ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣାରେ ଯୋଗାଇ ଦିଆଯାଉଥିବା ସାମଗ୍ରୀର ଉତ୍ପାଦନ କରୁଛି କିଏ ? ତାହାର ପରିମାଣ କେତେ ? ମୂଲ୍ୟ କେତେ ? ସେଗୁଡ଼ିକ ମେଡ ଇନ ଓଡ଼ିଶା ନା ମେଡ ଇନ ଇଣ୍ଡିଆ ? ଆଠଗଡ଼ର ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ(ରାଜା) ସ୍ୱାଇଁ ଆଜି ବିଧାନସଭାରେ ଏହି ପ୍ରଶ୍ନ ପଚାରିଥିଲେ ଶିଳ୍ପମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ । ଆଉ ମନ୍ତ୍ରୀ ଏଥିରେ ଘାବରେଇ ଯାଇ ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇଥିଲେ ମଧ୍ୟ ତାଙ୍କ ଉତ୍ତର ଗୃହକୁ ଜମାଣିଆ କରିଥିଲା । ‘ବିଧାୟକ ଯେଉଁ ପ୍ରଶ୍ନ ପଚାରୁଛନ୍ତି ତାହା ଆକାଶର ତାରା ଗଣିଲା ଭଳି କଥା’ କହି ଶିଳ୍ପମନ୍ତ୍ରୀ କଟାକ୍ଷ କରିବା ସହ ଏମଏସଏମଇ ବିଭାଗ ଉପରକୁ ଉତ୍ତର ଟାଳି ଦେବାକୁ ଚେଷ୍ଟା କରିଥିଲେ । ତେବେ ନଛୋଡ଼ବନ୍ଧା ଆଠଗଡ଼ ବିଧାୟକ ବି ମନ୍ତ୍ରୀଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନ ଥିଲେ । ସରକାରଙ୍କ ମାଗଣା ପ୍ରଦତ୍ତ ଏହି ସାମଗ୍ରୀ ଯୋଗାଣରେ ଲଟରପଟରର ଇଙ୍ଗିତ ଦେଇଥିଲେ । ସାରୁ ଭିତରେ ସେ ମାରୁ କିଏ ବୋଲି ଜାଣିବାକୁ ଚାହିଁଥିଲେ ।
ପୂର୍ବତନ ଶିଳ୍ପମନ୍ତ୍ରୀ ତଥା ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର ଅତିରିକ୍ତ ପ୍ରଶ୍ନ କରିଥିଲେ । ସରକାରଙ୍କ ପକ୍ଷରୁ ମାଗଣା ସାମଗ୍ରୀ ଯୋଗାଣରେ ବିଭିନ୍ନ ବିଭାଗ ସଂପୃକ୍ତ ଥିବାରୁ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରି ଉପଯୁକ୍ତ ସମନ୍ୱୟ କରାଇବାକୁ ତାଙ୍କ ଉତ୍ତରାଧିକାରୀ ନିରଞ୍ଜନ ପୂଜାରୀଙ୍କୁ ପ୍ରସ୍ତାବ ଦେଇଥିଲେ । ତେବେ ଦେବୀଙ୍କ ପ୍ରସ୍ତାବକୁ ସେ କଅଁଳେଇ ମାଡ଼ କରିଥିଲେ । ମାନ୍ୟବର ଦେବୀ ମିଶ୍ର ପୂର୍ବରୁ ଏହି ବିଭାଗ ଦାୟିତ୍ୱରେ ଥିବାରୁ ତାଙ୍କୁ ସବୁ ଜଣା ଥିବ । ମନ୍ତ୍ରୀ ହୋଇ ସେ ଯାହା କରିପାରି ନ ଥିଲେ ଆଜି ପରାମର୍ଶ ଦେଉଛନ୍ତି ବୋଲି କଟାକ୍ଷ କରିଥିଲେ । ପୂଜାରୀଙ୍କ ଏହି ଉତ୍ତର ଦେବୀ ମିଶ୍ରଙ୍କ ମୁହଁରେ ଚୂନ ବୋଳିଲା ଭଳି ହୋଇଥିବା ବେଳେ ରାଜା ସ୍ୱାଇଁଙ୍କ ମୁହଁରେ ହସ ଖେଳାଇ ଦେଇଥିଲା । ଖାଲି ରାଜା ସ୍ୱାଇଁ ନୁହଁନ୍ତି, ଗୃହର ଅଧିକାଂଶ ସଭ୍ୟଙ୍କ ମନକୁ ଉତ୍ତରଟି ବେଶ୍ ଛୁଇଁଥିଲା । ଏଥିସହ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମରେ ମାଗଣାରେ ପ୍ରଦାନ କରାଯାଉଥିବା ଲାପଟପ୍, ସାଇକେଲ, ପୋଷାକ, ଛତା, ଜୋତା, କମ୍ବଳ ଆଦି ସାମଗ୍ରୀ ଯୋଗାଣରେ ବାହାର ରାଜ୍ୟର ସଂସ୍ଥାଙ୍କ ସହ ଭଲ ଡିଲ୍ ହୋଇଥିବା ଗୁଂଜରଣ ଖେଳିଥିଲା ।
ଏମଏସଏମଇ ବିଭାଗ ଉପରକୁ ଦାୟିତ୍ୱ ଠେଲି ଶିଳ୍ପମନ୍ତ୍ରୀ ଏହି ଜଟିଳ ପ୍ରଶ୍ନର ଅଡୁଆରୁ ଖସିବାକୁ ପ୍ରସ୍ତୁତ ହୋଇ ଆସିଥିଲେ ମଧ୍ୟ ନିଜ ଉତ୍ତରରେ କିଛିଟା ତଥ୍ୟ ରଖିଥିଲେ । ରାଜ୍ୟରେ ୧୫,୦୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରତିବର୍ଷ ମାଗଣାରେ ଲାପଟପ୍ ଦିଆଯାଉଛି । ନବମ ଓ ଦଶମ ଶ୍ରେଣୀର ୫ ଲକ୍ଷ ୬୦ ହଜାର ପିଲାଙ୍କୁ ଦିଆଯାଉଛି ସାଇକେଲ । ୧ କୋଟି ୬୪ ଲକ୍ଷ ଟଙ୍କାର ଜୋତା ଓ ପ୍ରାୟ ୨୦ କୋଟି ଟଙ୍କାର ପୋଷାକ ବଣ୍ଟାଯାଉଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।