ଜଗତସିଂହପୁର: ବିଜେଡ଼ିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତଙ୍କ ଗଡ଼ରେ ଆଜି ବିଜେଡ଼ି ତାର ଶକ୍ତି ପ୍ରଦର୍ଶନ କରିଛି । କୁଜଙ୍ଗଠାରେ ଆୟୋଜିତ ଦଳର ମହିଳା ସମାବେଶରେ ୧୫ ହଜାରରୁ ଅଧିକ ମହିଳା ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଉପରେ କର୍ମୀମାନେ ଆସ୍ଥା ସ୍ଥାପନ କରିବା ସହ ବିଜେଡ଼ିକୁ ଜିଲ୍ଲାରେ ଅଧିକ ଶକ୍ତିଶାଳୀ କରିବାକୁ ଶପଥ ନେଇଛନ୍ତି । କେହି ଦାମ ରାଉତଙ୍କ ନାଁ ନେଇ ନ ଥିଲେ ମଧ୍ୟ ବିଜେଡ଼ି ଭାଙ୍ଗିବାକୁ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଚକ୍ରାନ୍ତକୁ ପଣ୍ଡ କରାଯିବ ବୋଲି ନେତାମାନେ ଚେତାଇ ଦେଇଛନ୍ତି ।
କୁଜଙ୍ଗ ବ୍ଲକ୍ ପଡ଼ିଆଠାରେ ଆୟୋଜିତ ହୋଇଥିଲା ଏହି ସମାବେଶ । ସଭାମଞ୍ଚରେ ଥିଲେ ବିଜେଡ଼ି ରାଜ୍ୟ ମହିଳା ସଭାନେତ୍ରୀ ପ୍ରମିଳା ମଲ୍ଲିକ, ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ସହ ପର୍ଯ୍ୟବେକ୍ଷକ ମନ୍ତ୍ରୀ ପ୍ରତାପ ଜେନା, ଦଳର ଜିଲ୍ଲା କାର୍ଯ୍ୟକାରୀ ସଭାପତି ତଥା ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟିକା ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ସାଂସଦ କୁଳମଣି ସାମଲ । ଜିଲ୍ଲାର ୪ଟି ଯାକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଆସିଥିଲେ ମହିଳା କର୍ମୀ । ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ ଦାମ ରାଉତଙ୍କ ପ୍ରମୁଖ ସମର୍ଥକ ଭାବେ ପରିଚିତ ବିଜେଡ଼ି ନେତା ଓ ନେତ୍ରୀମାନେ ଏହି ସମାବେଶ ଆୟୋଜନରେ ପ୍ରମୁଖ ଭୂମିକା ନେଇଥିଲେ ।
ଦାମ ରାଉତ ବିଜେଡିରୁ ବହିଷ୍କୃତ ହେଲା ପରେ ତାଙ୍କ ଗଡ଼ ଦାବି କରୁଥିବା କୁଜଙ୍ଗରେ ଏହା ଥିଲା ବିଜେଡ଼ିର ପ୍ରଥମ ଶକ୍ତି ପ୍ରଦର୍ଶନ । ଦାମ ରାଉତଙ୍କ ଅନୁଗତମାନେ ଏହି ସମାବେଶରେ ସାମିଲ ହେବେ କି ନାହିଁ ସେୟାଡ଼କୁ ଥିଲା ସମସ୍ତଙ୍କ ନଜର । ମାତ୍ର ଆଜିର ସମାବେଶରେ ସେମିତି କିଛି ଦେଖିବାକୁ ମିଳିନାହିଁ । ଏପରିକି ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ସତ୍ତ୍ୱେ ଦଳୀୟ ସମାବେଶରେ ସବୁ ଗୋଷ୍ଠୀର କର୍ମୀ ଯୋଗଦେଇଥିଲେ ।
ବିଷ୍ଣୁ ଦାସ ରହିଲେନି
ଜିଲ୍ଲା ବିଜେଡ଼ି ସଭାପତି ବିଷ୍ଣୁ ଦାସଙ୍କୁ ସମାବେଶରେ ଦେଖିବାକୁ ମିଳି ନ ଥିଲା । ସମାବେଶରୁ ତାଙ୍କୁ ଜାଣିଶୁଣି ଦୂରେଇ ରଖାଯାଇଥିବା କୁହାଯାଉଛି । ନିକଟରେ ଭୁବନେଶ୍ୱର ଦଳୀୟ ଅଫିସରେ ଅନୁଷ୍ଠିତ ଜଗତସିଂହପୁର ଜିଲ୍ଲା ବିଜେଡ଼ି ନେତା ଓ କର୍ମୀଙ୍କ ବୈଠକରେ କିଛି କର୍ମୀ ବିଷ୍ଣୁ ଦାସଙ୍କ ବିରୋଧରେ ଫେରାଦ ହୋଇଥିଲେ । ତେଣୁ କୌଣସି ଅସୁବିଧାର ଆଶଙ୍କା କରି ଦଳୀୟ ନେତୃତ୍ୱ ତାଙ୍କୁ ଏହି ବୈଠକରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିବା କୁହାଯାଉଛି । ଖାଲି ବିଷ୍ଣୁ ନୁହଁନ୍ତି, ଜିଲ୍ଲା ଦଳୀୟ ପଦପଦବୀରେ ଥିବା ତାଙ୍କର କୌଣସି ସମର୍ଥକଙ୍କୁ କୁଜଙ୍ଗ ମହିଳା ସମାବେଶକୁ ଡକାଯାଇନାହିଁ । ଡକା ନ ଯିବା ସତ୍ତ୍ୱେ ମଧ୍ୟ ସମାବେଶ ସଫଳ କରିବାକୁ ଆମେ ସମସ୍ତେ ଉଦ୍ୟମ କରିଛୁ ଏବଂ ସମାବେଶକୁ ସଫଳ କରିଛୁ ବୋଲି ବିଷ୍ଣୁ ଅନୁଗତ ଜନୈକ ବିଜେଡ଼ି ଜିଲ୍ଲା ସମ୍ପାଦକ ‘ମିଡ ଡେ ଓଡ଼ିଶା’କୁ କହିଛନ୍ତି ।
ବିଷ୍ଣୁ-ରାଜଶ୍ରୀ ସମର୍ଥକ ଠେଲାପେଲା
କୁଜଙ୍ଗ ସମାବେଶରେ ଯୋଗଦେବାକୁ ଆସୁଥିଲା ବେଳେ ତାରପୁର ବାଇପାସ୍ ଠାରେ ମୁହାଁମୁହିଁ ହୋଇଥିଲେ ବିଷ୍ଣୁ ଦାସ ଓ ରାଜଶ୍ରୀ ମଲ୍ଲିକଙ୍କ ସମର୍ଥକ । ରାଜଶ୍ରୀଙ୍କ ବିରୋଧରେ ସ୍ଲୋଗାନ୍ ବାଜିରୁ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉଭୟଙ୍କ ସମର୍ଥକଙ୍କ ମଧ୍ୟରେ କିଛି ସମୟ ପାଇଁ ଠେଲାପେଲା ହୋଇଥିଲା । ତେବେ ପୁଲିସ ଓ ଦଳୀୟ ନେତାଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ସମାବେଶ ଭଣ୍ଡୁର କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କର ଏହା ଚକ୍ରାନ୍ତ ବୋଲି ବିଧାୟିକା ରାଜଶ୍ରୀ ମଲ୍ଲିକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ଦାମ ଉତକ୍ଷିପ୍ତ, ମନେ ମନେ ପାୱାରଫୁଲ୍
ବିଜେଡ଼ିର କୁଜଙ୍ଗ ସମାବେଶର ସଫଳତାରେ ଉତକ୍ଷିପ୍ତ ହୋଇପଡ଼ିଛନ୍ତି ଡାକ୍ତର ଦାମ ରାଉତ । ଅଲଗା ନିର୍ବାଚନମଣ୍ଡଳୀ କଥା ଦୂରେ ଥାଉ, ନିଜ ପାରାଦ୍ୱୀପ ନିର୍ବାଚନମଣ୍ଡଳୀରୁ ତାଙ୍କର ଖାସ୍ ସମର୍ଥକମାନେ ସମାବେଶର ଆଗରେ ରହିବା ତାଙ୍କୁ ବିଚଳିତ କରିଛି । ଭୁବନେଶ୍ୱରରେ ବସି ଗଣମାଧ୍ୟମ ଆଗରେ ବେଶ୍ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି ଦାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ କାପୁରୁଷ କହିବା ସହ ନିଜକୁ ପାୱାରଫୁଲ୍ ଦେଖାଇଛନ୍ତି । ଜିଲ୍ଲାର ପଡ଼ୋଶୀ ନିର୍ବାଚନମଣ୍ଡଳୀରୁ ସିଡ଼ିପିଓଙ୍କ ଜରିଆରେ ସମାବେଶକୁ ମହିଳାମାନେ ବୁହା ହୋଇ ଆସିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲଙ୍କୁ ସେ ଟାର୍ଗେଟ୍ କରି ତାଙ୍କ ପୁଅକୁ ନିଶାନା କରିଛନ୍ତି । ଭଦ୍ରକ ଇଂଜିନିୟରିଂ କଲେଜ ପଇସାରେ ସାମଲଙ୍କ ପୁଅ ବଡ଼ ଗାଡ଼ି ଚଢ଼ୁଛି ବୋଲି ଆକ୍ଷେପ କରିଛନ୍ତି ଦାମ ।