ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ଘଟଣାରେ ପୁଲିସ ରିପୋର୍ଟ ଗ୍ରହଣ କରିବାକୁ ରାଜ୍ୟ ସରକାର ସାହାସ କଲେନି । ଚାପରେ ପଡ଼ିଗଲେ । ଫଳ ହେଲା ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିବ । ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ଚାଲିବ । କୁନ୍ଦୁଲିରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନି ବୋଲି ପୁଲିସ ଆପତତଃ ସିଦ୍ଧାନ୍ତରେ ଉପନୀତ ହୋଇଛି । ଏହି ମର୍ମରେ ରାଜ୍ୟ ମାନବାଧିକାର ସେଲ୍ ଏଡିଜି ମହେନ୍ଦ୍ର ପ୍ରତାପ ମାନବାଧିକାର କମିଶନଙ୍କୁ ନାବାଳିକାର ଡାକ୍ତରୀ ରିପୋର୍ଟ ଦେଇଛନ୍ତି । ଏହାକୁ ନେଇ ବିରୋଧୀ ରାଜନୈତିକ ପକ୍ଷ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ତୁମ୍ବିତୋଫାନ କଲା ପରେ ସରକାର ନଇଁଛନ୍ତି । ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ଅସନ୍ତୋଷ ଟାଳିବାକୁ ଉଦ୍ୟମ କରିଛନ୍ତି ।
ବିଚାର ବିଭାଗୀୟ ତଦନ୍ତ ଘୋଷଣାକୁ ବିରୋଧୀ ଦଳ ଗ୍ରହଣ କରିନାହାନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି । ତେବେ ସରକାରଙ୍କ ଉପରେ ଏହା ଫରକ୍ ପକାଇବାର ସମ୍ଭାବନା ନାହିଁ । ବିଚାର ବିଭାଗୀୟ ତଦନ୍ତ ଅସ୍ତ୍ର ଛାଡ଼ି ସରକାର ନିଶ୍ଚିତ ହୋଇଛନ୍ତି । ତଦନ୍ତ ହୋଇ ରିପୋର୍ଟ ଆସିଲା ବେଳକୁ ଉପନିର୍ବାଚନ, ନିର୍ବାଚନ ସରିଯାଇଥିବ । ବିରୋଧୀ ଦଳର ହୋ ହଲ୍ଲା ପାଇଁ ସୁଯୋଗ ରହିବନି । କୁନ୍ଦୁଲି ଘଟଣା ସରକାରଙ୍କୁ ଅଡୁଆରେ ପକାଇ ପାରିବନି । ଆପାତତଃ ଏହି ବିଚାର କରି ସରକାର ଆଶ୍ୱସ୍ତ ହୋଇଛନ୍ତି । ଏଣିକି ପୀଡ଼ିତା ହୁଅନ୍ତୁ କି ତାଙ୍କ ସମ୍ପର୍କୀୟ ହୁଅନ୍ତୁ ଯାହାର ଯାହା କହିବାର ଅଛି ତଦନ୍ତ କମିଶନଙ୍କ ଇଜଲାସକୁ ଯିବେ । ବିରୋଧୀ ପକ୍ଷ ବି ଗଣମାଧ୍ୟମକୁ ଆସି ଗଳା ଫଟାଇବାର ଅବକାଶ ପାଇବେନି । ରାଜ୍ୟ ସରକାର ଏହିଭଳି ଭାବେ ତାଙ୍କର ପୁରୁଣା ଚାଲ୍ ଖେଳିଛନ୍ତି । ବିଚାର ବିଭାଗୀୟ ତଦନ୍ତ ଭେଳିକି ଦେଖାଇ ସମୟ ଗଡ଼ାଇ ଦେଇଛନ୍ତି ।
ଏକଥା ସତ ଯେ ରାଜ୍ୟ ସରକାରଙ୍କ ଦ୍ୱାରା ତଦନ୍ତ କମିଶନ ନିଯୁକ୍ତି ଧାରା ଏକ ଫାର୍ସରେ ପରିଣତ ହୋଇଛି । ୨୦୧୭ ଏପ୍ରିଲ୍ ସୁଦ୍ଧା ନବୀନ ସରକାର ଅମଳରେ ୨୨ ଟି କମିଶନ୍ ଅଫ୍ ଇନକ୍ୱାରୀ ଗଠନ ହୋଇଛି । ସେଥିରୁ କ୍ୱଚିତ ନ୍ୟାୟ ମିଳିଛି । ଅଧିକାଂଶ କ୍ଷେତ୍ରରେ କମିଶନଙ୍କ ରିପୋର୍ଟ ପୂର୍ଣ୍ଣାଙ୍ଗ ପାଇଁ ୨ରୁ ୭ ବର୍ଷ ସମୟ ଲାଗିଯାଉଛି । ରିପୋର୍ଟ ଆସିଲା ପରେ ସରକାରଙ୍କ ଆକ୍ସନ୍ ଟେକେନ୍ ରିପୋର୍ଟ(ଏଟିଆର୍) ପାଇଁ ୨ରୁ ୫ ବର୍ଷ ସମୟ ଲାଗୁଛି । ବହୁ ଚର୍ଚ୍ଚିତ ୨୦୦୬ କଳିଙ୍ଗନଗର ଗୁଳିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ଶେଷ ପାଇଁ ୯ ବର୍ଷ ଲାଗିଗଲା । ୨୦୦୬ରେ ପୁରୀ ବଡ଼ଦେଉଳରେ ହୋଇଥିବା ଦଳାଚକଟା ଘଟଣାର ତଦନ୍ତ ରିପୋର୍ଟ ୩ ବର୍ଷରେ ଆସିଲା । ୨୦୦୭ରେ ସଂଗଠିତ କନ୍ଧମାଳ ହିଂସାର ତଦନ୍ତ କରିଥିଲେ ଜଷ୍ଟିସ୍ ବାସୁଦେବ ପାଣିଗ୍ରାହୀ । ରିପୋର୍ଟ ଆସିଲା ୮ ବର୍ଷ ପରେ, ୨୦୧୫ ମସିହାରେ । ୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଘଟଣାର ତଦନ୍ତ ରିପୋର୍ଟ ୭ ବର୍ଷ ପରେ ଆସିଲା । ତଦନ୍ତ ରିପୋର୍ଟ ଆସିଲା ପରେ ବି ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ । ସେଥିରେ ପୀଡ଼ିତ କି ପୀଡ଼ିତାଙ୍କୁ କ୍ୱଚିତ ନ୍ୟାୟ ମିଳିଥିବାର ଦେଖାଯାଇଛି । ଏବେ କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାର ଭବିଷ୍ୟତ ସେଇ ଧାରାକୁ ଚାଲିଯାଇଥିବା କୁହାଯାଉଛି ।