସ ପୂରିଥିବା ସମ୍ ଅଗ୍ନିକାଣ୍ଡ ଘଟଣାକୁ ସରକାର ପୂରା ଭୁଲିଗଲେଣି । ତଦନ୍ତ ରିପୋର୍ଟ ଆସିଲାନି, ମୃତ୍ୟୁ ସଂଖ୍ୟା ରିପୋର୍ଟ ଆସିଲାନି କି ସବୁ ମୃତ ବ୍ୟକ୍ତିଙ୍କ ପରିବାର କ୍ଷତିପୂରଣ ପାଇଲେନି । ଦାୟୀ ଅଫିସରମାନେ ନିଶରେ ଘିଅ ମାରି ଖାଲି ବୁଲୁନାହାନ୍ତି ସରକାରଙ୍କ ଗେହ୍ଲାପୁଅ ହୋଇଯାଇଛନ୍ତି । ନିଜ ଆସନକୁ ମାଡ଼ି ନିଜ ହାତରେ ଚଉଦ ପାଏ ସାଜିଛନ୍ତି । ସେପଟେ ସମ୍ ହସ୍ପିଟାଲ୍ କୁ ଦିଆଯାଇଥିବା କାରଣଦର୍ଶାଅ ନୋଟିସ୍ ର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନକୁ ବି ସରକାର ଭୁଲିଯାଇଛନ୍ତି ।
ଗତବର୍ଷ ଅକ୍ଟୋବର ୧୭ ତାରିଖ ସଂଧ୍ୟାରେ ସମ୍ ହସ୍ପିଟାଲ୍ ଆଇସିୟୁରେ ଭୟଙ୍କର ନିଆଁ ଲାଗିଲା । ସେଥିରେ ସର୍ବମୋଟ ୩୧ ଜଣ ଚିକିତ୍ସାଧୀନ ରୋଗୀଙ୍କର ପ୍ରାଣ ଚାଲିଗଲା । ଏହି ଅଗ୍ନିକାଣ୍ଡକୁ ନେଇ ଖାଲି ରାଜ୍ୟ ନୁହେଁ ଦେଶତମାମ କମ୍ପିଲା । ପରିସ୍ଥିତି ଏଭଳି ହେଲା ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାପରେ ପଡ଼ିଗଲେ । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ଘୋଷଣା କରିଦେଲେ । ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ବଳି ପକେଇଦେଲେ । ଘଟଣାର ଆରଡିସି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ମାସେ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ । ସେପଟେ ସମ୍ ହସ୍ପିଟାଲ୍ ରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲେ ମଧ୍ୟ ଜିଲ୍ଲାପାଳ କିଭଳି ତାକୁ ଅନୁମତି ଦେଲେ ତାହାକୁ ନେଇ ତୁମ୍ବିତୋଫାନ ଲାଗିଲା । ଲାଗିଲା ସତେ ସରକାର ଯେମିତି ଭୂଷୁଡ଼ିପଡ଼ିବ । ହେଲେ ଦିନ କେଇଟା ପରେ ସବୁ ଚୁପ୍ । ୫ ମାସ ପୂରିଯାଇଥିଲେ ମଧ୍ୟ ସମ୍ ସ୍ୱର ଶବ୍ଦ ଶୁଭୁନି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ସହ ସମ୍ ନିଆଁ ଲିଭିଯାଇଛି । ପ୍ରଶାସନରେ କାହାର କେଶ ବି ହଲିନି । କେଉଁ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୂରର କଥା ସିଟ୍ ବି ଦୋହଲିନି ।
୫ ମାସ ଧରି ଆରଡିସି ମହୋଦୟ କ’ଣ ତଦନ୍ତ କରୁଛନ୍ତି, ତଦନ୍ତ କେବେ ସରିବ ତାହାର ଉତ୍ତର ମିଳୁନି । ମୁଖ୍ୟମନ୍ତ୍ରୀ ବି ତାହାର ଉତ୍ତର ଖୋଜିବାକୁ ଚାହିଁନାହାନ୍ତି । ଆହୁରି ସାଂଘାତିକ କଥା, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକଙ୍କ ଉପରେ ମୃତ୍ୟୁ ରିପୋର୍ଟ ପ୍ରସ୍ତୁତ ଦାୟିତ୍ୱ ଥିଲେ ମଧ୍ୟ ସେ ରିପୋର୍ଟ ଦେଲେଣି କି ନାହିଁ କେହି ଜାଣନ୍ତିନି । ନିଜେ ନିର୍ଦ୍ଦେଶକ ଏ ନେଇ ପାଟି ଖୋଲୁନାହାନ୍ତି । ଏଭଳିସ୍ଥଳେ ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୫ ଲକ୍ଷ ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଥିବା ୨ ଲକ୍ଷ ସହାୟତା ରାଶି ମିଳିଲାଣି କି ନାହିଁ ତାହାର ଉତ୍ତର ମିଳୁନି । କଙ୍କଡ଼ାକୁ ଗୋଳି ପାଣି ସୁଆଦ ଭଳି ସମ୍ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କୁ ବି ଏହା ବେଶ୍ ସୁହାଇଛି । ତାଙ୍କ ପକ୍ଷରୁ ଘୋଷଣା ହୋଇଥିବା ୫ ଲକ୍ଷର ସହାୟତା ରାଶିର ଠିକଣାକୁ ନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି । ମାଲିକ ମନୋଜ ନାୟକ ଜାମିନ୍ ରୁ ଖଲାସ ହେଲା ପରେ ସମ୍ କର୍ତ୍ତୃପକ୍ଷ ଟେନସନମୁକ୍ତ ହୋଇଛନ୍ତି । ସତେ ଯେ ଏତେବଡ଼ ଦୁର୍ଘଟଣା ଘଟିଥିଲା ତାହା ମନେ ପକାଇବାକୁ ପଡୁଛି । ସୁତରାଂ ସମ୍ ନିଆଁର ତାତିରୁ ସମସ୍ତେ ତ୍ରାହି ପାଇଯାଇଛନ୍ତି । ରିପୋର୍ଟ ତା ବାଟରେ । କାର୍ଯ୍ୟାନୁଷ୍ଠାନ ତା ବାଟରେ । ଲୋକେ ଭୁଲିଗଲେ କଥା ସରିଲା ନ୍ୟାୟରେ ସେହି ସମୟକୁ ସରକାର ସତେ ଯେମିତି ଅପେକ୍ଷା କରିଥିଲେ ।