ଭୁବନେଶ୍ୱର: ସମ୍ ହସ୍ପିଟାଲ୍, ଆଇଟିଇଆର୍ କଲେଜ, ପ୍ରମେୟ ପେପର୍ ଓ ନିଉଜ୍ ସେଭେନ୍ ଚାନେଲ୍ ମାଲିକ ମନୋଜ ନାୟକ ବିଜେପିରେ ମିଶିବେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୂଲଚାଲ୍ ହେବା ପରେ ସେ ଏହି ନିଷ୍ପତ୍ତିରେ ପହଞ୍ଚିଥିବା ଜଣାପଡ଼ିଛି । ବ୍ୟବସାୟିକ ସ୍ୱାର୍ଥରକ୍ଷା ସହ କେନ୍ଦ୍ରାପଡ଼ା ଲୋକସଭା ଆସନ ନତୁବା ଯେ କୌଣସି ବିଧାନସଭା ଆସନରୁ ଲଢ଼ିବାକୁ ମନୋଜଙ୍କ ସର୍ତ୍ତ ତଥାସ୍ତୁ ହୋଇଥିବା ବିଜେପି ମହଲରୁ ସୂଚନା ମିଳିଛି ।
ମନୋଜ ନାୟକଙ୍କ ବିଜେପି ପ୍ରୀତି ଏଇ ବର୍ଷେ ହେଲା ଜୋର୍ ଧରିଛି । ସମ୍ ହସ୍ପିଟାଲ୍ ନିଆଁ ତାଙ୍କୁ ଜେଲ୍ ରେ ପୂରାଇଥିବାରୁ ରାଜ୍ୟ ସରକାରଙ୍କ ଉପରେ ତାଙ୍କର ପ୍ରଚଣ୍ଡ ରାଗ । ମାତ୍ର ପଛରେ ହଜାରେ କେଳେଙ୍କାରୀ ଥିବାରୁ ଖୋଲାଖୋଲି ରାଜ୍ୟ ସରକାରଙ୍କ ବିରୋଧରେ ଯିବା ତାଙ୍କ ପାଇଁ ପ୍ରତିବନ୍ଧକ ରହିଛି । ସେପଟେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସନ୍ତୁଷ୍ଟ କରି ଦିଲ୍ଲୀରୁ ନିଜ ବ୍ୟବସାୟିକ ସ୍ୱାର୍ଥ ହାସଲ କରିବା ବି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ସୁତରାଂ ମଝି ନଇରେ ଉବୁଟୁବୁ ହେଉଛନ୍ତି ମନୋଜ ନାୟକ । ନିଜ ଖବରକାଗଜ ଓ ଟିଭିକୁ ବି ସେଇ ଲାଇନ୍ ରେ ଚଲେଇଛନ୍ତି । ମଝିରେ ଜୋରସୋରରେ ବିଜେପି ପ୍ରଚାରରେ ଲଗାଇଥିଲେ । ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାର୍ଥକୁ ବେଶ୍ ଜଗାରଖା କରୁଥିଲେ । ହେଲେ ବେଶୀଦିନ ପାରିଲେନି । ବିଜେଡ଼ି ଚଟକଣିକୁ ବୋଧେ ଡରିଗଲେ । ଯେଉଁଥିପାଇଁ ଅବିକା ନିଉଟ୍ରାଲ୍ ଦେଖେଇବାକୁ ଚେଷ୍ଟା କରୁଛନ୍ତି । ବିଜେଡ଼ି ବିରୋଧରେ ଯାଇ ବିଜେପିକୁ ପୂରା ସମର୍ପିତ କଲେ ତାଙ୍କୁ ଆଉ ଥରେ ଜେଲ୍ ଯିବାକୁ ବେଶୀ ସମୟ ଲାଗିବନି ବୋଲି ବୋଧହୁଏ ଆଶଙ୍କା ଅଛି ।
ମାତ୍ର କ’ଣ ହେବ ? ଯେତେ ଯାହା କଲେ ବି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତି ତାଙ୍କର ଭୟ ଓ ଦୁର୍ବଳତା ଲୁଚିପାରୁନି । ବିଜେଡ଼ି ଆଡୁ ଭୟ, ପ୍ରତିବନ୍ଧକକୁ ଆଖି ବୁଜିଦେବାକୁ ସେ ନଗଦ ନିର୍ଭୟ ବାଣୀ ପାଇଛନ୍ତି । ଓଲଟି ଧର୍ମେନ୍ଦ୍ର କ୍ୟାମ୍ପର ଡର ଓ ପ୍ରଲୋଭନ ତାଙ୍କୁ ଗ୍ରାସ କରିଦେଇଛି । ନିକିତିରେ ନବୀନଙ୍କ ତୁଳନାରେ ଧର୍ମେନ୍ଦ୍ର ତାଙ୍କୁ ଭାରି ଲାଗିଛନ୍ତି । ତେଣୁ ଧର୍ମେନ୍ଦ୍ରଙ୍କ ହାତ ଧରି ଭବିଷ୍ୟତ ଚାଲିବାକୁ ସେ ମନସ୍ଥ କରିଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି ।
jitibe sure