ଭୁବନେଶ୍ୱର: କରୋନାର ଭୟାବହତା ସମଗ୍ର ବିଶ୍ୱକୁ ଥରାଉଛି । କରୋନା ଭୂତାଣୁ ପ୍ରକୋପରୁ ରକ୍ଷା ପାଇବା ପାଇଁ ଘରେ ରହିବା ହିଁ ଏକମାତ୍ର ବିକଳ୍ପ ହୋଇଛି । ସେଥିପାଇଁ ଓଡ଼ିଶା ସମେତ ସାରା ଭାରତ ଏବେ ଲକ୍ ଡାଉନ୍ । ଏଭଳି ପରିସ୍ଥିତିରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କ ଭଳି ସାମ୍ବାଦିକମାନେ ମଧ୍ୟ ଜରୁରୀକାଳୀନ ସେବାରେ ନିଜକୁ ନିୟୋଜିତ କରିଛନ୍ତି । ଲୋକମାନଙ୍କ ପାଖରେ ପ୍ରତି ମୁହୁର୍ତ୍ତରେ ଖବର ପହଞ୍ଚାଇବାର ଦାୟିତ୍ୱରୁ ପଛଘୁଞ୍ଚା ନ ଦେଇ ସମସ୍ତଙ୍କୁ ସତର୍କ କରାଉଛନ୍ତି ।
ତେବେ ନିଜ ଜୀବନ ଓ ପରିବାରର ଜୀବନକୁ ବାଜି ଲଗାଇଥିବା ଏହି ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାର ଦାୟିତ୍ୱ ଭୁଲିଯାଇଥିବାରୁ ବିଭିନ୍ନସ୍ତରରେ ଉଦବେଗ ଓ ସମାଲୋଚନା ହେଉଛି । ସୋସିଆଲ୍ ମିଡ଼ିଆରେ ଏହାର ପ୍ରତିକ୍ରିୟା ଦେଖିବାକୁ ମିଳୁଛି ।
କଳିଙ୍ଗ ସେନା ସଭାପତି ହେମନ୍ତ ରଥ ଆଜି ଏକ ଭିଡ଼ିଓ ଏବଂ ପ୍ରେସ୍ ରିଲିଜ୍ ଜରିଆରେ ସାମ୍ବାଦିକମାନଙ୍କୁ ସୁରକ୍ଷା ଓ ସହଯୋଗ ଯୋଗାଇ ଦେବା ପାଇଁ ନିବେଦନ କରିଛନ୍ତି । ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ସାମ୍ବାଦିକମାନଙ୍କୁ ବୀମାଭୁକ୍ତ କରିବାକୁ ସେ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ କ୍ଷତିଗ୍ରସ୍ତ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାର ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ସ୍ୱାଗତଯୋଗ୍ୟ ଏବଂ ସେଥିପାଇଁ ସରକାର ଅଭିନନ୍ଦନୀୟ । ମାତ୍ର ସାମ୍ବାଦିକମାନଙ୍କ ପାଇଁ କିଛି ବ୍ୟବସ୍ଥା ନ କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । ଏଥିପ୍ରତି ସରକାର ଗୁରୁତ୍ୱର ସହ ଚିନ୍ତା କରି ପଦକ୍ଷେପ ନେବାକୁ ଶ୍ରୀ ରଥ ନିବେଦନ କରିଛନ୍ତି ।
କରୋନା ଭଳି ଜରୁରୀ ପରିସ୍ଥିତିରେ କାର୍ଯ୍ୟ କରୁଥିବା ସାମ୍ବାଦିକମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ସାମ୍ବାଦିକ ମହଲରେ ଅସନ୍ତୋଷ ଓ ପ୍ରତିକ୍ରିୟା ସୃଷ୍ଟି କରିଛି । ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି ।
ସେପଟେ କରୋନା ସଙ୍କଟ ପରିସ୍ଥିତିରେ ବ୍ୟବସାୟିକ କ୍ଷତିକୁ ଆଳ କରି କିଛି ଗଣମାଧ୍ୟମ ମାଲିକ ସେମାନଙ୍କ ସଂସ୍ଥାରୁ କର୍ମଚାରୀ ଛଟେଇ ଏବଂ ଦରମା ହ୍ରାସ୍ ଭଳି ପଦକ୍ଷେପ ନେବାର ଯୋଜନା କରୁଥିବା ସୋସିଆଲ୍ ମିଡ଼ିଆରେ ଚର୍ଚ୍ଚା ହେଉଛି । ଏହା ସତ ନା ମିଛ ଜଣା ପଡ଼ି ନ ଥିଲେ ମଧ୍ୟ ସାମ୍ବାଦିକ ଓ କର୍ମଚାରୀଙ୍କୁ ଆଶଙ୍କିତ କଲାଣି । କରୋନା ଯୋଦ୍ଧା ସାଜି କାର୍ଯ୍ୟ କରୁଥିବା ସାମ୍ବାଦିକଟି ସରକାରଙ୍କଠାରୁ ସମ୍ମାନ ଓ ସହଯୋଗ ନ ପାଇ ମନକଷ୍ଟରେ ଥିବା ବେଳେ ଆଗକୁ ନିଜ ସଂସ୍ଥାରୁ ଚାକିରି ହରାଇବା ନଚେତ୍ ଦରମା କଟିବାର ବିପଦରେ ସନ୍ତୁଳିତ ହେଉଛି ।