ଭୁବନେଶ୍ୱର: ଗତକାଲି ପୁରୀରେ ସାମ୍ବାଦିକମାନଙ୍କୁ ପୁଲିସର ବର୍ବର ଆକ୍ରମଣ ଘଟଣା ରାଜ୍ୟବ୍ୟାପୀ ସାମ୍ବାଦିକ ମହଲରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଭିନ୍ନ ସ୍ଥାନରୁ ଏହା ବିରୋଧରେ ପ୍ରତିବାଦର ସ୍ୱର ଉଠିଛି । ସୋର, ବାଲିଆପାଳ ପରେ ପୁରୀ ପୁଲିସର ଅମାନୁଷିକ କାର୍ଯ୍ୟକୁ ସମସ୍ତେ ନିନ୍ଦା କରିବା ସହ ଦୋଷୀ ପୁଲିସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।
ପୁରୀ ମେଡ଼ିକାଲ ଛକସ୍ଥିତ ଖୁଣ୍ଟିଆ ପେଟ୍ରୋଲ ଟାଙ୍କିରେ ଗ୍ରାହକଙ୍କୁ ଅପମିଶ୍ରିତ ତେଲ ଓ ମାପରେ ଠକେଇ କରାଯାଉଥିବା ଅଭିଯୋଗ ହୋଇ ଆସୁଥିଲା । ଗତକାଲି ରାତିରେ ଜଣେ ବ୍ୟକ୍ତି ଏଭଳି ଅଭିଯୋଗ କରିବା ପରେ ଟାଙ୍କି କର୍ମଚାରୀଙ୍କ ସହ ତାଙ୍କର ଉଚ୍ଚବାଚ ହୋଇଥିଲା । ଟାଙ୍କିରେ ତେଲ ପକଉଥିବା ଅନ୍ୟ ଗ୍ରାହକମାନେ ମିଳିତ ହେବାରୁ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶତାଧିକ ଲୋକ ଏକାଠି ହୋଇ ପେଟ୍ରୋଲ ପମ୍ପରେ ଭଙ୍ଗାରୁଜା କରିଥିଲେ । ଘଟଣା ସମ୍ପର୍କରେ ସୂଚନା ଖାଇ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ଖବର ସଂଗ୍ରହ କରିବାକୁ ସେଠାରେ ପହଞ୍ଚିଥିଲେ । ଏହି ସମୟରେ ୫୦ରୁ ଅଧିକ ଲାଠିଧାରୀ ପୁଲିସ ସେଠାରେ ପହଞ୍ଚି ପିଟିବା ଆରମ୍ଭ କରିଦେଇଥିଲେ ।
ଗଣ୍ଡଗୋଳକାରୀଙ୍କ ସହ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍ ଙ୍କୁ ବି ଗୋଡ଼େଇ ଗୋଡ଼େଇ ପିଟିଥିଲେ । ସାମ୍ବାଦିକମାନେ ନିଜର ପରିଚୟପତ୍ର ପକାଇଥିଲେ ମଧ୍ୟ ପୁଲିସ ଆଖି ବୁଜିଦେଇଥିଲା । ପୁଲିସ ମାଡ଼ରେ କେବଳ ୧୦ ସାମ୍ବାଦିକ ଓ କ୍ୟାମେରାମ୍ୟାନ୍ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି । ଅନେକ ନିରୀହ ଲୋକ ଓ କିଛି ଓକିଲ ମଧ୍ୟ ପୁଲିସ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ଘଟଣା ସମ୍ପର୍କରେ ଖବର ପାଇ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀ ସେଠାରେ ପହଞ୍ଚିଥିଲେ ମଧ୍ୟ ଆକ୍ରମଣକାରୀ ପୁଲିସ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବାରୁ ସାମ୍ବାଦିକମାନେ ଉତକ୍ଷିପ୍ତ ହୋଇଛନ୍ତି ।
ସାମ୍ବାଦିକଙ୍କ ଉପରେ ପୁଲିସ ମାଡ଼ର ପ୍ରତିବାଦରେ ପୁରୀ ସାମ୍ବାଦିକମାନେ ଏକାଠି ହୋଇଥିଲା ବେଳେ ଭୁବନେଶ୍ୱରରେ ସାମ୍ବାଦିକମାନେ ମଧ୍ୟ ଏକାଠି ହୋଇଛନ୍ତି । ଜୟଦେବ ଭବନ ସାମନାରେ ୨୫ରୁ ଅଧିକ ସାମ୍ବାଦିକ ଏକାଠି ହୋଇ ଦୋଷୀ ପୁଲିସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ରାଜ୍ୟର ଅନ୍ୟ ଜାଗାରେ ସାମ୍ବାଦିକମାନେ ଏହାର ପ୍ରତିବାଦ ଆରମ୍ଭ କରିଛନ୍ତି । ସାମ୍ବାଦିକଙ୍କ ଉପରେ ପୁଲିସ ଆକ୍ରମଣର ପ୍ରତିବାଦ ପାଇଁ ଅନ୍ୟ ସଂଗଠନଗୁଡ଼ିକ ଆଗେଇ ଆସିବାକୁ ଭୁବନେଶ୍ୱର ପ୍ରତିବାଦ ସଭାରେ ଆହ୍ୱାନ ଦିଆଯାଇଛି ।