ଭୁବନେଶ୍ୱର: ମାଲକାନଗିରି ଜିଲ୍ଲାର ଦୁର୍ଗମ ଚିତ୍ରକୋଣ୍ଡା ଅଞ୍ଚଳରେ କାର୍ଯ୍ୟ କରୁଛନ୍ତି ଡାକ୍ତର ଓଁକାର ହୋତା । ବୟସ ପାଖାପାଖି ମାତ୍ର ୩୦ ବର୍ଷ । ବାହା ହୋଇନାହାନ୍ତି । ପାଠପଢ଼ା ସାରି ଏଇ ଦି ବର୍ଷ ହେଲା ଠିକା ଚାକିରି କରିଛନ୍ତି । ମାତ୍ର ଡାକ୍ତରସମାଜ ପାଇଁ ଆଜି ଓଁକାର ଆଦର୍ଶର ପ୍ରତୀକ, ମାଲକାନଗିରିବାସୀଙ୍କ ପାଇଁ ଭଗବାନ । ଉତ୍ସର୍ଗୀକୃତ ସେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ତାଙ୍କୁ ସଚିବାଳୟରେ ସମ୍ବର୍ଦ୍ଧିତ କରିଛନ୍ତି । ଖାଲି ସେତିକି ନୁହେଁ, ଓଁକାରଙ୍କ ନିସ୍ୱାର୍ଥପର ସେବାରେ ମୁଗ୍ଧ ମୁଖ୍ୟମନ୍ତ୍ରୀ ରାଜ୍ୟର ଡାକ୍ତର ଓ କର୍ମଚାରୀଙ୍କ ପାଇଁ ‘ଉତ୍କଳମଣି ଗୋବପନ୍ଧୁ ଦାସ’ ପୁରସ୍କାର ପ୍ରବର୍ତ୍ତନ କରିଛନ୍ତି । ନିସ୍ୱାର୍ଥପର ସେବା ଯୋଗାଉଥିବା ଡାକ୍ତର ଓ କର୍ମଚାରୀଙ୍କୁ ଚଳିତବର୍ଷଠାରୁ ଏହି ପୁରସ୍କାର ପ୍ରଦାନ କରାଯିବ ।
ଗତ ୧ ତାରିଖର ଘଟଣା । ଚିତ୍ରକୋଣ୍ଡା ବ୍ଲକ୍ ପାପଲୁର୍ ହେଲଥ ସେଣ୍ଟରରେ କାର୍ଯ୍ୟରତ ଡାକ୍ତର ଓଁକାରଙ୍କୁ ଜଣେ ବ୍ୟକ୍ତି ଆସି କୁକୁତୀମିନତୀ ହେଲେ । ୮ କିମି ଦୂର ଦୁର୍ଗମ ସାରିଗେଟା ଗାଁରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ବଞ୍ଚାଇବାକୁ ମିନତୀ କଲେ । ସେହି ଗାଁକୁ ରାସ୍ତାଘାଟ ନ ଥିବା ଓଁକାର ଜାଣିଥିଲେ । ହେଲେ ତାହାକୁ ଭୃକ୍ଷେପ ନକରି କମ୍ପାଉଣ୍ଡରଙ୍କୁ ଧରି ସେଠାକୁ ବାହାରିପଡ଼ିଲେ । ଜଙ୍ଗଲ, ନାଳ ଅତିକ୍ରମ କରି ଗାଁରେ ପହଞ୍ଚି ଲାବେଳକୁ ମହିଳାଜଣଙ୍କ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଛୁଆ ଜନ୍ମ କରିପାରୁ ନ ଥିଲେ । ଡାକ୍ତର ଅପେକ୍ଷା ନ କରି ବହୁ କଷ୍ଟରେ ନିଜେ ସେଠାରେ ପ୍ରସବ କରାଇଥିଲେ । ତେବେ ପ୍ରସବ ପରେ ଛୁଆ ଅବସ୍ଥା ଠିକ୍ ଥିଲେ ମଧ୍ୟ ମାଆର ଅବସ୍ଥା ଜଟିଳ ହୋଇପଡ଼ିଥିଲା । ଅତ୍ୟଧିକ ରକ୍ତସ୍ରାବ ସହ ଶରୀରର ବିଭିନ୍ନ ଅଙ୍ଗରେ ଜଟିଳତା ଦେଖାଗଲା । ତାଙ୍କୁ ତୁରନ୍ତ ଡାକ୍ତରଖାନା ଆଣିବା ଦରକାର ପଡ଼ିଲା ।
ହେଲେ ନେବେ କେମିତି ? ଡାକ୍ତର ଓଁକାର ଗାଁ ଲୋକଙ୍କୁ ମେଳାଇଲେ । ହେଲେ କେହି ବାହାରିଲେନି । କାରଣ ସେଠାକାର ଆଦିବାସୀଙ୍କର ଏକ ପ୍ରଥା(ଅନ୍ଧବିଶ୍ୱାସ) ଅଛି ଯେ ପ୍ରସବ ମହିଳା ଓ ଜନ୍ମିତ ଶିଶୁକୁ ୧୦ ଦିନ ପର୍ଯ୍ୟନ୍ତ କେହି ଛୁଇଁବେନି । ଏପରିକି ନିଜ ସ୍ୱାମୀ ଓ ପରିବାର ଲୋକ ଯିଏ ଛୁଇଁବ ସେ ଗାଁରୁ ବାସନ୍ଦ ହେବ । ସେଦିନ ଗାଁ ଲୋକଙ୍କୁ ଡାକ୍ତର ଯେତେ ବୁଝାଇଲେ ବି କେହି ପ୍ରସବ ମହିଳାଙ୍କୁ ଛୁଇଁବାକୁ ସାହାସ କଲେନି କି ସାହାଯ୍ୟ କରିବାକୁ ଆଗେଇ ଆସିଲେନି । ଏଣେ ମହିଳାଙ୍କ ଅବସ୍ଥା ଗୁରୁତର ହେଉଥିବା ଦେଖି ଡାକ୍ତର ଆଉ କାହାରିକୁ ଅପେକ୍ଷା କଲେନି । କୌଣସିମତେ ମହିଳାଙ୍କ ସ୍ୱାମୀଙ୍କୁ ବୁଝାଇ ନିଜେ ଅଣ୍ଟା ଭିଡ଼ିଲେ । ତାଙ୍କୁ ଡାକ୍ତରଖାନା ବୋହିନେବାକୁ ଏକ ଦୋଳା(କଟ୍) ପ୍ରସ୍ତୁତ କଲେ । ଡାକ୍ତରଙ୍କୁ ଖବର ଦେବାକୁ ଯାଇଥିବା ବ୍ୟକ୍ତି ଅବଶ୍ୟ ସହଯୋଗ କରିଥିଲେ । ମହିଳାଙ୍କ ସ୍ୱାମୀ ଓ ଖବରଦାତାଙ୍କ ସହ ମିଶି ନିଜେ ଡାକ୍ତର ଓଁକାର ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଓ ଶିଶୁକୁ ୮ କିମି ରାସ୍ତା ବୋହିଆଣିଲେ । ଜଙ୍ଗଲ, ନାଳକୁ ଖାତିର କଲେନି ଡାକ୍ତର । ଆଉ ଡାକ୍ତରଖାନାରେ ପହଞ୍ଚାଇ ତାଙ୍କୁ ତୁରନ୍ତ ଚିକିତ୍ସା କରି ଭଲ କରିଥିଲେ ।
ସବୁ ବାଧାବିଘ୍ନ ସତ୍ତ୍ୱେ ଜଣେ ଡାକ୍ତରଙ୍କର ଏଭଳି ସେବା ମନୋବୃତ୍ତି ଆଜିକା ଯୁଗରେ କ୍ୱଚିତ୍ ଦେଖିବାକୁ ମିଳେ । ଦୁର୍ଗମ ଅଞ୍ଚଳରେ ରହି ଲୋକଙ୍କ ସେବା କରିବା ଦୂରେ ଥାଉ, ଏଠି କଟକ, ଭୁବନେଶ୍ୱରରେ ଧରାଧରି କରି ରହିବାକୁ କିଛି ସରକାରୀ ଡାକ୍ତର ଜୀବନର ବ୍ରତ ଭାବେ ଗ୍ରହଣ କରିଛନ୍ତି । ସହରରେ ରହି ପରିବାର ସହ ଅୟସ କରିବା ଆଉ ଘରୋଇ କ୍ଲିନିକ୍ ରୁ ମୋଟା ପଇସା ରୋଜଗାର କରିବାର ନିଶାରେ ପଡ଼ିଛନ୍ତି । ଭଲ ପଇସା ରୋଜଗାର କରି ଭୁବନେଶ୍ୱର ଭଲ କୋଠା ଖଣ୍ଡେ କରିବା ତାଙ୍କ ଜୀବନର ଲକ୍ଷ୍ୟ ହୋଇଯାଇଛି । ସେବା ମନୋବୃତ୍ତି ଛାଡ଼ି ସମ୍ପତ୍ତି ଆହରଣରେ ମାତିଥିବା ଏହି ବର୍ଗର ଡାକ୍ତରମାନେ ରୋଗୀଙ୍କୁ ଦିନ ଦିପହରେ ଶୋଷଣ କରୁଛନ୍ତି । ଲୁଟୁଛନ୍ତି । ରୋଗୀଙ୍କ ପ୍ରତି ସହାନୂତିଶୀଳ ନ ହୋଇ ଅତି କଦର୍ଯ୍ୟ ବ୍ୟବହାର କରୁଛନ୍ତି । ଦୁର୍ଭାଗ୍ୟର କଥା, ଏହି ଗୋଷ୍ଠୀର ଡାକ୍ତରମାନଙ୍କୁ ସମାଜର କ୍ରିମ୍ ଭାବେ ବିଚାର କରାଯାଉଛି । ସେମାନଙ୍କ ଘର, ଗାଡ଼ି, ଘୋଡ଼ା ହୋଇଛି ଦକ୍ଷତା ଓ ରୋଗୀସେବାର ମାପକାଠି । ହେଲେ ରୋଗୀଙ୍କ ପାଇଁ ସେମାନେ ଭଗବାନ ନୁହଁନ୍ତି ବରଂ ଯମଦୂତର ଭ୍ରମ ସୃଷ୍ଟି କରିଛନ୍ତି ।







Try to trace that reporter also, whose job also praise worthy.