ଭୁବନେଶ୍ୱର: ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟଠାରୁ ରାଜ୍ୟ ସରକାରଙ୍କୁ ଶକ୍ତ ଝଟକା ଲାଗିଛି । ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କ ଆବେଦନକୁ ସୁପ୍ରିମକୋର୍ଟ ଗ୍ରହଣ କରିନାହାନ୍ତି । ଓଡ଼ିଶା ହାଇକୋର୍ଟ ଯେଉଁ ରାୟ ଦେଇଥିଲେ ସୁପ୍ରିମକୋର୍ଟ ତାହାକୁ କାଏମ୍ ରଖିଛନ୍ତି । ପୂର୍ବରୁ ହାଇକୋର୍ଟରୁ ହାରିଲା ପରେ ରାଜ୍ୟ ସରକାର ଏହାକୁ ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ପୌର ନିର୍ବାଚନରେ ଏସସି,ଏସଟି ଏବଂ ଓବିସିଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।
ପୌର ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ ନେଇ ସୁପ୍ରିମକୋର୍ଟର କଟକଣା ସତ୍ତ୍ୱେ ବିଗତ ଦିନରେ ରାଜ୍ୟ ସରକାର ଅନେକ ଆସନରେ ୫୦ ପ୍ରତିଶତରୁ ଅଧିକ ସ୍ଥାନ ସଂରକ୍ଷଣ କରିଥିଲେ । ନୂଆପଡ଼ା ଏନଏସିରେ ସ୍ଥାନ ସଂରକ୍ଷଣ ନେଇ ଏକ ମାମଲାରେ ଓଡ଼ିଶା ହାଇକୋର୍ଟ ୫୦ ପ୍ରତିଶତ ସଂରକ୍ଷଣ ସୀମା ଅତିକ୍ରମ ନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ହାଇକୋର୍ଟ ରାୟକୁ ସୁପ୍ରିମକୋର୍ଟ କାଏମ ରଖିବା ପରେ ଅଡୁଆରେ ପଡ଼ିଯାଇଛନ୍ତି ରାଜ୍ୟ ସରକାର । ସମୟ ପୂରିଆସିଥିବାରୁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣକୁ ଧରି ଆଉ କେବେ ଓ କେମିତି ପୌର ନିର୍ବାଚନ କରିବେ ସରକାର ଚିନ୍ତାରେ ପଡ଼ିଛନ୍ତି ।
ସୂଚନାଯୋଗ୍ୟ, ଚଳିତ ସେପ୍ଟେମ୍ବର ୩୦ ତାରିଖରେ ୬୫ ଟି ପୌରସଂସ୍ଥାର କାର୍ଯ୍ୟକାଳ ସରୁଛି । ବ୍ରହ୍ମପୁର ମହାନଗର ନିଗମର କାର୍ଯ୍ୟକାଳ ବି ସେଦିନ ସରୁଛି । ଅନ୍ୟ ୨୨ଟି ପୌରସଂସ୍ଥାର କାର୍ଯ୍ୟକାଳ ଡିସେମ୍ବର ୧୦ ତାରିଖ ଭିତରେ ସରିବ । ସେହିଭଳି ଆସନ୍ତା ଜାନୁଆରୀ ୧୭ ତାରିଖରେ ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟକାଳ ସରୁଥିବା ବେଳେ ଫେବୃଆରୀ ୧୩ ତାରିଖରେ କଟକ ମହାନଗର ନିଗମ ଏବଂ ବାରିପଦା ମ୍ୟୁନିସିପାଲିଟିର କାର୍ଯ୍ୟକାଳ ଶେଷ ହେବ ।