ଭୁବନେଶ୍ୱର: କେନ୍ଦୁଝର ବିଜେଡ଼ି ସାଂସଦ ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କର ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ଘଟଣାରେ ପୁଲିସ ଆଜି ଆଉ ଜଣଙ୍କୁ ଗିରଫ କରିଛି । ଗିରଫ ଚତୁର୍ଥ ବ୍ୟକ୍ତିଜଣଙ୍କ ହେଉଛନ୍ତି ଭୁବନେଶ୍ୱରସ୍ଥିତ ଏଟିଆର୍ ନ୍ୟୁଜ୍ ୱେବପୋର୍ଟାଲ୍ ରେ କାମ କରୁଥିବା ସାମ୍ବାଦିକ ପ୍ରଶାନ୍ତ କୁମାର ମିଶ୍ର । ଗତକାଲି ରାତିରେ କେନ୍ଦୁଝର ପୁଲିସର ଏକ ଟିମ୍ ଭୁବନେଶ୍ୱର ଆସି ପ୍ରଶାନ୍ତଙ୍କୁ ଉଠାଇ ନେଇଥିଲା । ଆଜି ଅପରାହ୍ନରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା କେନ୍ଦୁଝର ଥାନା ଆଇଆଇସି ସୋମନାଥ ଜେନାଙ୍କଠାରୁ ସୂଚନା ମିଳିଛି । ତାଙ୍କ ବିରୋଧରେ ଆଇପିସି ଧାରା ୨୯୨(ଏ)/ ୩୫୪(ଏ)/ ୫୦୦/ ୫୦୯/ ୪୬୫/ ୪୬୯/ ୧୨୦(ବି)/୩୪, ଆଇ.ଆର.ଡବ୍ଲୁ ଆକ୍ଟ/୧୨୩ର ଧାରା, ଆରପି ଆକ୍ଟ ଆର/ଡବ୍ଲୁ ଏବଂ ଆଇଟି ଆକ୍ଟର ଧାରା ୬୬(ଡି)/୬୭/୬୭(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି । ତାଙ୍କୁ ଆଣି ଅଧିକ ପଚରାଉଚୁରା ପାଇଁ ପୁଲିସ ପକ୍ଷରୁ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଛି ।
କେନ୍ଦୁଝର ପୁଲିସର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ପଛରେ ସଂପୃକ୍ତ ସାମ୍ବାଦିକଙ୍କର ଏକ ପ୍ରମୁଖ ଭୂମିକା ଥିଲା । ସାଂସଦ ପ୍ରାର୍ଥୀଙ୍କୁ ବଦନାମ କରିବା ପାଇଁ ସୋସିଆଲ୍ ମିଡ଼ିଆରେ ଭିଡ଼ିଓକୁ ଅପଲୋଡ଼ କରିଥିବା ବିଜେପି କର୍ମୀଙ୍କ ସହ ସେ ସମାନ ଅପରାଧ କରିଛନ୍ତି । ପ୍ରଶାନ୍ତ ଜଣେ ସାମ୍ବାଦିକ ହୋଇଥିଲେ ମଧ୍ୟ ତାଙ୍କର ଅପରାଧ ପୃଷ୍ଠଭୂମି ସମ୍ପର୍କରେ ପୁଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳୁଛି । ତାଙ୍କ ନାଁରେ ଠକେଇ, ବ୍ଲାକମେଲିଂ, ମାରପିଟ୍ ଓ ଧମକଚମକ ଦେବା ଭଳି ସଙ୍ଗୀନ ଅଭିଯୋଗ ପୁଲିସର ହସ୍ତଗତ ହୋଇଥିବା ସଂପୃକ୍ତ ଅଧିକାରୀ କହିଛନ୍ତି ।
ସୂଚନାଯୋଗ୍ୟ, ସାଂସଦ ପ୍ରାର୍ଥୀଙ୍କ ମିଛ ସେକ୍ସ ଭିଡ଼ିଓ ଭାଇରାଲ୍ ଘଟଣାରେ ପୁଲିସ ପୂର୍ବରୁ ୩ ଜଣଙ୍କୁ ଗିରଫ କରିସାରିଛି । ସେମାନେ ହେଲେ, କେନ୍ଦୁଝର ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆର ସଂଯୋଜକ ଜୟଦେବ ଗିରି, ସହଯୋଗୀ ବିଷ୍ଣୁପଦ ବାରିକ ଏବଂ ଭଦ୍ରକ ଜିଲ୍ଲା ବିଜେପି ସୋସିଆଲ୍ ମିଡ଼ିଆ କର୍ମକର୍ତ୍ତା ଚିନ୍ମୟ ସେନାପତି ।