ଭୁବନେଶ୍ୱର: ବିଳମ୍ବ ହେଲେ ବି କଂଗ୍ରେସର ତାର ପ୍ରତିଶ୍ରୁତି ରଖିଛି । ସାଧାରଣ ନିର୍ବାଚନର ବହୁ ପୂର୍ବରୁ ଦଳ ପ୍ରାର୍ଥୀ ଚୟନ କରିବ ବୋଲି ଦେଇଥିବା ପ୍ରତିଶ୍ରୁତି ଏକରକମ ପାଳନ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦଳ ୪୪ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ରେ ମୋହର ମାରିଛି । ଆଜି ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ୪୪ ଜଣିଆ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ତେବେ ତାଲିକା କେବେ ଘୋଷଣା ହେବ ତାହା ସ୍ପଷ୍ଟ କରିନାହାନ୍ତି ପିସିସି ସଭାପତି ।
ଗତକାଲିଠାରୁ କଂଗ୍ରେସ ଭବନରେ ଦଳର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଚୟନ କସରତ ଆରମ୍ଭ ହୋଇଥିଲା । କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭି.ଡି.ସାଥେସାନ୍ ଅନ୍ୟ ଦୁଇ ସଦସ୍ୟଙ୍କ ସହ ରାଜ୍ୟର ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରିଥିଲେ । ନିର୍ବାଚନମଣ୍ଡଳୀ ସ୍ଥିତି ଓ ପ୍ରାର୍ଥୀ ଚୟନର ଆଧାର ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଆଜି ପିସିସି ପକ୍ଷରୁ ପ୍ରସ୍ତୁତ ପ୍ରାର୍ଥୀ ତାଲିକା ଉପରେ ତର୍ଜମା ହୋଇଥିଲା । ପ୍ରଦେଶ ନିର୍ବାଚନ କମିଟି ଏହା ଉପରେ ତର୍ଜମା କଲା ପରେ ୪୪ ଟି ଆସନର ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିଛନ୍ତି । ଏହି ତାଲିକାରେ ବର୍ତ୍ତମାନର ୧୫ ଜଣ ବିଧାୟକଙ୍କ ନାଁ ରହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଅନ୍ୟ ୨୯ ଟି ଆସନ ପ୍ରାୟତଃ ନିର୍ବିବାଦୀୟ । ସେଥିରୁ ଉପକୂଳ ଅଞ୍ଚଳର ୧୩ଟି ଆସନ ରହିଛି ।
ଏଆଇସିସିର ସେଣ୍ଟ୍ରାଲ୍ ଇଲେକ୍ସନ୍ କମିଟିର ଅନୁମୋଦନ ପରେ ତାଲିକା ଘୋଷଣା ହେବ । ତେବେ ଏହା କେବେ ହେବ ସେ ନେଇ ପିସିସି ସଭାପତି ନିର୍ଦ୍ଦିଷ୍ଟ ସୂଚନା ଦେଇନାହାନ୍ତି ।
ଶଗରିଆ ପଦ ଛାଡ଼ିଲେ, ଦଳ ଛାଡ଼ିଲେନି
କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ କଂଗ୍ରେସ ଛାଡ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା ସେଥିରେ ଅବସାନ ଘଟିଛି । ସେ ଦଳ ନ ଛାଡ଼ି ଆଜି ତାଙ୍କ ପଦ ଛାଡ଼ିଛନ୍ତି । ଦିନକ ପୂର୍ବରୁ ତାଙ୍କୁ ପିସିସି ଏସସି ସେଲ୍ ଅଧ୍ୟକ୍ଷ ପଦରୁ ହଟାଯାଇ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ କରାଯାଇଥିଲା । ମାତ୍ର ସେ ଏହି ପଦ ଗ୍ରହଣ କରିବେ ନାହିଁ ଘୋଷଣା କରିଛନ୍ତି । ଏସସି ସେଲ୍ ଅଧ୍ୟକ୍ଷ ପଦରୁ ତାଙ୍କୁ ବିଦା କରାଯିବାକୁ ସେ ସହଜରେ ଗ୍ରହଣ କରିନାହାନ୍ତି । ଏହା ତାଙ୍କ ପ୍ରତି ଅପମାନ ବୋଲି ତାଙ୍କର ମନେ ହୋଇଛି । ଏହାର ପ୍ରତିବାଦରେ ସେ ସେହି ପଦ ଛାଡ଼ିଛନ୍ତି । ତେବେ ସେ କଂଗ୍ରେସ ଛାଡ଼ିବେନି ଏବଂ କଂଗ୍ରେସ ଟିକେଟରେ ବିଧାନସଭା ଲଢ଼ିବେ ବୋଲି ଘୋଷଣା କରିଛନ୍ତି ।