କଟକ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ମାନିନାହାନ୍ତି ହାଇକୋର୍ଟ ଓକିଲ ସଂଘ । କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବାକୁ ଆଜି ନିଷ୍ପତ୍ତି ନେଇଛନ୍ତି । ଓକିଲମାନେ କାର୍ଯ୍ୟବନ୍ଦରୁ ହଟି ହାଇକୋର୍ଟ କାର୍ଯ୍ୟ ସ୍ୱାଭାବିକ କରିବାକୁ ଗତକାଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଖାଲି ସେତିକି ନୁହେଁ, ପୁଲିସ-ଓକିଲ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ଆଇଜିଙ୍କୁ ହସ୍ତାନ୍ତର କରିବାକୁ ସୁପ୍ରିମକୋର୍ଟ ରାଜ୍ୟର ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ତେବେ ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଉପରେ ସୁପ୍ରିମକୋର୍ଟ ଙ୍କ ରୋକ୍ କୁ ଗ୍ରହଣ କରିନାହାନ୍ତି ହାଇକୋର୍ଟ ଓକିଲ ସଂଘ । ଓକିଲଙ୍କୁ ପକ୍ଷ ରଖିବାର ସୁଯୋଗ ନ ଦେଇ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଥିବାରୁ ସେମାନେ ତାହାକୁ ଗ୍ରହଣ କରିନାହାନ୍ତି । ଆଜି ହାଇକୋର୍ଟ ବାର ଆସୋସିଏସନ୍ ର ବୈଠକ ବସି ସୁପ୍ରିମକୋର୍ଟ ନିର୍ଦ୍ଦେଶ ନ ମାନିବାକୁ ନିଷ୍ପତ୍ତି ହୋଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆମେ ସମ୍ମାନର ସହ ଗ୍ରହଣ କରିପାରୁନାହୁଁ ବୋଲି ସଂଘ ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି । କାର୍ଯ୍ୟବନ୍ଦ ଆନ୍ଦୋଳନ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ ଏବଂ ବୁଧବାର ଦିନ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସେ କହିଛନ୍ତି । ତେବେ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ ବନ୍ଦ ନ କରିବାକୁ ଓକିଲ ସଂଘ ନିଷ୍ପତ୍ତି ନେଇଛି ।